ଅପରାଧ

ପ୍ରେମୀଯୁଗଳଙ୍କୁ ହତ୍ୟା କରି ଫିଙ୍ଗିଦେଲେ ପରିବାର ଲୋକ

ଭୋପାଳ: ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପ୍ରେମ ବିରୋଧରେ ଥିବା ପରିବାର ଲୋକ ଜଣେ ୧୮ ବର୍ଷର ବାଳିକା ଏବଂ ତାଙ୍କ ୨୧ ବର୍ଷର ପ୍ରେମିକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରିବାର ଲୋକ‌ ପ୍ରେମୀଯୁଗଳଙ୍କୁ ହତ୍ୟା କରିବା ପରେ ସେମାନଙ୍କ ଶବକୁ ଭାରୀ ପଥରରେ ବାନ୍ଧି କୁମ୍ଭୀରରେ ପରିପୂର୍ଣ୍ଣ ଏକ ନଦୀରେ ଫିଙ୍ଗି ଦେଇଛନ୍ତି।

ଏହି ଘଟଣାଟି ହେଉଛି ରତନବାସାଇ ଗାଁର। ଯେଉଁଠାରେ ଶିବାନୀ ତୋମାର ମୋରେନା ଜିଲ୍ଲାର ବାଲୁପୁରା ଗାଁର ରାଧେଶ୍ୟାମ ତୋମାରଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ସେମାନଙ୍କ ସମ୍ପର୍କକୁ ଯୁବତୀଙ୍କ ପରିବାର ଲୋକ ବିରୋଧ କରି ଆସୁଥିଲେ।

ଯୁବକଙ୍କ ବାପା ସ୍ଥାନୀୟ ପୁଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା। ତାଙ୍କ ଅଭିଯୋଗରେ ଅଭିଯୋଗକାରୀ ଉଲ୍ଲେଖ କରିଥିଲେ ଯେ ତାଙ୍କ ପୁଅ ଏବଂ ପୁଅର ପ୍ରେମିକା ଅନେକ ଦିନ ହେବ ନିଖୋଜ ଥିଲେ ଏବଂ ସେମାନଙ୍କୁ ହତ୍ୟା କରାଯାଇଥିବା ସେ ସନ୍ଦେହ କରୁଛନ୍ତି।

ଉଭୟ ପ୍ରଥମେ ଗାଁ ଛାଡି ପଳାଇଥିବା ପୁଲିସ ସନ୍ଦେହ କରିଥିଲା। ତେବେ ପୁଲିସର ସୂଚନାନୁସାରେ, ଗାଁର ଦୁଇଜଣ ଲୋକ ସେ ଦୁହିଁଙ୍କୁ ଗାଁ ବାହାରକୁ ଯାଉଥିବାର ଦେଖିଥିଲେ। ପରେ ପୁଲିସ୍‌ ଝିଅର ବାପା ଏବଂ ସମ୍ପର୍କୀୟଙ୍କୁ ଡାକି ପଚରାଉଚରା କରିଥିଲା। ଯେଉଁଥିରେ ସେମାନେ ଅପରାଧ ସ୍ୱୀକାର କରିଥିଲେ। ଯୁବତୀଙ୍କ ସମ୍ପର୍କୀୟମାନେ ପୁଲିସକୁ କହିଛନ୍ତି ଯେ ଜୁନ୍ ୩ରେ ସେମାନେ ଶିବନୀ ଏବଂ ରାଧେଶ୍ୟାମଙ୍କୁ ଗୁଳି କରି ହତ୍ୟା କରି ସେମାନଙ୍କ ମୃତଦେହକୁ କୁମ୍ଭୀରଭରା ନଦୀକୁ ଫିଙ୍ଗି ଦେଇଥିଲେ।

Leave a Reply

Your email address will not be published. Required fields are marked *