ଦେଶ- ବିଦେଶ

ଅଧାରେ ରହିଲା ଦର୍ଶନ; ଖାଇରେ ଜିପ୍ ପଡ଼ି ୯ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ମୁନସ୍ୟାରିର ହୋକରା ଅଞ୍ଚଳରେ ଶ୍ରଦ୍ଧାଳୁ ଭର୍ତ୍ତି ଥିବା ଏକ ଜିପ ଖାଇରେ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ଏଯାବତ ୯ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିବା ବେଳେ ୨ଜଣ ନିଖୋଜ ରହିଥିବା ସୂଚନା ମିଳିଛି। ମୃ୍ତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଯୁଦ୍ଧକାଳିନଭି୍ତ୍ତିରେ ଜାରି ରଖିଛନ୍ତି। ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି କି, ଗାଡ଼ି ପାଖାପାଖି ୬୦୦ମିଟର ତଳକୁ ଖସି ପଡ଼ିଛି। ତେବେ ଏହି ଜିପରେ ବସିଥିବା ଶ୍ରଦ୍ଧାଳୁ ବାଗେଶ୍ବର ଶ୍ୟାମା ହୋଇ ମନ୍ଦିର ଦର୍ଶନ କରିବା ପାଇଁ ଯାଉଥି‌ଲେ। ଗାଡ଼ି ଚାଳକ ଭାରସାମ୍ୟ ରକ୍ଷା କରି ନପାରିବାରୁ ଜିପ ଖାଇରେ ଖସି ପଡ଼ିଥିଲା। ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଯାଇଛି।

ଦୁର୍ଘଟଣାର ଶବ୍ଦ ଶୁଣି ପାଖରେ ଥିବା ସ୍ଥାନୀୟଲୋକମାନେ ଦୁର୍ଘଟଣାସ୍ଥଳରୁ ଦୌଡ଼ି ଆସି ‌ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରିବା ସହିତ ପ୍ରାଥମିକ ଚିକିତ୍ସା ଯୋଗାଇ ପୁଲିସକୁ ସୂଚନା ଦେଇଥିଲେ।
ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏଥିସହିତ ମୃତକଙ୍କୁ ଉଦ୍ଧାର କରି ସେମାନଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବ ବୋଲି ପୁଲିସ ବ୍ୟବସ୍ଥା କରୁଛି। ଦୁର୍ଘଟଣାସ୍ଥଳ ଦେଇ ଉଭୟ ପାର୍ଶ୍ବରୁ ଆସୁଥିବା ଯାନବାହନ ଯାତାୟାତକୁ ପୁଲିସ ବନ୍ଦ କରି ଦେଇଛି।

Leave a Reply

Your email address will not be published. Required fields are marked *