ଅପରାଧ

ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

ଗୁରୁଡ଼ିଝାଟିଆ: କଟକ ଜିଲ୍ଲା ଖୁଣ୍ଟୁଣୀ ବନାଞ୍ଚଳ ତଥା ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଗୋବରା ପଞ୍ଚାୟତ ଭଗୁଆ ଗ୍ରାମ ସନ୍ନିକଟ ବଣିଆ ବନ୍ଧ ସଂରକ୍ଷିତ ଜଙ୍ଗଲରୁ ଦୁଇ ଜଣ ଅଚିହ୍ନା ଯୁବକ ଯୁବତୀଙ୍କ ଗଳିତ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତଦେହ ପଚି ଯାଇଥିବା ବେଳେ ନିକଟରେ ପଡିଥିବା ୨ଟି ବିଷ ଓ ଗୋଟିଏ ମଦ ବୋତଲକୁ ପୁଲିସ ଜବତ କରିଛି। ସାଇଣ୍ଟିଫିକ ଟିମ ଉପସ୍ଥିତିରେ ପୁଲିସ ଛାନଭିନ କରିବା ସହ ଶବ ୨ଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆଠଗଡ଼ ଡାକ୍ତରଖାନାକୁ ପଠାଇଛି। ଘଟଣାରୁ ପ୍ରକାଶ ଯେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଆଜି ସକାଳେ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲକୁ ପତ୍ର ସଂଗ୍ରହ ପାଇଁ ଯାଇଥିବା ବେଳେ ରାଇଫରା ମୁଣ୍ଡିଆର ଏକ ଗଛ ମୂଳେ ଏହି ଯୁବକ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ପ୍ରଥମେ ଖୁଣ୍ଟୁଣୀ ପୁଲିସ ଖବର ପାଇ ଘଟଣାସ୍ଥଳକୁ ଯାଇଥିଲା।ମାତ୍ର ମୃତଦେହ ପଡିଥିବା ସ୍ଥାନଟି  ଗୁରୁଡ଼ିଝାଟିଆ ଥାନା ଅଧୀନରେ ଥିବାରୁ ଗୁରୁଡ଼ିଝାଟିଆ ଆଇଆଇସି ରଞ୍ଜନ କୁମାର ପ୍ରଧାନ, ଏଏସଆଇ କାମାକ୍ଷା ପ୍ରସାଦ ନାୟକ, ଏଏସଆଇ ସୁଧାକର ଭୋଇ ଥାନା କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲେ। ଶବ ପଡିଥିବା ସ୍ଥାନର ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ସହ କଟକରୁ ସାଇଣ୍ଟିଫିକ ଟିମ ଆସି ଘଟଣାର ଅଧିକ ତଦନ୍ତ କରିଥିଲେ। ଯୁବକ ଓ ଯୁବତୀଙ୍କ ବୟସ ୩୦ବର୍ଷ ବୟସ ମଧ୍ୟରେ ହେବ ବୋଲି ପୁଲିସ ଅନୁମାନ କରୁଛି। ମୃତ ଯୁବତୀ ଜଣକ ବିବାହିତ। ସେ ନୀଳ ରଙ୍ଗର ବ୍ଲାଉଜ ଓ କଟନ ପ୍ରିଣ୍ଟ ଶାଢ଼ୀ ପରିଧାନ କରିଥିବା ବେଳେ ଯୁବକ ଜଣକ ଏକ ନାଲି ରଙ୍ଗର ସାର୍ଟ ଓ ଫୁଲ ଫ୍ୟାଣ୍ଟ ପିନ୍ଧିଥିଲେ। ମୃତଦେହ ପାଖରେ ପଡ଼ିଥିବା ସେମାନଙ୍କର ଦୁଇଟି ମୋବାଇଲ ଫୋନ, ୨ଟି ବିଷ, ଗୋଟିଏ ଗୋଟିଏ ମଦ ବୋତଲ ଓ ଏକ ଜରି ବ୍ୟାଗକୁ ପୁଲିସ ଜବତ କରିଛି। ମୋବାଇଲ ଫୋନରୁ ଉଭୟଙ୍କ ପରିଚୟ ଜାଣିବାକୁ ପୁଲିସ ଉଦ୍ୟମ କରୁଛି।

Leave a Reply

Your email address will not be published. Required fields are marked *