ରାଜନୀତି

କଂଗ୍ରେସ ପ୍ରଭାରୀଙ୍କ ପ୍ରଦର୍ଶନ ନୈରାଶ୍ୟଜନକ

ନୂଆଦିଲ୍ଲୀ : ଦାୟିତ୍ବ ମୁକ୍ତ ହୋଇପାରନ୍ତି ଓଡ଼ିଶା କଂ‌ଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର। ସେ ନିଜଆଡ଼ୁ କଂଗ୍ରେସ ସଭାପତିଙ୍କୁ ଅନୁରୋଧ କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପରିପେକ୍ଷୀ‌ରେ କଂଗ୍ରେସ ଅଧ୍ୟକ୍ଷ ମାଲିକାର୍ଜୁନ ଖଡ଼ଗେ ଖୁବ ଶୀଘ୍ର ନୂଆ ଟିମ୍‌ ଘୋଷଣା କରିବାର ସମ୍ଭାବନା ରହିଛି। ଏଥିରେ ଓଡ଼ିଶା ସହ ଦିଲ୍ଲୀ, ପଞ୍ଜାବ, ଉତ୍ତରପ୍ରଦେଶ ଓ କେରଳ ପ୍ରଭାରୀମାନଙ୍କୁ ପରିବର୍ତ୍ତନ କରାଯିବ।

କିଛି ବର୍ଷ ହେଲା ଓଡ଼ିଶାରେ କଂଗ୍ରେସ ପ୍ରଭାରୀଙ୍କ ପ୍ରଦର୍ଶନ ସନ୍ତୋଷଜନକ ନୁହେଁ। ୨୦୧୪ ଓ ୨୦୧୯ ସାଧାରଣ ଓ ବିଧାନସଭା ନିର୍ବାଚନର ଫଳାଫଳକୁ ଅନୁଧ୍ୟାନ କଲେ ସେହି ସମୟରେ ଓଡ଼ିଶା ଦାୟିତ୍ବରେ ଥିବା ପ୍ରଭାରୀମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। କେବଳ ସାଧାରଣ ଓ ବିଧାନସଭା ନିର୍ବାଚନରେ ନୁହେଁ, ପଂଚାୟତ ନିର୍ବାଚନରେ ମଧ୍ୟ ପ୍ରଭାରୀମାନଙ୍କ ରଣନୀତି ଓ ନିର୍ବାଚନ ପରିଚାଳନା ଫେଲ ମାରିଥିଲା। ଜଗଦୀଶ ଟାଇଟଲରଙ୍କୁ ଜୁନ ୧୬, ୨୦୧୩ରେ ଓଡିଶାର ପ୍ରଭାରୀ ଦାୟିତ୍ବରୁ ହଟାଇଦେବା ପରେ କଂଗେସ ନେତା ବି.କେ ହରିପ୍ରସାଦଙ୍କୁ ଓଡ଼ିଶାର ପ୍ରଭାରୀ ଭାବେ ନିଯୁକ୍ତି କରାଯାଇଥିଲା। ହେଲେ ୨୦୧୪ରେ ରାଜ୍ୟରେ କଂଗ୍ରେସର ଲୋକସଭା ଓ ବିଧାନସଭାର‌ ପ୍ରଦର୍ଶନ ଉତ୍ସାହଜନକ ନଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ଦଳୀୟ ବିଶୃଙ୍ଖଳା କାରଣରୁ କଂଗ୍ରେସ ରାଜ୍ୟରେ ତିନି ନମ୍ବର ସ୍ଥାନକୁ ଆସିଥିଲା ଓ ୧୭ ପ୍ରତିଶତ ଭୋଟ ପାଇଥିଲା। ପଂଚାୟତ ନିର୍ବାଚନରେ ବିଫଳତା ପାଇଁ ହରିପ୍ରସାଦ ନିଜକୁ ଦାୟୀ କରି ପଦରୁ ଇସ୍ତଫା ଦେଇଥିଲେ। ‌‌ସେତେବେଳେ ହାଇକମାଣ୍ଡ ତାଙ୍କର ଇସ୍ତଫାପତ୍ରକୁ ଅଗ୍ରାହ୍ୟ କରିଦେଇଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟରେ ଅନେକ ନେତା ହରିପ୍ରସାଦଙ୍କୁ ପ୍ରଭାରୀ ଦାୟିତ୍ବରୁ ହଟାଇବା ପାଇଁ ଦିଲ୍ଲୀରେ ହାଇକମାଣ୍ଡଙ୍କ ନିକଟରେ ଫେରାଦ ହୋଇଥିଲେ।

ମାର୍ଚ୍ଚ ୩୦, ୨୦୧୮ରେ ହରିପ୍ରସାଦଙ୍କୁ ପ୍ରଭାରୀ ଦାୟିତ୍ବରୁ ହଟାଇ ତାଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ଓଡ଼ିଶା ପ୍ରଭାରୀରୁପେ ନିଯୁକ୍ତି କରାଯାଇଥିଲା। ସେତେବେଳେ ଜିତେନ୍ଦ୍ର ସିଂହ ରାହୁଲ ଗାନ୍ଧିଙ୍କ ଟିମ୍‌ର ମୁଖ୍ୟ ସଦସ୍ୟ ଥିଲେ। ଜିତେନ୍ଦ୍ର ସିଂହଙ୍କ ନେତୃତ୍ବରେ ଦଳ ଆଗକୁ ଯିବ ବୋଲି କଂଗ୍ରେସ କର୍ମୀମାନେ ଆଶା କରିଥିଲେ। ପ୍ରଭାରୀ ଭାବେ ଦେଢ଼ ବର୍ଷ କାର୍ଯ୍ୟ କରିବା ସତ୍ତ୍ବେ ପାର୍ଟିକୁ ସଜାଡିବାରେ ତାଙ୍କୁ ମଧ୍ୟ ବିଶେଷ ସଫଳତା ମିଳିନଥିଲା। ୨୦୧୯ର ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରର୍ଦଶନ ତାଙ୍କର ନିର୍ବାଚନ ପରିଚଳନା ଓ ସଂଗଠନ ଦକ୍ଷତା ଉପରେ ପ୍ରଶ୍ନ ଉଠିଥିଲା।

ସେ‌ପ୍ଟେମ୍ବର ୧୧, ୨୦୨୦ରେ ତାମିଲନାଡ଼ୁର ବରିଷ୍ଠ ନେତା ତଥା କଂଗ୍ରେସ ସାଂସଦ ଚେଲ୍ଲାକୁମାରଙ୍କୁ ଜିତେନ୍ଦ୍ର ସିଂହଙ୍କ ସ୍ଥାନରେ ଓଡିଶାର ପ୍ରଭାରୀ ଦାୟିତ୍ବ ଦିଆଯାଇଥିଲା। ଚେଲ୍ଲାକୁମାର ମଧ୍ୟ ରାଜ୍ୟ କଂଗ୍ରେସରେ ଜୀବନ ସଂଚାର କରିବାରେ ବିଫଳ ରହିଛନ୍ତି।। ତାଙ୍କର କାର୍ଯ୍ୟକାଳରେ ଓଡ଼ିଶାରେ ଯେ‌ତେଗୁଡିଏ ବିଧାନସଭାର ଉପନିର୍ବାଚନ ହୋଇଛି, ସେଥିରେ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଗତ ବର୍ଷ ହୋଇଥିବା ପଂଚାୟତ ନିର୍ବାଚନରେ ଓଡ଼ିଶା କଂଗ୍ରେସକୁ ୧୩ ପ୍ରତିଶତ ଭୋଟ ମିଳିଥିଲା । ପ୍ରଭାରୀ ଦାୟିତ୍ବ ନେବା ପରଠାରୁ ରାଜ୍ୟ କଂଗ୍ରେସର ଗୋଷ୍ଠୀ କନ୍ଦଳ ଉପରେ ଅଙ୍କୁଶ ଲଗାଇବାରେ ଚେଲ୍ଲାକୁମାର ସଫଳ ହୋଇପାରିନଥିବା କୁହାଯାଉଛି। ଆଗକୁ ସାଧାରଣ ନିର୍ବାଚନ ପାଇଁ ବର୍ଷକରୁ କମ ସମୟ ରହିଛି। ଏମିତିରେ ଚେଲ୍ଲାକୁମାରଙ୍କ ସ୍ଥାନରେ ଯାହାକୁ ଓଡ଼ିଶା କଂଗ୍ରେସର ପ୍ରଭାରୀ ଦାୟିତ୍ବ ମିଳିବ ତାଙ୍କ ପାଇଁ ନିଶ୍ଚିତ ଏହି ପଦବି ଆହ୍ବାନ ହେବ ବୋଲି ରାଜନୀତି ସମୀକ୍ଷକ ମତ ପ୍ରକାଶ କରିଛନ୍ତି

Leave a Reply

Your email address will not be published. Required fields are marked *