ରାଜନୀତି

ବିଜେଡି ଫୋକସରେ​ କେନ୍ଦୁଝର ବିଧାନସଭା ଆସନ

କେନ୍ଦୁଝର : ରାଜ୍ୟ ରାଜନୀତିରେ ସବୁବେଳେ କେନ୍ଦୁଝର ଜିଲ୍ଲା ଚର୍ଚ୍ଚାରେ ରହି ଆସିଛି। ଗତ ବିଧାନସଭା ନିର୍ବାଚନ ବେଳେ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କୁ ନେଇ ଯେଭଳି ଚର୍ଚ୍ଚା ଲାଗି ରହୁଥିଲା, ୨୦୨୪ ନିର୍ବାଚନ ପୂର୍ବରୁ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମୋହନଙ୍କ ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେଡି। ଜିଲ୍ଲାର ଅନ୍ୟ ପାଞ୍ଚଟି ନିର୍ବାଚନମଣ୍ଡଳୀ ଅପେକ୍ଷା ସଦର ନିର୍ବାଚନ ମଣ୍ଡଳୀକୁ ଅଧିକ ଫୋକସ କରିଛି ଶାସକ ଦଳ।

ଜିଲ୍ଲାରେ ମୋଟ ୬ଟି ବିଧାନସଭା ଆସନରୁ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ପାଞ୍ଚଟିରେ ବିଜୟୀ ହୋଇଛି। କେବଳ ସଦର ନିର୍ବାଚନମଣ୍ଡଳୀକୁ ବିଜେପି ହାତେଇବାକୁ ସକ୍ଷମ ହୋଇଥିଲା। ଫଳରେ ଜିଲ୍ଲା‌ରେ ବିଜେଡିର ଏକତରଫା ବିଜୟରେ ଏକପ୍ରକାର ଅଙ୍କୁଶ ଲାଗିଥିଲା। ବିଜେପି ମଧ୍ୟ ମୋହନଙ୍କୁ ଅଧିକ ଗୁରୁତ୍ବ ଦେବା ସହିତ ବିରୋଧୀ ଦଳ ମୁଖ୍ୟ ସଚେତକ କରାଇବା ଏବଂ ପରବର୍ତ୍ତୀ ସମୟରେ ପବ୍ଲକି ଆକାଉଣ୍ଟସ୍‌ କମିଟି ଅଧ୍ୟକ୍ଷ କରିବା ଦ୍ବାରା ତାଙ୍କର ଶକ୍ତି ବୃଦ୍ଧି ହୋଇଥିଲା। କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷ ନିର୍ବାଚନରେ ମଧ୍ୟ ବିଜେପିର ବିଜୟ ବିଜେଡିକୁ ଶକ୍ତ ଧକ୍କା ଦେଇଥିଲା।

ପ୍ରତ୍ୟେକ ବିଧାନସଭା ଅଧିବେଶନରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ବିରୋଧ କରୁଥିବା ମୋହନଙ୍କୁ ଆଗାମୀ ନିର୍ବାଚନରେ କୌଣସି ପ୍ରକାରେ ଚେକ୍‌ ଦେବା ପାଇଁ ଏବେ ସଦର ନିର୍ବାଚନମଣ୍ଡଳୀକୁ ଫୋକସ କରିଛି ବିଜେଡି। ଏଠାରେ ବିଜେଡି ମହିଳା କାର୍ଡ ଖେଳିବାକୁ ଯୋଜନା କରୁଛି। ଫଳରେ ବିଜେଡି କ୍ୟାଡର ଭୋଟ ସମେତ ମହିଳାଙ୍କୁ ନିଜ ସପକ୍ଷରେ ସହଜରେ ଆଣିବାକୁ ସମର୍ଥ ହେବ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି।

ଦ୍ବିତୀୟ କଥା ହେଉଛି ଆଶିଷ ଚକ୍ରବର୍ତ୍ତୀଙ୍କୁ ସନ୍ତୁଷ୍ଟ କରିବା। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ସଦସ୍ୟ ଭାବେ ବିଜୟୀ ହୋଇଥିବା ଆଶିଷ ଚକ୍ରବର୍ତ୍ତୀଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ କରାଇବାକୁ ଦଳୀୟ ନେତୃତ୍ବ ପ୍ରତିଶ୍ରୁତି ଦେଇ ଶେଷ ମୁହୂର୍ତ୍ତରେ ଓହରି ଯାଇଥିଲେ। ଯାହାର ସିଧାସଳଖ ପ୍ରଭାବ ପୌର ନର୍ବାଚନରେ ପଡ଼ିଥିଲା ବୋଲି କୁହାଯାଉଛି। ତେଣୁ ଆଶିଷଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଏବେ ତାଙ୍କୁ ପର୍ଜଙ୍ଗ ଏବଂ କାମାକ୍ଷାନଗର ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି। ଫଳରେ ସଦର ନିର୍ବାଚନମଣ୍ଡଳୀରେ ସେ ମୋହନଙ୍କ ବିରୋଧରେ ଆଗାମୀ ନିର୍ବାଚନରେ ଅଧିକ ସକ୍ରିୟ ହେବେ ବୋଲି ବିଜେଡି ଚିନ୍ତା କରୁଛି।

ତୃତୀୟ ରଣନୀତି ହେଉଛି ଯୁବ ଗୋଷ୍ଠୀଙ୍କୁ ନିଜ ସପକ୍ଷରେ ନେବା। ବିଜେଡିର ଯୁବ ଚେହେରା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କ ନେତୃତ୍ବରେ ଯୁବ ଗୋଷ୍ଠୀଙ୍କୁ ବିଜେଡି ସପକ୍ଷରେ ନେବାକୁ ବିଧିବଦ୍ଧ ଯୋଜନା ହୋଇଛି। ପୂର୍ବରୁ ସୌମ୍ୟଶଙ୍କର ଜିଲ୍ଲା ଯୁବ ବିଜେଡିର ସଭାପତି ଥିଲେ। ପରେ ତାଙ୍କୁ ରାଜ୍ୟ ନେତୃତ୍ବ ଗୁରୁତ୍ବ ଦେଇ ରାଜ୍ୟ ଯୁବ ବିଜେଡିର ଉପସଭାପତି ନିଯୁକ୍ତ କଲେ। ପରବର୍ତ୍ତୀ ସମୟରେ ଅନେକ ପ୍ରସଙ୍ଗରେ ତାଙ୍କୁ ଗୁରୁତ୍ବ ଦିଆଯିବା ସହିତ ପଞ୍ଚାୟତ ଏବଂ ପୌର ନିର୍ବାଚନ ପରିଚାଳନାର ଗୁରୁଦ‌ାୟିତ୍ବ ଦିଆଯାଇଥିଲା। ରାଜାଙ୍କ ଶକ୍ତିବୃଦ୍ଧି ଜରିଆରେ ଯୁବ ଗୋଷ୍ଠୀଙ୍କୁ ଏକତ୍ରିତ କରି ମୋହନଙ୍କୁ ଚେକ୍‌ ଦେବା ରଣନୀତିର ଏକ ଅଂଶ ବିଶେଷ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *