ରାଜନୀତି

ଲୋକସଭା ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ରାଜ୍ୟସଭା ସଦସ୍ୟ ଥିବା ବିଜେପିର କେତେକ ବରିଷ୍ଠ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ସଂସଦକୁ ସିଧାସଳଖ ମାର୍ଗ ଆପଣାଇବାକୁ କୁହାଯାଇଛି।  ସେମାନଙ୍କୁ ଦଳ ପକ୍ଷରୁ ୨୦୨୪ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ପ୍ରୋତ୍ସାହିତ କରାଯାଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ‘ଟାଇମ୍ସ ଅଫ୍ ଇଣ୍ଡିଆ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ କେନ୍ଦ୍ର  ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି।

ଆସନ୍ତା ବର୍ଷ ହେବାକୁ ଥିବା ୨୦୨୪ ଲୋକସଭା ନିର୍ବାଚନ ଲଢିବେ କି ବୋଲି ପଚରାଯିବାରୁ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି, ‘ମୁଁ ନିଶ୍ଚିତ ଭାବେ ନିର୍ବାଚନ ଲଢୁଛି। ଶ୍ରୀ ପ୍ରଧାନ ୨୦୦୪ ମସିହାରେ ଦେବଗଡ଼ ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାର ଏକ ଅଂଶ ଭାବରେ ଏହାକୁ ଉଚ୍ଛେଦ କରାଯାଇଥିଲା। ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ, ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଭଳି ମନ୍ତ୍ରିମଣ୍ଡଳର ଅନ୍ୟ ବରିଷ୍ଠ ସଦସ୍ୟମାନେ ମଧ୍ୟ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ହୋଇପାରନ୍ତି ।

ଉଲ୍ଲେଖଯୋଗ୍ୟ, କିଛି ପ୍ରମୁଖ କେନ୍ଦ୍ରମନ୍ତ୍ରୀ ରାଜ୍ୟସଭାରେ ଅଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ କରିବାକୁ ଦଳ ଚିନ୍ତା କରୁଛି। ବିଶେଷ କରି ଯେଉଁମାନେ ମନ୍ତ୍ରୀ ପଦରେ ରହି ପରିଚୟ ହାସଲ କରିଛନ୍ତି ସେମାନଙ୍କ ପାଇଁ ଏହା ଲାଗୁହେବ। ଏହାବ୍ୟତୀତ ବିଭିନ୍ନ ରାଜ୍ୟରେ ଥିବା ଦଳର କିଛି ବିଧାୟକଙ୍କୁ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ କହାଯାଇଛି।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବରିଷ୍ଠତା ନିର୍ବିଶେଷରେ ନେତୃତ୍ୱ ନିଜ ସଦସ୍ୟମାନଙ୍କୁ ଦୁଇରୁ ଅଧିକ ଥର ପାଇଁ ରାଜ୍ୟସଭାରେ ସଦସ୍ୟ କରିବାକୁ ଆଗ୍ରହୀ ନୁହଁନ୍ତି। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦଳୀୟ ସଂଗଠନ ଓ ଏହାର ଆଦର୍ଶ ପାଇଁ ଚୁପ୍‌ଚାପ୍‌ କାମ କରୁଥିବା ଏବଂ ମନ୍ତ୍ରୀ ଭାବରେ ଲୋକଙ୍କ ମଧ୍ୟରେ ଯଥାର୍ଥ ସମୟ ଅତିବାହିତ କରିଥିବା ବହୁ ସଂଖ୍ୟକ ଆଶାୟୀଙ୍କୁ ସ୍ଥାନ ଦେବାର ଏକ ଉପାୟ ଭାବରେ ମଧ୍ୟ ଏହି ପଦକ୍ଷେପ ନିଆଯାଇଛି।

ଏହି ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ ୨୦୨୪ ନିର୍ବାଚନ ପାଇଁ ତାଙ୍କ ପ୍ରାର୍ଥୀତ୍ୱକୁ ନିଶ୍ଚିତ କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ ରାଜ୍ୟସଭାରେ ଦ୍ୱିତୀୟ ଥର ପାଇଁ ସଦସ୍ୟ ଥିବା ଭୂପେନ୍ଦ୍ର ଯାଦବ ଏବଂ ମନସୁଖ ମାଣ୍ଡଭୀୟଙ୍କ ଭଳି ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବାକୁ କୁହାଯାଇପାରେ

Leave a Reply

Your email address will not be published. Required fields are marked *