ରାଜ୍ୟ

ପୋତାଶ୍ରୟରେ ଖସି ଅଧିକାରୀଙ୍କ ଜୀବନ ଗଲା

ପାରାଦୀପ : ପାରାଦୀପ ବନ୍ଦର ପୋତାଶ୍ରୟରେ ବୁଧବାର ସକାଳେ ଡିସିଆଇ(ଡ୍ରେଜିଂ କର୍ପୋରେଶନ ଇଣ୍ଡିଆ)ଜାହାଜରେ ଅଘଟଣ ଘଟିଛି। ଡ୍ରେଜିଂ ଜାହାଜ ୧୭ର ସେକେଣ୍ଡ ଅଫିସର ପାଣିରେ ବୁଡିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଆଉ ଜଣେ ସି ମ୍ୟାନ (ନାବିକ) ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ହେଲେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା, ନରଶିପାଟଣାମ ଥାନା ଅନ୍ତର୍ଗତ ଭେଙ୍କୁନାଇପେଟା ୩୯/୧୧୧ପ୍ଲଟ ବାସିନ୍ଦା ୟାଲୋସେଟ୍ଟି ଅଶୋକ (୩୦)। ଡିସିଆଇ ଡ୍ରେଜିଂ ଜାହାଜ ପୋତାଶ୍ରୟରେ କିଛି କାମ କରୁଥିବା ବେଳେ ଯାନ୍ତ୍ରିକ ତୃଟି ଦେଖା ଦେଇଥିଲା। ଏହାକୁ ସଜାଡିବା ପାଇଁ ଓ୍ବାଇ ଅଶୋକ ଓ ନାବିକ ତଳକୁ ଓହ୍ଲାଇବା ବେଳେ ପାଣିରେ ପଡ଼ିଯାଇଥିଲେ। ଅଶୋକ ସୁରକ୍ଷା ପୋଷାକ ପିନ୍ଧି ଥିବା ସତ୍ତ୍ୱେ ସେ ଲୁଣି ପାଣି ପିଇ ଦେଇଥିଲେ। ନାବିକ ବିନା ସୁରକ୍ଷା ପୋଷାକ ଯୋଗୁ ପହଁରିଥିଲେ। ଦୁଇଜଣଙ୍କୁ ଉଦ୍ଧାର କରି ତୁରନ୍ତ ପାରାଦୀପ ବନ୍ଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଅଶୋକଙ୍କୁ ମୃତ ଘୋଷଣା କରିଥିଲେ। ଆହତ ନାବିକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଏହାକୁ ନେଇ ଜାହାଜ କ୍ୟାପଟେନ ମେରାଇନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪/୨୩ରେ ଅପମୃତ୍ୟୁ ମାମଲା ରୁଜୁ କରିଛି ଏବଂ ମୃତଦେହ ବ୍ୟବଚ୍ଛେଦ କରି ଚିକିତ୍ସାଳୟରେ ସଂରକ୍ଷିତ ରଖିଛି। ପରିବାର ଲୋକେ ପହଞ୍ଚିବା ପରେ ତାଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଥାନାଧିକାରିଣୀ ଲିଜାରାଣୀ ବିଶ୍ବାଳ କହିଛନ୍ତି।

Leave a Reply

Your email address will not be published. Required fields are marked *