ଦେଶ- ବିଦେଶ

ରଥଯାତ୍ରା ବେଳେ ଅଘଟଣ: କୋଠାର ବାଲକୋନି ଭାଙ୍ଗିପଡ଼ିବାରୁ ୧ ମୃତ

ଅହମଦାବାଦ : ପବିତ୍ର ରଥଯାତ୍ରା ଉପଲକ୍ଷେ ଗୁଜରାଟର ଅହମଦାବାଦ ଉତ୍ସବମୁଖର ଥିବାବେଳେ ସେଠାରେ ଏକ ଅଘଟଣ ଘଟିଛି । ରଥ ଯାଉଥିବା ରାସ୍ତା ନିକଟରେ ଥିବା ଏକ କୋଠାର ବାଲକୋନି ଭାଙ୍ଗିପଡ଼ିବାରୁ ଜଣେ  ମୃତ୍ୟୁବରଣ କରିଥିବାବେଳେ ଆହୁରି କିଛି ଲୋକ ଆହତ ହୋଇଛନ୍ତି ।ମିଳିଥିବା ସୂଚନା ଅନୁସାରେ ଅହମଦାବାଦ ଦରିଆପୁରର କାରିଆନାକା ରୋଡରେ ଏହି ଦୁର୍ଘଟଣା ଘଟିଛି । ସେଠାରେ ଥିବା ଏକ ତିନି ମହଲା କୋଠାର ତୃତୀୟ ମହଲାର ବାଲକୋନି ଭାଙ୍ଗି ଯାଇଥିଲା । ଦୁର୍ଘଟଣା ସମୟରେ ବାଲକୋନିରେ ଅନେକ ଲୋକ ଥିଲେ । ଦୁର୍ଘଟଣା ପରେ ରିଲିଫ୍ ଓ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିଥିଲେ ।

ଏହି ଦୁର୍ଘଟଣାରେ ମୋଟ ୨୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ୭ ଜଣଙ୍କୁ ବିଏପିଏସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବିଏପିଏସ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମେହୁଲ ପାଞ୍ଚାଲ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି ।

ଦରିଆପୁର ଅହମଦାବାଦର ଏକ ପୁରାତନ ଅଞ୍ଚଳ । ଯେଉଁ କୋଠାର ବାଲକୋନି ଭୁଶୁଡ଼ି ପଡ଼ିଥିଲା, ତାହା ଏକ ପୁରାତନ କୋଠାଥିଲା ଓ ସେଥିପାଇଁ ତାହାକୁ ନୋଟିସ ଦିଆଯାଇଥିଲା । ବିପଦପୂର୍ଣ୍ଣ ଥିବାସତ୍ତ୍ବେ ତା’ ତଳେ ଦେକାନ ଚାଲୁଥିଲା ଓ ଉପରେ ଆବାସିକ ଜାଗା ଥିଲା। ଆଜି ଲୋକମାନେ ବାଲକୋନିରେ ଠିଆ ହୋଇ ରଥକୁ ଅପେକ୍ଷା କରିଥିଲେ ।

Leave a Reply

Your email address will not be published. Required fields are marked *