ଅପରାଧ

ବେଆଇନ ପାର୍କିଂ ଯୋଗୁଁ ଦୂର୍ଘଟଣା,ହେଲପର ମୃତ

କେନ୍ଦୁଝର, : କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୦ର ବାଇପାସ ରାସ୍ତା ସିଦ୍ଧମଠ ନିକଟରେ ଏକ ଦୁର୍ଘଟଣା ଘଟିଛି। ବେଆଇନ ପାର୍କିଂ କରିଥିବା ଏକ ଟ୍ରକ ପଛ ପଟରେ ଆଉ ଏକ ଟ୍ରକ୍‌ ଧକ୍କା ଦେବାରୁ ଟ୍ରକର ହେଲପରଙ୍କର ମୃତ୍ୟୁ ହୋଇଛି । ମୃତ ହେଲପର ହେଲେ ନୁନୁଚାନ୍ଦ ମାହାତୋ(୧୯)ବର୍ଷ। ତାଙ୍କ ଘର ଝାଡଖଣ୍ଡ ରାଜ୍ୟ ବୋକାରୋର ବୋଲି ଜଣାପଡିଛି। ଶୁକ୍ରବାର ଭୋର ପ୍ରାୟ ୪ ଟା ରେ ଦୁର୍ଘଟଣା ହୋଇଛି । ଦୂର୍ଘଟଣା ପରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ଯାଇ କଟର ମେସିନରେ ଗାଡିରେ ଚାପି ହୋଇ ଯାଇଥିବା ହେଲପରଙ୍କୁୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଲୁହାପଥର ବୋଝେଇ ଟ୍ରକ୍‌ ଓଡି ୦୪ ଆର ୫୧୭୮ର ରୁଙ୍ଗଟା ଖଣିରୁ ଗୋପାଳପୁର ପୋର୍ଟ ଅଭିମୁଖେ ଯାଉଥିବାବେଳେ ଗାଡି ଚକା ଲିକ ହେବାରୁ ବାଇପାସ ରାସ୍ତାରେ ଛିଡା ହୋଇଥିଲା। ସେହି ସମୟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଓଡି ୨୩ ଏନ ୩୦୯୯ ଘଟଗାଁ ଅଭିମୁଖେ ଯାଉଥିବାବେଳେ ପଛପଟୁ ଧକ୍କା ଦେଇଥିଲା । ଟାଉନ ପୋଲିସ କେସ ନଂ ୨୫୦ ତା ୨୩/୦୬/୨୦୨୩ ରେ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।ରାଜପଥ କଡରେ ବେଆଇନ ପାର୍କିଂ ଯୋଗୁଁ ଦୁର୍ଘଟଣା ବଢୁଛି । ବାଇପାସ ରାସ୍ତାରେ ଲୁହାପଥର ପରିବହନ କରୁଥିବା ଭାରିଯାନ ଗୁଡିକ ନିୟମିତ ଗାଡି ଛିଡା କରୁଛନ୍ତି । ଏହି ବେଆଇନ ପାର୍କିଂ ଉପରେ ପୋଲିସ ଏବଂ ପରିବହନ ବିଭାଗ ପକ୍ଷରୁ ଲଗାମ ଲଗାଯାଉ ନ ଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି । ଯୋଗାଯୋଗ ଏବଂ ଗମନାଗମନ ଦୃଷ୍ଟିରୁ ବାଇପାସ ରାସ୍ତାରେ ବହୁ ଗାଡି ଚଳାଚଳ କରୁଛି । ଦୈନକ ହଜାର ହଜାର ସଂଖ୍ୟାରେ ଯାନବାହନ ସହିତ ଲୁହାପଥର ବୋଝେଇ ଟ୍ରକ ଚଳାଚଳ କରୁଛି । ଜାତୀୟ ରାଜପଥ ୪୯ ଏବଂ ୨୦ର ବାଇପାସ ରାସ୍ତାରେ ବେଆଇନ ପାର୍କିଂ ଯୋଗୁଁ ଅନେକ ସମୟରେ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି । ବାଇପାସ ରାସ୍ତାରେ ଗ୍ୟାରେଜ,ଢାବା,ଦୋକାନ ବଜାର ରହିଥିବାରୁ ରାସ୍ତା କଡରେ ବହୁ ଛୋଟ ବଡ ଗାଡି ଗୁଡିକ ରଖାଯାଉଛି । ଏହି ଗାଡିଗୁଡିକ ଦିନ ରାତି ରାସ୍ତା କଡରେ ଅଟକି ରହୁଥିବାରୁ ଅନ୍ୟ ଗାଡି ଚାଳକ ଜାଣି ନ ପାରି ଛିଡା ହୋଇଥିବା ଗାଡି ପଛ ପଟକୁ ପିଟି ହୋଇ ଦୁର୍ଘଟଣା ଘଟୁଛି । ବେଆଇନ ପାର୍କିଂ ଯୋଗୁଁ କେବଳ ଯେ ଦୂର୍ଘଟଣା ଘଟୁଛି ତାହା ନୁହେଁ ବରଂ ଏହି କାରଣରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ।

Leave a Reply

Your email address will not be published. Required fields are marked *