ସାହିତ୍ୟ

🍁ଭୁଲ🍁

samajaina.com

               

ଦୁରାରୋଗ୍ୟ ବ୍ୟାଧି ରେ ବିଛଣା ରେ ପଡି ପଡି ଆଜି ସକାଳୁ ବାପା ଆଖି ବୁଜିଲେ । ସାରା ଘରଟା ଯାକ କାନ୍ଦ ବୋବାଳି ରେ ହୁରି ପଡ଼ିଲା । ବନ୍ଧୁ ବାନ୍ଧବ ସମସ୍ତେ ଗୋଟେ ପରେ ଗୋଟେ ଆସି ପହଞ୍ଚିଲେ ବେଭାର ପତ୍ର ଧରି । ଶବ ସତ୍କାର ପାଇଁ ଛ’ଖଣ୍ଡି ବାଉଁଶ ପାଳ ଦଉଡି ବନ୍ଧା ସରିଲା , ଧୋବାକୁ ଡାକି ବାଡି ରୁ ଆମ୍ବ ଗଛ ଟା କଟା ହେଲା । ବଡ ପୁଅକୁ ସାହି ପଡିଶାଏ ସମସ୍ତେ କହିଲେ , ” ଯା ହେବାର ତ ହୋଇଗଲାଣି ଏତେ ରାଗ ରୋଷ କରି ସେଇ ପୁରୁଣା କଥାକୁ ଗଣ୍ଠି ପକେଇ ଧରି ବସି ଲାଭ କ’ଣ ଯେ ? ଯାଆ ଭଉଣୀ ଟାକୁ ଡାକି ଆଣେ , ସେ ଗୋଡ଼ କାଢି ବସିଥିବ ଆସିବା ପାଇଁ । ଖାଲି ଯାହା ତୋ ଡରରେ ଏଠିକି ଆସୁନି ଯାହା । ଯାଆ ଯେତେ ଯାହା ହେଲେ ତୋ ଭଉଣୀ ଟା ତୋ ରକ୍ତର । ଶେଷ ବେଳେ ଥରେ ଦେଖି ଦେଉ ବାପା ମୁହଁ ଟା । “

ବଡ ପୁଅ ସୁର ହାଲ୍ଲା କରି ଉଠିଲା , ” ସେ ହାରାମଜାଦି କଥା ଯିଏ ଏ ଘରେ ଆଲୋଚନା କ‌ରିବ ଚିହ୍ନିବ ମୋତେ । ଆଉ ଯିଏ ତାକୁ ଏ ଘରକୁ ଆଣିଥିବ , କହି ଦେଉଛି ସେ ମୋ ମଲା ମୁହଁ ଦେଖିବ , ବାପ ପୁଅ ଦୁହିଁଙ୍କୁ ଗୋଟିଏ ଯୁଇ ରେ ଶୁଆଇ ଦବ ନେଇକି । ଯୋଉ ଦିନୁଁ ସେ ନିଜ ଇଚ୍ଛା ରେ ଏ ଘର ଛାଡିଛି , ସେଇ ଦିନୁଁ ଏ ଘର ପାଇଁ ସେ ମରି ସାରିଛି । ପୁଣି କାଇଁ ତା ପାଇଁ ଏ ସୁଆଙ୍ଗ ବାହାରୁଛି ତମ ମାନଙ୍କର ‌ ? ବାହାର ଲୋକ ପାଇଁ ଅଯଥା ରେ ଆଲୋଚନା କରି ସମୟ ନଷ୍ଟ ନକରିବା ଭଲ । ଆମ କାମ ଡେରି ହେଉଛି ।

ଆଉ ପଦେ ବି କେହି ଲୁନା ବିଷୟରେ ଆଲୋଚନା କରି ନଥିଲେ । କୋକେଇ ବନ୍ଧା ସରି ବୁଢାକୁ ନଈ କୂଳ ଶ୍ମଶାନ କୁ ନିଆଗଲା । ବାଟ ସାରା ଖଇ କଉଡ଼ି ବିଞ୍ଚା ଚାଲିଥାଏ ନାମ ଶୁଭୁଥାଏ ସମସ୍ତ ଙ୍କ ପାଟିରୁ ” ରାମ୍ ନାମ୍ ସତ୍ୟ ହେ… ହରି ନାମ୍ ସତ୍ୟ ହେ … ରାମ୍ ନାମ୍ ସତ୍ୟ ହେ… ହରି ନାମ୍ ସତ୍ୟ ହେ … “

ସେଇ ଗୋଟେ ଗାଁ ର ପାଖ ବଢେଇ ସାହି ରେ ବଡ଼ ଝିଅ ଲୁନା ର ଶାଶୁଘର । ତାକୁ ବା ଏ ନାମ ନ ଶୁଭିବ କେମିତି ? ସେ ବସିଥିଲା ଦୁଆର ମୁହଁ ରେ ପଥର ମୂର୍ତ୍ତି ଟିଏ ପରି । ପଡ଼ିଶା ଘର ସାବି ନୂଆ’ଉ ଆସି କହି ଦେଲା -” ଆଲୋ ଏଠି କ’ଣ ବଇଚୁ ? ତୋ ବାପା କୁ ନଈ କୂଳ କୁ ନେଲେଣି ବା ସେପଟେ ଯାଉନୁ ? “

ଲୁନା ହଠାତ୍ ବସିବା ଯାଗାରୁ ଉଠି ପଡ଼ି ଘର କବାଟ ଧଡାସ୍ କିନା ବନ୍ଦ କରି ଦେଇ ଭିତରେ ପଶିଗଲା । ଖଟ ବାଡା ରେ ମୁଣ୍ଡ କୁ ବାଡେଇ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା । ନିଜର ଛୋଟିଆ ଭୁଲ୍ ଯୋଗୁଁ ସେ ଆଜି ପରିବାର ପାଇଁ ଅଲୋଡା ଅଖୋଜା । ବଡ ଭାଇ ସାଙ୍ଗ ସହିତ ଭଲ ପାଇ ଘର ଛାଡ଼ିଥିଲା । ରାଜ୍ୟ ବାହାରକୁ ଚାଲି ଯାଇଥିଲେ ସ୍ବାମୀ ସ୍ତ୍ରୀ ଦୁହେଁ । ପ୍ରଥମ ପୁଅ ହେବା ପରେ ଗାଁ କୁ ଫେରିଥିଲେ । ଲୁନା ଭାବିଥିଲା ଏତେ ଦିନ ବିତି ଗଲାଣି ବଡ଼ ଭାଇ ଙ୍କ ରାଗ ଶାନ୍ତ ହୋଇ ଯାଇଥିବ । ଭଣଜା କୁ ଦେଖି ଆଉଟିକେ ନରମି ଯିବେ ବାପା ବି ବୁଝି ଯିବେ କ୍ଷମା କରିଦେବେ ନାତି ମୁହଁ କୁ ଚାହିଁ । କିନ୍ତୁ ସେମିତି କିଛି ବି ହୋଇ ନଥିଲା । ବଡ ଭାଇ ଙ୍କ ରାଗ ଆଗରେ ସମସ୍ତେ ତୁନି ପଡି ଯାଇଥିଲେ । କେହି ଜଣେ ବି ଆସିନଥିଲେ ଦୁଆର ମୁହଁ କୁ । ଲୁନା ର ବି ବଡ ଭାଇ ଭୟରେ ଆଉ ସାହସ କୁଳେଇ ନଥିଲା ତାର ଘର ସାମ୍ନା କୁ ଯାଇ ବାପା ଭାଇ କୁ ଭୁଲ୍ ମାଗିବାକୁ ।

ପ୍ରଥମ ଭୁଲ୍ ବାପା ଭାଇ ଙ୍କୁ ନ ଜଣେଇ ନୁଲିଆ କୁ ପସନ୍ଦ କଲା ଦ୍ଵିତୀୟ ଭୁଲ୍ ଦୁହେଁ ବାହା ହେବା କଥା ଘରେ ଗୋପନ ରଖିଲେ ଆଉ ତୃତୀୟ ଭୁଲ୍ ଏତେ ସବୁ ପରେ ବି ନିଜ ଭୁଲ୍ ସ୍ବୀକାର କରି କ୍ଷମା ମାଗିବାକୁ ଥରେ ହେଲେ ବାପ ଘର ଦୁଆର ମୁହଁ କୁ ଗଲାନି ସେ । ତାର ଫଳ ସ୍ଵରୁପ ଆଜି ସେ ଏ ଦଣ୍ଡ ଭୋଗୁଛି । ବାପ ବିୟୋଗ ଶୋକ ସଭା ରେ ଯୋଗ ଦେଇ ପାରିଲାନି ବାପ ମୁହଁ ରେ ଶେଷ ଭାତ ଦେଇ ପାରିଲାନି , କୋକେଇରେ ଘର ଡିହ ମାଟି ମୁଠାଏ ବି ପକେଇ ପାରିଲାନି । ଆଉ ତ ଆଉ ମନଭରି ଛାତି ରେ ହାତ ବାଡେଇ ବଡ଼ ପାଟିରେ , “ମୋ ବାପା ” ବୋଲି କହି କାନ୍ଦି ବି ପାରିଲାନି । ଲୁନା ର ଛାତି ଫାଟି ଯାଉଛି ଏତେ କଥା ସବୁ ଭାବିକି ।

ଶେଷ ବେଳକୁ ତା ବାପା କ’ଣ ତାଙ୍କ ବଡ ଝିଅ କୁ ଖୋଜି ନଥିଲେ ଟିକେ ବି ? ଖବର ଦେଲେନି ଥରେ ଅଧେ କାହା ହାତରେ ଗଲ ଗଲ ମୋ ଲୁନୁରୀ କୁ ଟିକେ ଡାକି ଆଣିବ ମୁଁ ତାକୁ ଥରେ ଆଖି ପୁରେଇ ଟିକେ ଦେଖି ଦିଏ । ନହେଲେ ଏମିତି ବି କହିଲେନି ଲୁନୁରୀ ହାତ ର ନାଲି ଚାଆ କୋଉ ଯୁଗରୁ ପିଇନି ତା ଭଳି ଚାଆ କେହି ବି କରି ପାରନ୍ତିନି .. ଗଲ ଗଲ ଟିକେ ଡାକିଦବ ତେଜପତ୍ର ଗୋଲ ମରିଚ ଅଦା ପକେଇ କି କଡା ନାଲି ଚାଆ ଅଧକଂସା କରୁ ମୋ ପାଇଁ .. ।

ସତରେ କ’ଣ କ୍ରୋଧ ଆଉ ସ୍ବାଭିମାନ ଠାରୁ ନିଜର ସ୍ନେହ ଆଦର ଭଲପାଇବା ଲୋଡ଼ିବା ପଣ ହାରିଯାଏ ?

Leave a Reply

Your email address will not be published. Required fields are marked *