ମନୋରଞ୍ଜନ

ପର‌ଲୋକରେ ବଲିଉଡ କଣ୍ଠଶିଳ୍ପୀ ଶାରଦା ରାଜନ

ନୂଆଦିଲ୍ଲୀ: ପର‌ଲୋକରେ ଲୋକପ୍ରିୟ କଣ୍ଠଶିଳ୍ପୀ ଶାରଦା ରାଜନ। କଣ୍ଠଶିଳ୍ପୀ ତଥା ସ୍ବର ସଂଯୋଜିକା ଶାରଦା ରାଜନଙ୍କ ୮୬ବର୍ଷ ବୟସରେ ଦେହାନ୍ତ ହୋଇଥିବା ଜଣାପଡ଼ିଛି। ସେ ଗତ କିଛି ଦିନ ହେଲାଣି କର୍କଟ ରୋଗରେ ପୀଡ଼ିତ ଥିଲେ। ଚଳଚ୍ଚିତ୍ର ‘ସୂରଜ’ରେ ଥିବା ‘ତିତଲୀ ଉଡି’ ଗୀତ ପାଇଁ ତାଙ୍କୁ ଲୋକପ୍ରିୟତା ମିଳିଥିଲା। ସେ ଅଭିନେତ୍ରୀ ରାଜଶ୍ରୀଙ୍କ ପାଇଁ ଅନେକ ଗୀତ ଗାଇଥିଲେ।

ସୂଚନା ମୁତାବକ, ତାଙ୍କର ସମ୍ପୂର୍ଣ୍ଣ ନାମ ଶାରଦା ରାଜନ ଆୟଙ୍ଗର । ସେ ଏକ ତାମିଲ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ପ୍ରବେଶ ରାଜ କପୁରଙ୍କ କାରଣରୁ ହୋଇଥିଲା। ରାଜ କପୁର ହିଁ ତାଙ୍କୁ ସଙ୍ଗୀତ ନିର୍ଦ୍ଦେଶକ ଶଙ୍କର-ଜୟକିଶାନଙ୍କ ସହ ପରିଚିତ କରାଇଥିଲେ। ଏହା ପରେ ତାଙ୍କୁ ଫିଲ୍ମ ସୂରଜରେ ଗାଇବାର ପ୍ରଥମ ସୁଯୋଗ ମିଳିଥିଲା। ତାଙ୍କର ଡେବ୍ୟୁ ଫିଲ୍ମ ପାଇଁ ତାଙ୍କୁ ମହମ୍ମଦ ରଫିଙ୍କ ସହ ଫିଲ୍ମଫେୟାର ପୁରସ୍କାର ମଧ୍ୟ ମିଳିଥିଲା। ଲତା ମଙ୍ଗେଶକର ଏବଂ ଆଶା ଭୋସଲେ ସେହି ସମୟର ଅଧିକାଂଶ ଚଳଚ୍ଚିତ୍ରରେ ଗୀତ ଗାଉଥିଲେ। ଏହି ସମୟରେ ଶାରଦାଜୀଙ୍କର ସ୍ବର ଏକ ବଡ଼ ପରିବର୍ତ୍ତନ ଆଣିଥିଲା ​। ଲୋକମାନେ ତାଙ୍କ ସ୍ୱରକୁ ଭଲପାଇବା ଦେଇଥିଲେ।

‘ଆନ୍ ଇଭନିଙ୍ଗ ଇନ୍ ପ୍ୟାରିସ୍’, ‘ଆରାଉଣ୍ଡ ୱାର୍ଲ୍ଡ’, ‘ଗୁମନାମ୍’, ‘ସପ୍ନୋ କା ସୌଦାଗର’, ‘କଲ ଆଜ ଔର କଲ’ ଭଳି ଚଳଚ୍ଚିତ୍ର ପାଇଁ ମଧ୍ୟ ସେ ଗୀତ ଗାଇଥିଲେ। ସେହି ସମୟରେ ସେ ବୈଜନ୍ତୀମାଲା, ମୁମତାଜ, ରେଖା, ଶର୍ମିଲା ଟାଗୋର, ହେମା ମାଲିନିଙ୍କ ପରି ଅଭିନେତ୍ରୀମାନଙ୍କ ପାଇଁ ସ୍ୱର ଦେଉଥିଲେ।

Leave a Reply

Your email address will not be published. Required fields are marked *