ସାହିତ୍ୟ

କରୁଣାର ଜଗତୀକରଣ ଜରୁରି: କୈଳାସ ସତ୍ୟାର୍ଥୀ

ଭୁବନେଶ୍ବର: ସାହିତ୍ୟ, ସଙ୍ଗୀତ, ନୃତ୍ୟ ଆଦି ସୃଜନ କଳା ସଭ୍ୟତାର ନବନିର୍ମାଣ କରେ। ସଭ୍ୟତାକୁ ନୂତନ ରାସ୍ତା ଦେଖାଏ। କଳାର ଦେଶ ଭାରତର ଏହି ଚେତନା ଆଜି ସମଗ୍ର ବିଶ୍ବକୁ ପ୍ରସାରିତ ହେବାରେ ଲାଗିଛି। ସାହିତ୍ୟ ଆତ୍ମାଭିମାନରୁ ଆତ୍ମୋପଲବ୍ଧି ଦିଗକୁ ପଥ ପ୍ରଦର୍ଶିତ କରିଥାଏ। ଏଣୁ ନିରବତା ହିଁ ସାହିତ୍ୟିକ ସର୍ଜନା ପାଇଁ ପ୍ରେରିତ କରିଥାଏ ଏବଂ ନିରବତା ହେଉଛି ସୃଜନଶୀଳତାର ଜନନୀ। ହୋଟେଲ୍‌ ସ୍ବସ୍ତି ପ୍ରିମିୟମ୍‌ ପ୍ରେକ୍ଷାଳୟରେ ଆୟୋଜିତ ନବମ ‘କଳିଙ୍ଗ ସାହିତ୍ୟ ମହୋତ୍ସବ’କୁ ଉଦ୍‌ଘାଟନ କରି ମୁଖ୍ୟ ଅତିଥି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହା କହିଛନ୍ତି।ବିଶିଷ୍ଟ ବକ୍ତା ନୋବେଲ ପୁରସ୍କାରବିଜେତା କୈଳାସ ସତ୍ୟାର୍ଥୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇ କହିଲେ, ଜଗତୀକରଣ ଭାରତର ଡିଏନ୍‌ଏରେ ରହିଛି ଏବଂ ଆଗାମୀ ଦିନରେ ଦେଶ କରୁଣାର ଜଗତୀକରଣ ସୃଷ୍ଟି କରିବା ପାଇଁ ପ୍ରୟାସ କରିବା ଉଚିତ। ‘ଭାରତ ଓ ବିଶ୍ୱ’ ଶୀର୍ଷକ ଆଲୋଚନାରେ ସେ ଉଦ୍‌ବୋଧନ ଦେଇ ଆହୁରି କହିଲେ, ସଂସ୍କୃତ ଶ୍ଳୋକରେ କୁହାଯାଇଛି ଯେ ମଣିଷ ଭୌଗୋଳିକ ସୀମା ଦ୍ୱାରା ବିଭାଜିତ ନୁହେଁ, ବରଂ ଏକ ବିଶ୍ୱ ପରିବାର ଅଧୀନରେ ଏକତ୍ରିତ। ଆଜି ଆମେ ସଂସ୍କୃତି, ସୂଚନା ଓ ବାଣିଜ୍ୟକୁ ବିଶ୍ୱସ୍ତରୀୟ କରିଛୁ। କିନ୍ତୁ, ଗୋଟିଏ ଜିନିଷକୁ ଭୁଲି ଯାଉଛୁ, ତାହା ହେଉଛି କରୁଣା। ଏକ ସଂଯୁକ୍ତ ଦୁନିଆରେ କରୁଣା ଭାବ ରହିବା ଦରକାର ବୋଲି ସେ କହିଛନ୍ତି। ପରେ ଶ୍ରୀ ସତ୍ୟାର୍ଥୀଙ୍କୁ ତାଙ୍କ ପୁସ୍ତକ ‘ତୁମ୍ ପେହଲେ କିଓଁ ନାହି ଆୟେ’ ପାଇଁ ‘କେଏଲ୍ଏଫ୍ ନନ୍ ଫିକ୍ସନ୍ ବୁକ୍ ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। ଅନ୍ୟତମ ସମ୍ମାନିତ ଅତିଥି ଭାବେ କବି ସୀତାକାନ୍ତ ମହାପାତ୍ର, ତୁଲସୀ ଦିୱାସ୍, ଏସ.କେ ନନ୍ଦା, ୱାଇଏସ୍‌ଆର୍ ମୂର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ମହୋତ୍ସବର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରଶ୍ମିରଞ୍ଜନ ପରିଡ଼ା କହିଲେ, ମହୋତ୍ସବର ‘ଭାରତ ଓ ବିଶ୍ୱ’ ବିଷୟବସ୍ତୁ ମୁଖ୍ୟତଃ ଭାରତକୁ ବିଶ୍ୱ ସାହିତ୍ୟ ସହ ଯୋଡ଼ିବା ଉଦ୍ଦେଶ୍ୟରେ ସ୍ଥିର କରାଯାଇଛି। ଏତଦ୍‌ବ୍ୟତୀତ ବିଶ୍ବସ୍ତରୀୟ ପ୍ରକାଶନ ସଂସ୍ଥାମାନେ ଓଡ଼ିଶାକୁ ଆସିବା ଦ୍ୱାରା ସ୍ଥାନୀୟ ପ୍ରକାଶନ ବ୍ୟବସାୟ ଓ ତଥା ଓଡ଼ିଶା ଭାଷାର ପ୍ରଚାର ଓ ପ୍ରସାର କୌଶଳ ସମୃଦ୍ଧ ହେବ ବୋଲି ସେ ମତ ଦେଇଥିଲେ। ଆଞ୍ଚଳିକ ଭାଷା ପୁରସ୍କାର ଇଂରାଜୀ, ହିନ୍ଦୀ, ଓଡ଼ିଆ, କନ୍ନଡ଼, ନେପାଳୀ ଓ ମୈଥିଲି ଭାଷାରେ ଗଳ୍ପ, ଅଣୁଗଳ୍ପ, ଆଞ୍ଚଳିକ ଭାଷା, ମହିଳା/ଦଳିତ/ଆଦିବାସୀ/ସଂଖ୍ୟାଲଘୁ ସାହିତ୍ୟ ଓ ଅନୁବାଦ କୃତି ପାଇଁ ୧୮ଜଣ ଲେଖକଙ୍କୁ ପୁରସ୍କୃତ କରାଯାଇଥିଲା। ହିନ୍ଦୀ ଔପନ୍ୟାସିକା ଗୀତାଞ୍ଜଳି ଶ୍ରୀଙ୍କୁ ‘କଳିଙ୍ଗ ସାହିତ୍ୟ ମହୋତ୍ସବ ଆନ୍ତର୍ଜାତିକ ପୁରସ୍କାର’ ସହ ଲକ୍ଷେ ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି ସଂଳାପ ଲେଖକ, ନାଟ୍ୟ ନିର୍ଦ୍ଦେଶକ ତଥା ସାହିତ୍ୟିକ ରମେଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ ‘କଳିଙ୍ଗ ସାହିତ୍ୟ ସମ୍ମାନ’ ଓ ପଚାଶ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ଏହି ଅବସରରେ ପେଙ୍ଗୁଇନ୍ ରାଣ୍ଡମ୍ ହାଉସ୍ ଓ ରାଜକମଲ ପ୍ରକାଶନ ନାମକ ଦୁଇଟି ପ୍ରକାଶନ ସଂସ୍ଥା ଯଥାକ୍ରମେ ଇଂରାଜୀ ଓ ହିନ୍ଦୀ ବର୍ଗର ପବ୍ଲିସିଂ ହାଉସ୍ ଅଫ୍ ଦି ଇୟର ଭାବେ ପୁରସ୍କୃତ ହୋଇଥିଲେ। ଚଳିତବର୍ଷ ମହୋତ୍ସବରେ ସାହିତ୍ୟର ବିବିଧ ରୂପ ତଥା ଜୀବିତ ଅନୁଭୂତି, ରାଜନୀତି, କଳା, ଚଳଚ୍ଚିତ୍ର, ବ୍ୟବସାୟ, ଗଣମାଧ୍ୟମ ଓ କ୍ରୀଡ଼ା ପରି ବିଷୟବସ୍ତୁଗୁଡ଼ିକୁ ନେଇ ୮୦ଟି ଅଧିବେଶନ ସମାନ୍ତରାଳଭାବେ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *