ଦେଶ- ବିଦେଶ

ମୁସଲମାନ ମହିଳାଙ୍କୁ ବିବାହ କଲେ ହିନ୍ଦୁ ଯୁବକ

ତିରୁଅନନ୍ତପୁରମ୍‌: ଜଣେ ହିନ୍ଦୁ ଯୁବକ ଓ ଜଣେ ମୁସଲମାନ ଯୁବତୀଙ୍କ ବିବାହରେ କେରଳ ପୁଲିସ ବାଧା ସୃଷ୍ଟି କରିବାର କିଛି ଦିନ ପରେ ଆଜି (ମଙ୍ଗଳବାର) ଦୁହେଁ ପୁଣି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ଜୁନ୍‌ ୧୭ରେ ଅଲଫିଆ (୧୮) କେରଳର ତିରୁଅନନ୍ତପୁରମର ଏକ ମନ୍ଦିରରେ ଅଖିଳ (୨୧)ଙ୍କୁ ବିବାହ କରିବାକୁ ଯାଉଥିଲେ। ତେବେ ଅନ୍ତଃଧର୍ମୀ ଦମ୍ପତିଙ୍କ ଏହି ବିବାହରେ ପୁଲିସ ବାଧା ସୃଷ୍ଟି କରିଥିଲା। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପୁଲିସ ଅଲଫିଆଙ୍କୁ ଘଟଣାସ୍ଥଳରୁ ଟାଣି ନେଉଥିବାର ଦେଖିବାକୁ ମିଳିଛି। ଆଲଫିଆ ଅଭିଯୋଗ କରିଛନ୍ତି ଯେ ପୁଲିସ କର୍ମଚାରୀମାନେ ତାଙ୍କ ପ୍ରତି ଅସଦାଚରଣ କରିଥିଲେ।

ଏହି ସମୟରେ ଉଭୟ ହିନ୍ଦୁ ଯୁବକ ଅଖିଳ ଓ ମୁସଲମାନ ଯୁବତୀ ଅଲଫିଆଙ୍କ ପରିବାର ଏହି ସମ୍ପର୍କକୁ ବିରୋଧ କରିଥିଲେ। ଅଲଫିଆଙ୍କ ପରିବାର ଲୋକେ କାୟାମକୁଲମ ଥାନାରେ ନିଖୋଜ ଅଭିଯୋଗ ଆଗତ କରିଥିଲେ। କିନ୍ତୁ ଜୁନ୍‌ ୧୬ ତାରିଖରେ ଘରୁ ବାହାରିଥିବା ଅଲଫିଆ ନିଜ ଇଚ୍ଛାରେ ଘରୁ  ଯାଇଥିବା କୋଭାଲମ୍ ପୁଲିସକୁ ଜଣାଇଥିଲେ। ତେବେ, ଜୁନ୍‌ ୧୭ରେ ଅଲଫିଆ (୧୮) କେରଳର ତିରୁଅନନ୍ତପୁରମର ଏକ ମନ୍ଦିରରେ ଅଖିଳ (୨୧)ଙ୍କୁ ବିବାହ କରିବାକୁ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା।

ପୁଲିସ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ଏଫଆଇଆର ନହେବା ପାଇଁ ଅଲଫିଆଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିବାକୁ ପଡିବ। ପୁଲିସ କହିଛି ଯେ ଯୁବତୀଜଣକ ପୁଲିସକୁ ସହଯୋଗ କରୁ ନଥିଲେ ଏବଂ ଯାହା ଫଳରେ ସେମାନଙ୍କୁ ବଳ ପ୍ରୟୋଗ କରିବାକୁ ପଡିଥିଲା।

Leave a Reply

Your email address will not be published. Required fields are marked *