ଦେଶ- ବିଦେଶ

କୋଇଲା ଖଣି ଭୁଶୁଡ଼ି ୩ ମୃତ, ୧୫ ଆହତ

ଧନବାଦ: ଧନବାଦର ଝରିଆ କୋଲଫିଲ୍ଡରେ ରାଷ୍ଟ୍ରାୟତ୍ତ ବିସିସିଏଲ୍ (ଭାରତ କୋକିଂ କୋଲ୍ ଲିମିଟେଡ୍)ର ଏକ କୋଇଲା ଖଣି ଭୁଶୁଡ଼ି ପଡ଼ିବାରୁ କୋଇଲା ଉତ୍ତୋଳନ କରୁଥିବା ପ୍ରାୟ ଦେଢ଼ ଡଜନ ଲୋକ ପୋତି ହୋଇଯାଇଥିଲେ । ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ରୁ ୧୫ ଜଣ ଆହତ ହୋଇଛନ୍ତି । ଆଜି ସକାଳେ ବିସିସିଏଲର ଭଉରା କୋଲିଏରି ଅଂଚଳରେ ଏହି ଘଟଣା ଘଟିଛି। ଦେବପ୍ରଭା ନାମକ ଏକ ଆଉଟସୋର୍ସିଂ କମ୍ପାନି ଏହି ଖଣିରେ ଖଣି ଖନନ କରୁଥିଲା ।ପ୍ରତିଦିନ ବହୁ ସଂଖ୍ୟକ ଲୋକ ଏହି ରାଷ୍ଟ୍ରାୟତ୍ତ ଖଣିରେ ବେଆଇନ ଖନନ କରି କୋଇଲା ଉତ୍ତୋଳନ କରିଥାନ୍ତି । ଶୁକ୍ରବାର ସକାଳେ କିଛି ଲୋକ ବେଆଇନ ଭାବେ କୋଇଲା ଖନନ ପାଇଁ ସେଠାରେ ପ୍ରବେଶ କରିଥିବାବେଳେ ଖଣିର ଛାତ ହଠାତ୍ ଭୁଶୁଡ଼ି ପଡ଼ିଥିଲା । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ କୋଇଲା ଭଗ୍ନାବଶେଷତଳୁ ୧୪-୧୫ ଜଣଙ୍କୁ ବାହାର କରାଯାଇଛି, ସେମାନଙ୍କ ମଧ୍ୟରୁ କେତେକ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଉଭୟ ମୃତଦେହକୁ ବିସିସିଏଲ୍ ଭୋରା ଅଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ରଖି ଗେଟ୍ ଅବରୋଧ କରିବା ସହ  ପ୍ରତିବାଦ କରିଥିଲେ ।

Leave a Reply

Your email address will not be published. Required fields are marked *