ଦେଶ- ବିଦେଶ

ଦୀପାବଳିରେ ନ୍ୟୁୟର୍କରେ ସ୍କୁଲ ଛୁଟି

ନ୍ୟୁୟର୍କ : ଆମେରିକାର ପେନ୍ସିଲଭାନିଆ ପରେ ନ୍ୟୁୟର୍କରେ ମଧ୍ୟ ଦୀପାବଳିରେ ସ୍କୁଲ ଛୁଟି ରହିବ । ଏ ନେଇ ନ୍ୟୁୟର୍କ ରାଜ୍ୟ ବିଧାନସଭାରେ ଏକ ବିଲ୍ ଗୃହୀତ ହୋଇଛି । ନ୍ୟୁୟର୍କ ରାଜ୍ୟ ବିଧାନସଭା ଗତ ସପ୍ତାହରେ ଏହି ବିଲ୍ ଆଗତ ହୋଇଥିଲା ।

ଗତ ସପ୍ତାହରେ ଅଧିବେଶନ ଶେଷ ହେବା ପୂର୍ବରୁ ଉଭୟ ସିନେଟ୍ ଓ ବିଧାନସଭାରେ ମତଦାନ ହୋଇଥିଲା। ଏବେ ଏ ସଂକ୍ରାନ୍ତରେ ଆଇନ ପ୍ରଣୟନ ପାଇଁ ଗଭର୍ଣ୍ଣର କ୍ୟାଥି ହୋଚୁଲଙ୍କ ନିକଟକୁ ବିଲ୍ ପଠାଯାଇଛି । ଗଭର୍ଣ୍ଣରଙ୍କ ସ୍ବାକ୍ଷର ପରେ ଏହା ଆଇନରେ ପରିଣତ ହେବ ।

ଏହି ଆଇନ ପାରିତ ହେବା ପରେ ମେୟର ଏରିକ୍ ଆଡାମ୍ସ ଦୀପାବଳିକୁ ପାଳନ କରୁଥିବା ୨ ନିୟୁତରୁ ଅଧିକ ନ୍ୟୁୟର୍କବାସୀଙ୍କ ପାଇଁ ସ୍କୁଲ ଛୁଟି ଘୋଷଣା କରିପାରିବେ । ଏହା ଦ୍ୱାରା ନ୍ୟୁୟର୍କରେ ରହୁଥିବା ହିନ୍ଦୁ, ଶିଖ, ଜୈନ କିମ୍ବା ବୌଦ୍ଧ ସମ୍ପ୍ରଦାୟର ଭାରତୀୟମାନେ ଉପକୃତ ହେବେ।

କେବଳ ପେନସିଲଭାନିଆ ବା ନ୍ୟୁୟର୍କ ନୁହେଁ, ଆମେରିକାର ସଂଘୀୟ ସରକାର ବି ଦୀପାବଳିକୁ ଛୁଟି ଘୋଷଣା କରିବାକୁ ଯୋଜନା କରୁଛନ୍ତି । ଯଦି ଦୀପାବଳି ଦିବସ ଆଇନକୁ ରାଷ୍ଟ୍ରପତି ଆଇନରେ ପରିଣତ କରନ୍ତି, ତେବେ ଦୀପାବଳି ପର୍ବ ଆମେରିକାରେ ଦ୍ୱାଦଶ ସ୍ୱୀକୃତିପ୍ରାପ୍ତ ଛୁଟିରେ ପରିଣତ ହେବ । ଏହା ପୂର୍ବରୁ ଏହି ବିଲ୍ ଦୁଇ ଥର ବିଫଳ ହୋଇଥିଲା। ୨୦୨୧ରେ ପ୍ରଥମେ ଏହି ବିଲ୍ ଆଗତ ହୋଇଥିଲା, ଯେଉଁଥିରେ ବିଫଳ ହେବା ପରେ ୨୦୨୨ ଅକ୍ଟୋବରରେ ଏହାକୁ ପୁଣି ଥରେ ଆଗତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *