ମୁଖ୍ୟ ଖବର

ବସ୍ ଓଲଟି ଜଣେ ମହିଳା ମୃତ

ଭଦ୍ରକ: ଭଦ୍ରକର ସାବରଙ୍ଗ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଭା‌ରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ୬ ଜଣ ଆହତକଙ୍କୁ ଚିକିତ୍ସା ନିମନ୍ତେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିଚୟ ମିଳି ନଥିବା ବେଳେ  ଆହତମାନେ ହେଲେ ରମାକାନ୍ତ (୪୩), ମୁଖୁଜୀ ପଲାଇ (୬୦), ପାର୍ବତୀ ପଲାଇ (୪୫), ଅନନ୍ତ (୫୦), ପରମାନନ୍ଦ ଦାସ( ୫୫), ଚିତ୍ରସେନ ସ୍ବାଇଁ ( ୫୨) ବୋଲି ଜଣାପଡିଛି। ସମସ୍ତ ଆହତଙ୍କର ଅବସ୍ଥା ଭଲ ରହିଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି।ଘଟଣାରୁ ପ୍ରକାଶ ଯେ, ଆଜି ଅପରାହ୍ନ ପ୍ରାୟ ସାଢେ ୪ ଟା ବେଳେ ଭଦ୍ରକର ( ଓଆର-୨୨-ବି-୧୩୮୭) ନମ୍ବର ଥିବା ‘କ୍ରିଷ୍ଣା ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଭଦ୍ରକରୁ ବାସୁଦେବପୁର ଅଭିମୁଖେ ଯାଉଥିଲା। ବସ୍‌ଟି ସାବରଙ୍ଗ ନିକଟସ୍ଥ ସମିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା। ରାସ୍ତାକଡ଼କୁ ବସ୍ ଓଲଟି ପଡିବା ପରେ ଘଟଣାସ୍ଥଳରେ ଗ୍ରାମବାସୀମ‌ାନେ ପହଞ୍ଚି ବସରୁ ତୁରନ୍ତ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଏଇ ବସ୍‌ ରେ ଯାଉଥିବା ଯାତ୍ରୀମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଗୁରୁତର ଆହତମାନଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଭଦ୍ରକକୁ ୭ ଜଣ ଆହତ ଚିକିତ୍ସା ପାଇଁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ନେଇ ଡାକ୍ତରଖାନା ସୂତ୍ରର ପ୍ରକାଶ। ମୃତ ମହିଳା ଯାତ୍ରୀଙ୍କର ଏବେ ସୁଦ୍ଧା ପରିଚୟ ମିଳି ନଥିବା ବେଳେ ତାଙ୍କ ଶବ ଡାକ୍ତରଖାନାରେ ରଖାଯାଇଛି। ତାଙ୍କର ପରିଚୟ ମିଳିବା ପରେ ପରିବାର ଲୋକଙ୍କୁ ଖବର ଦିଆଯିବ। ପରିବାରଲୋକ ଆସିବାପରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହାସ୍ତାନ୍ତର କରାଯିବ ବୋଲି ଭଦ୍ରକ ପୁଲିସ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *