ଅପରାଧ

କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡ: ସାକ୍ଷୀଙ୍କ ବୟାନ ରେକର୍ଡ

ଭଦ୍ରକ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡରେ ମାନସର ସହଯୋଗୀ ଭୁବନେଶ୍ୱର ଏୟାରଫିଲଡ ଥାନା ଜାମୁକୋଳି ଗ୍ରାମର ଦୀପକ କୁମାର ସାହୁଙ୍କର ସାକ୍ଷ୍ୟ ଭଦ୍ରକ ଜିଲ୍ଲା ଜଜ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଦାଲତରେ ରେକର୍ଡିଂ ହୋଇଛି। ଦୀପକ ଜଣେ କଳାକାର ଓ ଶର୍ମିଷ୍ଠାର ଅନେକ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ୨୦୨୨ ମସିହାରେ ସେ ପୁରୀ ବେଳାଭୂମିରେ ଏକ କ୍ଷୁଦ୍ର ଚଳଚ୍ଚିତ୍ରର ସୁଟିଂ ସମୟରେ ଉପସ୍ଥିତ ଥିଲା।  ସେହି ଫିଲ୍ମରେ ନିରଞ୍ଜନ ସେଠୀ ନାୟକ ଓ ଶର୍ମିଷ୍ଠା ନାୟିକା ଭୂମିକା ତୁଲାଇଥିଲେ। ମାନସ ସ୍ୱାଇଁ ସେହି ଫିଲ୍ମରେ କ୍ୟାମେରାମ୍ୟାନ ଥିଲେ। ସୁଟିଂ ପରେ ଶର୍ମିଷ୍ଠା ଅନେକ ଥର ମାନସଙ୍କୁ ସୁଟିଂ ହୋଇଥିବା ଚିପକୁ ଫେରାଇବା ପାଇଁ ତାଗିଦ କରିଥିଲେ, ମାତ୍ର ମାନସ ଦେଇ ନ ଥିଲେ।

ଗତ ୨୦୨୨ ମସିହା ଫେବ୍ରୁଆରି ୬ ତାରିଖରେ ମାନସ ଦୀପକଙ୍କୁ ଚାନ୍ଦବାଲି ଥାନା ପଳାସପୁରରେ ଏକ ବାହାଘର ସୁଟିଂ କଲ ଅଛି, ସେ ଆସିବା ପାଇଁ କହିବାରୁ ଦୀପକ ଭୁବନେଶ୍ୱରରୁ ବସ ଯୋଗେ ପଳାଶପୁରରେ ପହଞ୍ଚି ଥିଲା। ସେ ପହଞ୍ଚିବା ପରେ ସ୍ଥାନୀୟ ବାପି ନାମକ ଯୁବକ ତାଙ୍କୁ ନିଜ ସ୍କୁଟିରେ ବସଷ୍ଟାଣ୍ଡରୁ ଆଣି ସ୍ଥାନୀୟ ବିଜେପି ଅଫିସରେ ମାନସଙ୍କ ସହିତ ରାତ୍ରୀଯାପନ କରିଥିଲା। ତା ପରଦିନ ସୁଟିଂ ସାରି ସେହି ସ୍କୁଟିରେ ଫେରୁଥିବା ବେଳେ ପଳାସପୁର ମନ୍ଦିର ଛକରେ ଜଣେ ଯୁବକ ତାଙ୍କ ସ୍କୁଟିକୁ ଅଟକେଇଥିଲା। ନିକଟରେ ଛିଡ଼ା ହୋଇଥିବା ଓ. ଡି.୦୨ ଏ. ବି.୬୫୯୯ କାରରେ ଶର୍ମିଷ୍ଠା ଓ ରାଜ ଓହ୍ଲାଇ ଆସି ମାନସଙ୍କୁ କ୍ୟାମେରା ଚିପ୍ ମାଗିଥିଲେ। ସେ ମନା କରିବାରୁ ତାଙ୍କ ଗାଲକୁ ଦୁଇ ଚାପୁଡା ମାରି ଘୋଷାଡ଼ି ନେଇ କାରରେ ବସାଇ ସେଠାରୁ ପଳେଇ ଆସିଥିଲେ। ବାପି ପାଖରୁ ୫୦୦ ଟଙ୍କା ଆଣି ଦୀପକ ବସରେ ଭୁବନେଶ୍ୱର ଫେରି ଆସିଥିଲା।

ତା ପରଦିନ ଶର୍ମିଷ୍ଠା ଅଫିସକୁ ତା ବାପାଙ୍କ ସହ ଦୀପକ ଯାଇଥିଲା। ଶର୍ମିଷ୍ଠା ତାକୁ ତାଗିଦ କରିବା ସହ ତା ବାପାଙ୍କୁ ସତର୍କ କରାଇ ଏକ ଅଣ୍ଡରଟେକିଙ୍ଗ ଲେଖାଇ ନେଇ ଛାଡ଼ି ଦେଇଥିଲେ। ପରେ ଶୁଣିବାକୁ ପାଇଥିଲେ ମାନସ ସ୍ୱାଇଁକୁ ହତ୍ୟା କରାଯାଇଛି। ଆଜି ଗ୍ରୀଷ୍ମବାକାଶ ପରେ କୋର୍ଟ ଖୋଲି ଥିଲା ଓ ସମସ୍ତ ଅଭିଯୁକ୍ତମାନେ କୋର୍ଟରେ ଉପସ୍ଥିତ ଥିଲେ। ଏହି ସମୟରେ ଦୀପକ ସାହୁ ତାଙ୍କ ବୟାନ ଦେଇଥିଲା ବୋଲି ଅଭିଯୁକ୍ତ କୃଷ୍ଣଚନ୍ଦ୍ରର ଓକିଲ ଶକ୍ତିକାନ୍ତ ପାଢ଼ୀ ପ୍ରକାଶ କରିଛନ୍ତି। ଦୀପକକୁ ଅଭିଯୁକ୍ତମାନଙ୍କ ଓକିଲମାନେ ଅନେକ ସମୟ ଜେରା କରିଥିଲେ ମଧ୍ୟ କ୍ରାଇମବ୍ରାଞ୍ଚକୁ ଦେଇଥିବା ତାର ବୟାନ ଓ କୋର୍ଟରେ ରଖିଥିବା ବୟାନ ମଧ୍ୟରେ କିଛି ତଫାତ ନ ଥିବାରୁ ତା ପାଖରୁ ଅଭିଯୁକ୍ତମାନଙ୍କ ସପକ୍ଷରେ ଠୋସ ପ୍ରମାଣ ଆଣିବାରେ ସକ୍ଷମ ହୋଇ ନ ଥିଲେ। କ୍ରାଇମ ବ୍ରାଞ୍ଚ ତରଫରୁ ସରକାରୀ ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ୍ତ କୁମାର ସାମଲ ମାମଲା ପରିଚାଳନା କରୁଥିବା ବେଳେ ଅଭିଯୁକ୍ତମାନଙ୍କ ପାଇଁ ଭଦ୍ରକର ବରିଷ୍ଠ ଅଧିବକ୍ତା ଶରତ ଚନ୍ଦ୍ର ମହାପାତ୍ର, ବସନ୍ତ ଦାସ, ଶକ୍ତିକାନ୍ତ ପାଢ଼ୀ, ପୁର୍ଣ୍ଣଚନ୍ଦ୍ର ମହାନ୍ତି ଓ ନିରାକାର ଜେନା ପ୍ରମୁଖ ମାମାଲା ପରିଚାଳନା କରୁଛନ୍ତି।

Leave a Reply

Your email address will not be published. Required fields are marked *