ମୁଖ୍ୟ ଖବର

ରଥ, ପଥ, ଭକ୍ତ ପ୍ରସ୍ତୁତ

ପୁରୀ:  ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ଦେଖିବା ପାଇଁ ଭକ୍ତ ଚାହିଁରହିଛ । ଶ୍ରୀକ୍ଷେତ୍ର ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି। ରଥାରୁଢ଼ ଶ୍ରୀଜିଉମାନଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନେ ବ୍ୟାକୁଳ ହୋଇପଡ଼ିଛନ୍ତି। ‘ଭକ୍ତମାନେ ସେହି ସମୟକୁ ଅପେକ୍ଷା କରିଛନ୍ତି, ଯେଉଁ ସମୟରେ ଚତୁର୍ଦ୍ଧା ମୁରତି ଗୋଟି ପହଣ୍ଡିରେ ବଡ଼ଦାଣ୍ଡକୁ ଆସିବେ। ରଥ ଉପରେ ଚଢ଼ି ମାଉସୀଙ୍କ ଘରକୁ ଯିବେ। ଦୀର୍ଘ ସମୟ ପର୍ଯ୍ୟନ୍ତ ରଥରେ ରହି ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିବେ।’ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଭାବେ ଭକ୍ତମୟ ହୋଇ ଉଠିଛି। ଆଜି ସନ୍ଧ୍ୟା ପୂର୍ବରୁ ରଥଖଳାକୁ ଶ୍ରୀଜିଉଙ୍କ ଆଜ୍ଞାମାଳ ଧରି ଆସିବା ପରେ ତିନି ରଥରେ ଆଜ୍ଞାମାଳ ବିଜେ ହେବା ପରେ ତିନି ରଥକୁ ଟାଣି ଟାଣି ସିଂହଦ୍ବାରକୁ ଅଣାଯାଇଛି। ତିନି ରଥ (ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ)ରେ ପ୍ରଭୁ ଜଗନ୍ନାଥ, ସୁଦର୍ଶନ, ମଦନମୋହନ, ବଳଭଦ୍ର ଓ ସୁଭଦ୍ରାଙ୍କୁ ନେଇ ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିବ। ରଥଗୁଡ଼ିକ ଆଗକୁ ବଢ଼ିବା ପାଇଁ ପୂର୍ବରୁ ବଡ଼ଦାଣ୍ଡରୁ ଅସ୍ଥାୟୀ ଦୋକାନୀମାନଙ୍କୁ ଉଠାଇ ଦିଆଯାଇଛି।

ସିଂହଦ୍ବାରରେ ତିନି ରଥ ଲାଗିଥିବାରୁ ଭକ୍ତଙ୍କ ‌ବେଶ ସମାଗମ ରହିଛି। ଆସନ୍ତାକାଲି (ମଙ୍ଗଳବାର) ପୂର୍ବ ନିର୍ଦ୍ଧାରିତ ନୀତିକାନ୍ତି ପରେ ଆରମ୍ଭ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଘୋଷଯାତ୍ରାକୁ ନଜରରେ ବଡ଼ଦାଣ୍ତ ସୁସଜ୍ଜିତ ହୋଇ ଉଠିଛି। ବଡ଼ଦାଣ୍ତରେ ଭଳି କି ଭଳି ଚିତା ଓ ମୂର୍ଯ୍ୟ ଅଙ୍କା ଯାଇଛି। ୧୪ ଦିନ ଜ୍ବରରେ ପଡ଼ି ମହାପ୍ରଭୁ ସୁସ୍ଥ ହେବା ପରେ ଆଜି ଶ୍ରଦ୍ଧାଳୁଙ୍କୁ ନବଯୌବନ ଦର୍ଶନ ଦେଇଛନ୍ତି। ଆଜି ୮ଟା ସମୟରୁ ନବଯୌବନ ଦର୍ଶନ ଆରମ୍ଭ ହୋଇଥିଲା।

ଆସନ୍ତାକାଲି (ମଙ୍ଗଳବାର) ପୂର୍ବାହ୍‌ଣ ସାଢ଼େ ୯ଟାରେ ଶ୍ରୀଜିଉମାନଙ୍କର ପହଣ୍ଡି ଆରମ୍ଭ ହେବ। ପ୍ରଭୁ ସୁଦର୍ଶନ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିବେ। ପହଣ୍ଡି କାର୍ଯ୍ୟକ୍ରମ ଦିନ ସାଢ଼େ ୧୨ଟା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଶ୍ରୀଗୁଣ୍ଡିଚା ଅଭିମୁଖେ ତିନି ରଥ ଅପରାହ୍‌ଣ ୪ଟାରେ ଗଡ଼ିବା ଆରମ୍ଭ କରିବ।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ନୀତି) ପକ୍ଷରୁ ସୂଚନା ଦିଆଯାଇଛି ଯେ, ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ପ୍ରସ୍ତୁତି ହୋଇସାରିଛି। ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ମଙ୍ଗଳବାର ସକାଳ ୬ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ହେବ। ୬ଟା ୧୦ରେ ମଇଲ, ୬ଟା ୩୦ରେ ତଡ଼ପ ଲାଗି, ରୋଷହୋମ ଓ ୭ଟାରେ ଅବକାଶ ପରେ ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢ଼େ ୭ଟାରେ ଦ୍ବାରପାଳ ପୂଜା ଏବଂ ବେଶ ଶେଷ କରାଯିବ। ସେହିପରି ସକାଳ ୮ଟାରୁ ୯ଟା ଯାଏଁ ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡି ଭୋଗ) ନୀତି ପରେ ୯ଟା ୧୫ରେ ମଙ୍ଗଳାର୍ପଣ କରାଯିବ। ପହଣ୍ଡି ଶେଷ ହେଲା ପରେ ଦିନ ୧୨ଟା ୩୦ରୁ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ଶ୍ରୀଶ୍ରୀ ମଦନମୋହନ, ଶ୍ରୀଶ୍ରୀ ରାମ ଓ ଶ୍ରୀଶ୍ରୀ କୃଷ୍ଣ ବିଜେ, ୧ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ଚିତାଲାଗି,ବେଶ ଶେଷ ହେବ। ୨ଟା ୩୦ରୁ ୩ଟା ୩୦ ଯାଏଁ ଛେରାପହଁରା, ୩ଟାରୁ ୪ଟା ପର୍ଯ୍ୟନ୍ତ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲଗାଯିବ।

Leave a Reply

Your email address will not be published. Required fields are marked *