ରାଜ୍ୟ

ଅବ୍ୟବସ୍ଥାରେ ଖେଲାଉର ପାନୀୟଜଳ ପ୍ରକଳ୍ପ

ପିପିଲି : ଡେଲାଙ୍ଗ ବ୍ଲକ ଅଧୀନ ଖେଲାଉର ପଞ୍ଚାୟତର ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଅଦ୍ୟାବଧି ପ୍ରକଳ୍ପର ସୁରକ୍ଷା ପ୍ରାଚୀର ନିର୍ମାଣ ସରିନାହଁି। ଫଳରେ ସନ୍ଧ୍ୟା ହେଲେ ସେଠାରେ ଅସାମାଜିକଙ୍କ ଆଡ୍ଡା ଜମୁଛି। ଦୁର୍ବୃତ୍ତମାନେ ରାତିରେ ପମ୍ପ୍‌ହାଉସ ଭିତରେ ପଶି ପାଣିଟାଙ୍କିର ଚାବି ଖୋଲିବା ଦ୍ୱାରା ଅନାବଶ୍ୟକ ଭାବେ ପାଣି ରାସ୍ତାକୁ ବୋହିଆସୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ପଞ୍ଚାୟତର ଖେଲାଉର, ଯାଜପୁର, ବରମପୁର, ନହରକଣ୍ଟା ଗ୍ରାମର ମୋଟ୍‌ ୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ପାନୀୟଜଳ ସମସ୍ୟା ପାଇଁ ପାଣିଟାଙ୍କି କାର୍ଯ୍ୟ ଜନୈକ ଠିକାଦାର ସମାପନ କରିଥିଲେ। ପରେ ଅନ୍ୟଜଣେ ଠିକାଦାରଙ୍କୁ ପ୍ରାଚୀର ନିର୍ମାଣ କାର୍ଯ୍ୟ ହସ୍ତାନ୍ତର ହୋଇଥିଲା। ଇତିମଧ୍ୟରେ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଅର୍ଦ୍ଧନିର୍ମିତ ପ୍ରାଚୀର ପାଇଁ ଗୋରୁ ଓ ଅସାମାଜିକ ଲୋକେ ପମ୍ପ୍‌ହାଉସ ପରିସରକୁ ବାରମ୍ବାର ପ୍ରବେଶ କରୁଥିବା ଅଭିଯୋଗ ହେଉଛି। ଏନେଇ ପମ୍ପ୍‌ହାଉସ ଡ୍ରାଇଭରଙ୍କୁ ପଚାରିବାରେ, ସେ ସନ୍ଧ୍ୟା ସମୟରେ ପାଣି ଭରିବା ପରେ ପୁନଶ୍ଚ ପରଦିନ ସକାଳେ ଆସି ଟାଙ୍କି ଭରନ୍ତି। ରାତିରେ ଅସାମାଜିକ ଲୋକେ ପମ୍ପ୍‌ହାଉସ ଭିତରେ ପଶି ଟାଙ୍କି ଚାବି ଖୋଲିଦେଉଥିବାରୁ ରାତିସାରା ଗଁାଦାଣ୍ଡରେ ପାଣି ଭାସୁଛି ବୋଲି ଜନସାଧାରଣ ପ୍ରକାଶ କରିଛନ୍ତି। ସେହିପରି ସ୍ଥାନୀୟ ସରପଞ୍ଚ ସ୍ନେହଲତା ସାହୁ କହିଛନ୍ତି, ସେ ବାରମ୍ବାର ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେମାନେ ନିଜ ଦୋଷ ଘୋଡ଼ାଇବା ସହ ପ୍ରାଚୀର ନିର୍ମାଣ ନେଇ କୌଣସି ପଦକ୍ଷେପ ନେଉନାହାନ୍ତି। ରାତିରେ ଟାଙ୍କି ଚାବି ଖୋଲାଯିବା ଫଳରେ ପାଣି ଖାଲି ହୋଇଯାଉଛି। ଫଳରେ ପଞ୍ଚାୟତ ପାଣ୍ଠିରୁ ମାସିକ ବିଦ୍ୟୁତ୍‌ ଶୁଳ୍କ ବାବଦରେ ଆବଶ୍ୟକଠାରୁ ଅଧିକ ଦିଆଯାଉଛି ବୋଲି କହିଛନ୍ତି। ଏ ସମ୍ବନ୍ଧରେ ଗ୍ରାମ୍ୟ ପାନୀୟଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ରଞ୍ଜନ ମିଶ୍ର କହିଛନ୍ତି, ପ୍ରାଚୀର କାର୍ଯ୍ୟ ପାଣିଟାଙ୍କି ଏଗ୍ରିମେଣ୍ଟରେ ନ ଥିଲା। ଅନ୍ୟ ଜଣେ ଠିକାଦାରଙ୍କୁ ପ୍ରାଚୀର ନିର୍ମାଣ କାର୍ଯ୍ୟ ଦିଆଯାଇଥିଲା, ହେଲେ ସେ ଠିକ୍‌ରୂପେ କାର୍ଯ୍ୟ ସମ୍ପାଦନ କରିନାହାନ୍ତି। ସେତେବେଳେ ସେ ଏଠାରେ କାର୍ଯ୍ୟରତ ନ ଥିଲେ। ଏନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି କହିଥିଲେ। ଏଥିସହ ପାଣିଟାଙ୍କି କରିଥିବା ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି, ମୋଟର ଘର ଯେଉଁଠି ସବୁବେଳେ ତାଲା ପଡୁଛି ସେହି ଘର ଭିତରେ ନୂତନ ଭାଲ୍ବ ଲଗାଇବେ। ଫଳରେ ବାହାରୁ ଚାବି ଖୋଲିଲେ ମଧ୍ୟ ପାଣି ଚାଲିବ ନାହିଁ। ଅନ୍ୟପଟେ ଅର୍ଦ୍ଧନିର୍ମିତ ପ୍ରାଚୀର ନିର୍ମାଣକରି ସମ୍ପୃକ୍ତ ଠିକାଦାର ବିଲ୍‌ କରିନେବା ଓ ଏଥିରେ ବିଭାଗୀୟ ଅଧିକାରୀଙ୍କ ଅପାରଗତା ନେଇ ସାଧାରଣରେ ଚର୍ଚ୍ଚା ହେଉଛି

Leave a Reply

Your email address will not be published. Required fields are marked *