ମୁଖ୍ୟ ଖବର

ଦୁର୍ନୀତିଖୋର ଲୋକଙ୍କ ହାବୁଡରେ ପଡ଼ିଛି ଓଡ଼ିଶା: ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ: ରାଜ୍ୟ ଆଜି ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଭାବାବେଗକୁ ବୁଝୁନଥିବା ଦୁର୍ନୀତିଖୋର ଲୋକଙ୍କ ହାବୁଡରେ ପଡ଼ିଛି । ଏଠି ବାବୁମାନେ ପ୍ରତିନିଧି । ବାବୁମାନଙ୍କ ଚୌକି ପକାଇବା ପାଇଁ ଜନପ୍ରତିନିଧିମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି ବୋଲି ମଙ୍ଗଳବାର ଢେଙ୍କାନାଳର ଗଁନ୍ଦିଆ ଠାରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରର ୯ ବର୍ଷ ପୂରଣ ହେବା ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଦେଶରେ ୧୪୦ କୋଟି ଭାରତୀୟଙ୍କ ସମ୍ମାନ ବଢିଛି । ମୋଦୀଙ୍କ ଶାସନରେ ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ଶାସନ ପ୍ରଣାଳୀର ମୂଳ ମନ୍ତ୍ର ହୋଇଛି ଏବଂ ଓଡ଼ିଶା ପୂର୍ବୋଦୟ, ଗରିବ କଲ୍ୟାଣ ଓ ଶାସନ ପ୍ରଣାଳୀର ପ୍ରୟୋଗଶାଳା ହୋଇଛି । ଗରିବ କଲ୍ୟାଣକାରୀ ଯୋଜନାରେ ଢେଙ୍କାନାଳ ଜିଲ୍ଲାର ପ୍ରତି ପରିବାର ଲାଭବାନ ହୋଇଛନ୍ତି । କିନ୍ତୁ ଆଜି ଓଡ଼ିଶାରେ ମୋଦୀ ପଠାଉଥିବା ଟଙ୍କାକୁ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ଲୁଟ କରୁଛନ୍ତି । ଦୀର୍ଘ ୨୩ ବର୍ଷର ଅବ୍ୟବସ୍ଥା ଶାସନ ଉପରେ ପ୍ରଶ୍ନ କଲେ ଶାସକ ଦଳର ସାମନ୍ତବାଦ ଲୋକମାନେ ଗାଳିମନ୍ଦ କରୁଛନ୍ତି । ମୋଦିଜୀଙ୍କ ମାର୍ଗଦର୍ଶନରେ ଅନୁଗୁଳ ଓ ଢେଙ୍କାନାଳରେ ବିକାଶ ହୋଇଛି କି ନାହିଁ, ତାହା ଲୋକ କହୁଛନ୍ତି ଏବଂ ଗଁନ୍ଦିଆର ଏହି ବିଶାଳ ଜନ ସମାବେଶ ତାହାର ବଡ ପ୍ରମାଣ ଦେଉଛି । ଏଥିପାଇଁ ଶାସକ ଦଳର ସାର୍ଟିଫିକେଟ୍ ଦରକାର ନାହିଁ ।

ମହିମା ମଠରେ ପାନୀୟ ଜଳର ସୁବିଧା କରିବା ପାଇଁ ଓଏନଜିସି ତରଫରୁ ପ୍ରାୟ ୧୬ କୋଟି ଟଙ୍କାର ବ୍ୟବସ୍ଥା କରାଯିବା ପରେ ମଧ୍ୟ ସେହି ପ୍ରକଳ୍ପକୁ ରାଜ୍ୟ ସରକାର ଭୁଲିଗଲେ। ମହିମା ମଠ ମୋ ପାଇଁ ରାଜନୈତିକ ରଣକ୍ଷେତ୍ର ନୁହେଁ । ଯେଉଁମାନେ ଭାବୁଥିବେ ମୋଟା ଅଙ୍କର ଅର୍ଥ ଦେଇ ସ୍ୱାଭିମାନୀ ଢେଙ୍କାନାଳବାସୀଙ୍କୁ କିଣିନେବେ, ତେବେ ସେମାନେ ଭୁଲ୍ ଭାବୁଛନ୍ତି । ହୁଏତ ଏହି ଅଞ୍ଚଳର ବୀର ସଂଗ୍ରାମୀଙ୍କ ତ୍ୟାଗ ଓ ଇତିହାସ ବିଷୟରେ ସେମାନେ ଅନଭିଜ୍ଞ । ଏହି ମାଟି ପ୍ରଭୁ ଶ୍ରୀ ଚନ୍ଦ୍ରଶେଖରଜୀଉ, ନାଧରା ରାମଚଣ୍ଡୀଙ୍କ ମାଟି । ବୀର ସାରଙ୍ଗଧର ଦାସ, ବୈଷ୍ଣବ ଚରଣ ପଟ୍ଟନାୟକ, ବାଜି ରାଉତ, ମୂଷା ମଲିକ, ମହେଶ ଚନ୍ଦ୍ର ସୁବାହୁ ସିଂଙ୍କ ପୁଣ୍ୟ ଭୂମି ।

ଯେଉଁ ମହାଶୟ ଦୀର୍ଘ ୨୩ ବର୍ଷ ଶାସନରେ ରହିବା ପରେ ବି ମହିମା ଗୋସାଇଁଙ୍କ ପାଦଦେଶକୁ ଥରେ ସମର୍ପଣ ଦେବା ପାଇଁ ଆସିନାହାନ୍ତି ସେ ତାଙ୍କ ମେରୁଦଣ୍ଡହୀନ ଗୁମାସ୍ତାଙ୍କୁ ଟଙ୍କା ଦେଇ ଆସିବା ପାଇଁ ପଠାଉଛନ୍ତି । ସେମାନେ ଜାଣି ରଖିବା ଉଚିତ୍ ଯେ ଏହି ମାଟିର ସ୍ୱାଭିମାନୀ ଜନତା ବଳିଦାନ ଦେଇଦେବ ପଛେ ମାତ୍ର ଦେଶ ମାତୃକାର ସ୍ୱାଭିମାନ ପାଇଁ କେବେ ବୁଝାମଣା କରିବ ନାହିଁ । ଅପରପକ୍ଷରେ ଆଜି ମହିମା ଗୋସାଇଁ ଓ ସନ୍ଥ କବି ଭୀମ ଭୋଇଙ୍କ ବାର୍ତ୍ତାକୁ ବିଶ୍ୱ ସ୍ତରରେ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଛତିଶଗଡ଼ ବିଳାସପୁରସ୍ଥିତ ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭୀମ ଭୋଇ ଚେୟାର ପ୍ରତିଷ୍ଠା ହୋଇଛି । ସମ୍ବଲପୁର-ଶାଲିମାର ଏକ୍ସପ୍ରେସ ମହିମା ଗୋସାଇଁଙ୍କ ନାଁରେ ନାମିତ କରାଯାଇଛି ।

ଢେଙ୍କାନାଳର ୪୫ ବର୍ଷର ଅଭିମନ୍ୟୁ ବେହେରା ଘର ନଥିବାରୁ ଅଭିଯୋଗ କରୁଛନ୍ତି । ପିଏମ ଆବାସରେ ତାଙ୍କ ପାଇଁ ଆସିଥିବା ଘର କୁଆଡେ ଗଲା? ଗଁନ୍ଦିଆ ଅନ୍ତର୍ଗତ କେଶରଦା ଅଞ୍ଚଳର କୁନି ପୂର୍ତ୍ତି, ମାଟି ପୂର୍ତ୍ତି, ଲତା ଖଟୁଆଙ୍କ ଭଳି ଜନଜାତି ସମ୍ପ୍ରଦାୟର ଲୋକମାନେ ଗ୍ରାମରେ ରାସ୍ତାଘାଟ ଠିକ୍ ନଥିବା ପାଇଁ ଅଭିଯୋଗ କରୁଛନ୍ତି । ଏଥିପାଇଁ ମୋଦି ଦେଉଥିବା ଟଙ୍କା ଯାଉଛି କୁଆଡେ ବୋଲି ପ୍ରଶ୍ନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୋଦୀ ସରକାର ବିଭିନ୍ନ ଗରିବ କଲ୍ୟାଣ ଯୋଜନାରେ ଢେଙ୍କାନାଳ ଜିଲ୍ଲାର ୨ ଲକ୍ଷ ୭୦ ହଜାର ୮୭୬ ଟି ପରିବାରକୁ ସର୍ବମୋଟ ୮ ହଜାର ୮୧୬ କୋଟି ଟଙ୍କା ଦେଇଛନ୍ତି । ପରିବାର ପିଛା ପ୍ରାୟ ୩ ଲକ୍ଷ ୨୫ ହଜାର ୪୬୭ ଟଙ୍କା ମିଳିଛି । ଏହାର ବିସ୍ତୁତ ହିସାବ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଢେଙ୍କାନାଳ ଜିଲ୍ଲାର ୯ ଲକ୍ଷ ୪୫ ହଜାର ହିତାଧିକାରୀଙ୍କୁ ଜଣଙ୍କ ପିଛା ମାସିକ ୫ କେଜି ଚାଉଳ ହିସାବରେ ୨୦୪୦.୮ କୋଟି ଟଙ୍କା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ୭୯ ହଜାର ୨୪୯ ଘର ପାଇଁ ୯୫୧ କୋଟି ଟଙ୍କା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ସହରରେ ୧୦ ହଜାର ୩୦୫ଟି ଘର ପାଇଁ ୩୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ପିଏମ ଆବାସରେ ଭୁବନ ପାଇଁ ୭,୪୬୩, ଢେଙ୍କାନାଳ ସଦର ପାଇଁ ୯,୪୨୫, ଗଁଦିଆ ପାଇଁ ୧୦,୬୯୧, ହିନ୍ଦୋଳ ପାଇଁ ୧୫,୨୧୧, କାମାକ୍ଷାନଗର ପାଇଁ ୮,୪୮୫, ଓଡ଼ପଡ଼ା ପାଇଁ ୫,୬୫୪, ପରଜଙ୍ଗ ପାଇଁ ୧୧,୫୪୭ ଘର ପ୍ରଦାନ କରାଯାଇଛି।ସେହିପରି ସ୍ୱଚ୍ଛ ଭାରତ ଯୋଜନାରେ ୨ ଲକ୍ଷ ୭୨ ହଜାର ୫୬୪ ପରିବାର ପାଇଁ ଶୌଚାଳୟ ନିର୍ମାଣ କରାଯାଇଛି ଏବଂ ଏଥିପାଇଁ ୩୨୭ କୋଟି ଟଙ୍କା ଦିଆଯାଇଛି । ୩୧.୯୬ କୋଟି ଟଙ୍କା ମୂଲ୍ୟର୧ ଲକ୍ଷ ୯୯ ହଜାର ୭୫୮ ଉଜ୍ଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ ଦିଆଯାଇଛି । ୭ ଲକ୍ଷ ୬ ହଜାର ୫୭୬ ଜଣଙ୍କୁ ମୁଦ୍ରା ଋଣ ବାବଦକୁ ୨୭୯୯ କୋଟି ଟଙ୍କା ଦିଆଯାଇଛି । ମନରେଗାରେ ୩.୩୦ କୋଟି ଦିନର କାମ ଦିଆଯିବା ସହ ମୋଟ ୯୩୯ କୋଟି ଟଙ୍କା ପ୍ରଦାନ କରାଯାଇଛି । ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆରେ ୧୪୯ ଜଣଙ୍କୁ ୩୫ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ସ୍ୱନିଧି ଯୋଜନାରେ ୬୯୫ ଜଣ ଉଠା ଦୋକାନୀଙ୍କୁ ୮୭ ଲକ୍ଷ ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଛି । ୧ ଲକ୍ଷ ୬୭ ହଜାର ୯୪୪ଟି ଏନଆରଏଲଏମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୮୩୩ କୋଟିର ଋଣ ବ୍ୟବସ୍ଥା କରାଯାଇଛି । ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ସ୍ୱରୂପ ୬୧ ହଜାର ୬୧୧ ଜଣ ହିତାଧିକାରୀଙ୍କୁ ୫୩୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଜିଲ୍ଲାର ୧୭ ଲକ୍ଷ ୨୩ ହଜାର ୨୭୧ ଜଣଙ୍କୁ ୨୧.୫ କୋଟି ଟଙ୍କା ମୂଲ୍ୟର ଏଲଇଡି ବଲ୍ବ ପ୍ରଦାନ କରାଯାଇଛି । ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ଭୋପାଳରୁ ଦେଶର ବୁଥ ସ୍ତରର କର୍ମକର୍ତ୍ତାଙ୍କୁ ଦେଉଥିବା ଅଭିଭାଷଣ ଶୁଣିଥିଲେ ।

Leave a Reply

Your email address will not be published. Required fields are marked *