ମୁଖ୍ୟ ଖବର

ଟ୍ରକ୍-ହାତୀ ଧକ୍କା: ୩ ହାତୀଛୁଆ ମୃତ

ଚିତ୍ତୂର: ବୁଧବାର ରାତିରେ ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲାର ପାଲାମାନେରୁ ମଣ୍ଡଳରେ ସଡ଼କ ଦୁର୍ଘଟଣା ଯୋଗୁଁ ୩ଟି ହାତୀଛୁଆଙ୍କର ମୃତ୍ୟୁ ଘଟିଥିବା କଥା ବନ ବିଭାଗ ଅଧିକାରୀମାନେ କହିଛନ୍ତି।

ସ୍ଥାନୀୟ ବାସିନ୍ଦାଙ୍କଠାରୁ ସଂଗୃହୀତ ସୂଚନା ଅନୁସାରେ, ଚିତ୍ତୂର-ପାଲାମାନେରୁ ଜାତୀୟ ରାଜପଥ ଅନ୍ତର୍ଗତ ଜାଗମର୍ଲା ଛକ ନିକଟରେ ରାସ୍ତା ପାରି ହେଉଥିବା ହାତୀମାନଙ୍କ ଉପରେ ଟ୍ରକ୍‌ଟି ଧକ୍କା ଖାଇଥିଲା।

ଏହି ପଲରେ ଥିବା ହାତୀମାନଙ୍କ ମଧ୍ୟରେ ଥିଲା ଗୋଟିଏ ପ୍ରାପ୍ତ ବୟସ୍କା ମାଈହାତୀ, ଦୁଇଟି କିଶୋର ଅଣ୍ଡିରା ହାତୀ ଓ ଗୋଟିଏ  ଛୁଆ ମାଈହାତୀ। ସେମାନଙ୍କ ମଧ୍ୟରୁ କେବଳ ବଡ଼ ମାଈହାତୀଟି ରକ୍ଷା ପାଇଯାଇଛି। ଧକ୍କା ଦେଇଥିବା ଲରି ଟ୍ରକ୍‌ର ସମ୍ମୁଖ ଅଂଶଟି ମଧ୍ୟ ଭାଙ୍ଗି ଚୂର୍‌ମାର ହୋଇଯାଇଛି। ଉକ୍ତ ଟ୍ରକ୍‌କୁ ଜବତ କରାଯାଇଛି।

ଖବର ପାଇବାକ୍ଷଣି ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆମ୍ଭ କରିବା ସହିତ ରାଜପଥରୁ ମୃତହାତୀମାନଙ୍କୁ ଉଠାଇବାର ବ୍ୟବସ୍ଥା କରିଥିଲେ।

ଚିତ୍ତୂର ଡିଭିଜ୍‌ନାଲ୍‌ ଫରେଷ୍ଟ ଅଫିସର୍‌ ଚୈତନ୍ୟ କୁମାର ରେଡ୍ଡୀ ଗଣମାଧ୍ୟମକୁ କହିଛନ୍ତି, ରାସ୍ତା ପାରି ହେଉଥିବା ହାତୀପଲକୁ ଲରି ଟ୍ରକ୍‌ ଧକ୍କା ଦେଇଛି। ଗାଡ଼ିଟି ଅତି ଦ୍ରୁତ ବେଗରେ ଚାଲୁଥିଲା। ସମ୍ଭବତଃ ଚାଳକ ନିଶାଗ୍ରସ୍ତ ଥିଲେ। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ ଡ୍ରାଇଭର୍‌ ଫେରାର ହୋଇଯାଇଛନ୍ତି। ଡ୍ରାଇଭର୍‌ମାନେ ବେପରୁଆ ଭାବେ ଟ୍ରକ୍‌ ଚଳାଉଥିବାରୁ ଏଭଳି ଦୁର୍ଘଟଣା ଘଟୁଛି।

ଡ୍ରାଇଭର୍‌କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବନ ବିଭାଗ କର୍ମଚାରୀମାନେ ଘଟଣାର ଅଧିକ ତଦନ୍ତ କରୁଛନ୍ତି।

Leave a Reply

Your email address will not be published. Required fields are marked *