ମୁଖ୍ୟ ଖବର

ଡ୍ରାଇଭର ମାନଙ୍କ ପାଇଁ ସରକାର ଘୋଷଣା କଲେ କଲ୍ୟାଣ ଯୋଜନା

ଭୁବନେଶ୍ୱର: ଗତ ମାର୍ଚ୍ଚ ମାସରେ ଡ୍ରାଇଭରମାନେ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ | ଆଉ ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ଅତ୍ୟାବଶ୍ୟକ ସମାଗ୍ରୀ ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା। ବିଶେଷ କରି ବାହାର ରାଜ୍ୟରୁ ଆସୁଥିବା ପନିପରିବା, ଫଳ ସହ ପେଟ୍ରୋଲ/ଡିଜେଲ ଯୋଗାଣ ଶୃଙ୍ଖଳା ବିଶେଷ ପ୍ରଭାବିତ ହୋଇଥିଲା | ଡ୍ରାଇଭର ଏକତା ମହାମଞ୍ଚ ୧୦ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା। ଦାବି ମଧ୍ୟରେ ଡ୍ରା‌ଇଭରମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା, ଲୋକଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ଆଣିବା, ୫୫ବର୍ଷ ପରେ ମାସିକ ୫ହଜାର ଟଙ୍କା ପେନସନ ପ୍ରଦାନ ସହ ଗୃହ ନିର୍ମାଣ ପାଇଁ ୫ଲକ୍ଷ ସହାୟତା, ରାସ୍ତାର ୧୦୦ କି.ମି ଅନ୍ତରରେ ବିଶ୍ରାମାଗାର ଓ ଗାଡ଼ି ପାର୍କିଂ ସ୍ଥଳ ନିର୍ମାଣ କରାଯାଉ। ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭରଙ୍କୁ ୨୦ଲକ୍ଷ ଟଙ୍କାର ବୀମା ଓ ଅଙ୍ଗ ହରାଇଲେ ୧୦ଲକ୍ଷ ବୀମା ସହିତ ଚିକିତ୍ସା ସହାୟତା, ଡ୍ରାଇଭର ସଂଖ୍ୟା ସର୍ଭେ ଓ କାର୍ଯ୍ୟ ସମୟସୀମା ଧାର୍ଯ୍ୟ କରିବା, ଡ୍ରାଇଭରଙ୍କୁ ଦ୍ବିତୀୟ ସୈନିକ ମାନ୍ୟତା, ସେମାନଙ୍କ ପିଲାମାନଙ୍କ ଉଚ୍ଚଶିକ୍ଷାର ବ୍ୟବସ୍ଥା, ଗାଡ଼ି ଚେକିଂ ଆଳରେ ଡ୍ରାଇଭରଙ୍କୁ ହଇରାଣ ନ କରିବା ଓ ଡ୍ରାଇଭିଂ ଲାଇସେନ୍ସ ୧୫ହଜାର ଟଙ୍କାକୁ କମାଇବା ଦାବି ରହିଥିଲା।ଏହାପରେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଡ୍ରାଇଭର ମହାମଞ୍ଚକୁ ଆନ୍ଦୋଳନରୁ ଓହରିଯିବାକୁ ନିବେଦନ କରିଥିଲେ। ରାଜ୍ୟ ସରକାର ତିନି ମାସର ସମୟ ନେଇଥିଲେ | ଆଉ ଏହି କ୍ରମରେ ଆଜି ଓଡ଼ିଶା ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନା ଏବଂ କଲ୍ୟାଣ ବୋର୍ଡ ଗଠନକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ମୋଟର ଯାନ ଡ୍ରାଇଭର ବା କର୍ମଚାରୀଙ୍କ ନିକଟତମ ଆତ୍ମୀୟ ୪ଲକ୍ଷ ଟଙ୍କା ପାଇବାକୁ ଥିବାବେଳେ ଗଭୀର ଆଘାତ କ୍ଷେତ୍ରରେ ୮୦ ହଜାର ଟଙ୍କା ପାଇବେ | ଏଥିସହ ସ୍ଥାୟୀ ଅକ୍ଷମତା ମାମଲାରେ ଡ୍ରାଇଭର ଓ କର୍ମଚାରୀଙ୍କୁ ୧ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯିବ। ୧୮ ବର୍ଷ ରୁ ୬୦ ବର୍ଷର ଲୋକ ଯୋଜନାର ଲାଭ ପାଇପାରିବେ | ସେହିପରି ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା, ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯିବ ବୋଲି ଘୋଷଣା କରାଯାଇଛି । ଏହି ଯୋଜନାରେ ୫ଲକ୍ଷରୁ ଉର୍ଦ୍ଧ୍ୱ ମୋଟର ଯାନ ଡ୍ରାଇଭର ଉପକୃତ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *