ଦେଶ- ବିଦେଶ

ଇସ୍ତଫା ଦେବେ ନାହିଁ ମଣିପୁର ମୁଖ୍ୟମନ୍ତ୍ରୀ

ଇମ୍ଫାଲ,: ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂ ବର୍ତ୍ତମାନ  ତାଙ୍କ ପଦରୁ ଇସ୍ତଫା ଦେବେ ନାହିଁ। ସେ ଟୁଇଟ୍‌ କରି ଏହି  ଘୋଷଣା କରିଛନ୍ତି। ଏହାପୂର୍ବରୁ ସେ ରାଜ୍ୟପାଳ ଅନୂସୁୟା ଉଇକେଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିବେ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। କେନ୍ଦ୍ର ସରକାର ମଧ୍ୟ ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ଲଗାଇ ପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ବର୍ତ୍ତମାନ ତାଙ୍କ ଇସ୍ତଫା ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟିଛି।

ଶୁକ୍ରବାର ବିରେନ ସିଂଙ୍କ ସମର୍ଥକମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଏବଂ ଇମ୍ଫାଲରେ ରାଜ୍ୟପାଳଙ୍କ ଘର ବାହାରେ ଏକାଠି ହୋଇଥିଲେ। ଏହି ସମୟରେ ସୋସିଆଲ ମିଡିଆରେ ଏକ ଚିଠି ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ତାଙ୍କ ପଦରୁ ଇସ୍ତଫା ଦେଉଛନ୍ତି। ହେଲେ ଏହି ଚିଠିଟି ଚିରା ହୋଇଛି।

ଏହି ସମୟରେ ବିରେନ ସିଂ ଟୁଇଟ୍‌ କରି କହିଛନ୍ତି ଯେ ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି ନାହିଁ। ଏହାପୂର୍ବରୁ ମଣିପୁରର ସ୍ଥାନୀୟ ଲୋକମାନେ ନ୍ୟୁଜ ଏଜେନ୍ସି ଏଏନ୍‌ଆଇକୁ କହିଥିଲେ ଯେ ଆମେ ଚାହୁଁନାହୁଁ ଯେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ।

Leave a Reply

Your email address will not be published. Required fields are marked *