ଅପରାଧ

ସୁଟକେଶରେ ଭର୍ତ୍ତି କରି ଥାନାକୁ ଆଣିଲେ ମା’ର ମୃତଦେହ

ବେଙ୍ଗାଲୁରୁ: ନିତିଦିନ ଲାଗୁଥିବା ଝଗଡା ପାଇଁ ମାଙ୍କୁ ହତ୍ୟା କଲେ ଜଣେ ମହିଳା | ମାଙ୍କୁ ହତ୍ୟା କରିବା ପରେ ଏକ ସୁଟକେଶରେ ତାଙ୍କ ମୃତଦେହ ଭର୍ତ୍ତି କରି ଥାନାରେ ଆତ୍ମସମର୍ପଣ କଲେ ମହିଳା | କର୍ଣ୍ଣାଟକର ବେଙ୍ଗାଲୁରୁରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ୩୯ ବର୍ଷୀୟ ଫିଜିଓଥେରାପିଷ୍ଟ ଥିବା ଜଣେ ମହିଳା ତାଙ୍କ ମା’ଙ୍କୁ ହତ୍ୟା କରିଥିଲେ | ଘରେ ବାରମ୍ବାର ଝଗଡା ଲାଗୁଥିବାରୁ ମହିଳାଜଣକ ଏଭଳି ପଦକ୍ଷେପ ନେଇଥିବାର ଜଣାପଡିଛି | ପୁଲିସ କହିଛି ଯେ ମହିଳା ଜଣକ ତାଙ୍କ ମା’ଙ୍କ ମୃତଦେହକୁ ଏକ ସୁଟକେସରେ ଭର୍ତ୍ତି କରି ପୁଲିସ ଷ୍ଟେସନକୁ ଆଣିଥିଲେ। ପୁଲିସ ଷ୍ଟେସନରେ ମହିଳା ଜଣକ କାହିଁକି ହତ୍ୟା କଲେ ତାହାର କାରଣ କହି ଆତ୍ମସମର୍ପଣ କରିଛନ୍ତି |ଅନ୍ୟପକ୍ଷରେ ପୁଲିସ ମୃତଦେହକୁ ଜବତ କରିବା ସହ ମହିଳାଙ୍କୁ ଗିରଫ କରି ତଦନ୍ତ କରୁଛି | ପୁଲିସର ସୂଚନା ମୁତାବକ ଅଭିଯୁକ୍ତ ମହିଳା ଫିଜିଓଥେରାପିଷ୍ଟ ମୂଳତଃ ପଶ୍ଚିମବଙ୍ଗର ହୋଇଥିବାବେଳେ ସେ ତାଙ୍କ ମାଙ୍କ ସହ ବାଙ୍ଗାଲୋରର ଏକ ଫ୍ଲାଟରେ ରହୁଥିଲେ। ତେବେ ମହିଳାଜଣକ ପୁଲିସକୁ ଦେଇଥିବା ସୂଚନାନୁସାରେ, ଘରେ ନିତିଦିନିଆ ତାଙ୍କ ମା’ଙ୍କ ସହ କଳି ଲାଗୁଥିବାରୁ ସେ ତାଙ୍କ ମା’ଙ୍କୁ ହତ୍ୟା କରିଛନ୍ତି। ପୁଲିସ କହିଛି ଯେ ଅଭିଯୁକ୍ତ ମହିଳା ବିବାହିତ। ଏହି ଘଟଣା ସମୟରେ ତାଙ୍କ ସ୍ୱାମୀ ଘରେ ନଥିଲେ। ପୋଲିସର ସୂଚନାନୁସାରେ, ଏହି ଘଟଣାରେ ଅଭିଯୁକ୍ତ ମହିଳାଙ୍କ ଶାଶୁ ଘରେ ଉପସ୍ଥିତ ଥିଲେ ମଧ୍ୟ ସେ କିଛି ଜାଣିପାରିନଥିଲେ।

Leave a Reply

Your email address will not be published. Required fields are marked *