ଦେଶ- ବିଦେଶ

ପୋଡ଼ିଗଲା ବସ୍‌; ୨୫ ମୃତ

ମୁମ୍ବାଇ: ଶୁକ୍ରବାର ରାତିରେ ମହାରାଷ୍ଟ୍ର ଅନ୍ତର୍ଗତ ‘ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସ୍‌ୱେ’ରେ ଯାଉଥିବା ଗୋଟାଏ ବସ୍‌ରେ ନିଆଁ ଲାଗିଯିବାରୁ ପ୍ରାୟ ୨୫ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୮ଜଣ ଆହତ ହୋଇଥିବା କଥା ପୁଲିସ କହିଛି।

ବସ୍‌ଟି ଯବତମାଲ୍‌ରୁ ପୁଣେ ଯାଉଥିଲା ବେଳେ ରାତି ପ୍ରାୟ ୨ଟା ବେଳେ ବୁଲଢାଣା ଜିଲ୍ଲାରେ ଅଘଟଣ ଘଟିଥିବା କଥା ‘ନିଉଜ୍‌ ଏଜେନ୍‌ସି ଏ.ଏନ୍‌.ଆଇ.’ ରିପୋର୍ଟ କରିଛି।

ବୁଲଢାଣା ଡେପୁଟି ପୁଲିସ କମିସନର୍‌ ବାବୁରାଓ ମହାମୁନି କହିଛନ୍ତି, ବସ୍‌ରୁ ୨୫ଟି ଶବ ବାହାର କରାଯାଇଛି। ସେ ବସ୍‌ରେ ସମୁଦାୟ ୩୩ଜଣ ଲୋକ ଥିଲେ। ୬ରୁ ୮ଜଣ ଲୋକ ମଧ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ ବୁଲଢାଣା ସିଭିଲ୍‌ ହସ୍ପିଟାଲ୍‌କୁ ନିଆଯାଉଛି।

ବୁଲ୍‌ଢାଣା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ସୁନୀଲ କଡ଼ାସନେ କହିଛନ୍ତି, ସେ ବସ୍‌ରେ ଯାଉଥିବା ସମୁଦାୟ ୩୩ଜଣ ଲୋକଙ୍କ ମଧ୍ୟରୁ ୨୫ଜଣଙ୍କର ମୃତ୍ୟୁ ଘଟିଛି ଓ ୮ଜଣ ଆହତ ହୋଇଛନ୍ତି। ବଞ୍ଚିଯାଇଥିବା ଉକ୍ତ ବସ୍‌ର ଡ୍ରାଇଭର୍‌ କହିଛନ୍ତି ଯେ, ବସ୍‌ର ଗୋଟାଏ ଟାୟାର୍‌ ଫାଟି ଓଲଟି ପଡ଼ିବା ଯୋଗୁଁ ନିଆଁ ଲାଗିଗଲା। ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ଟାୟାର୍‌ ଫାଟିଯିବାରୁ ଘରୋଇ ବସ୍‌ଟି  ସିନ୍ଦଖେଡ଼ରାଜା ନିକଟରେ ରାସ୍ତା ‘ଡିଭାଇଡର୍‌’ ଆଡ଼କୁ ମାଡ଼ିଯାଇ ଓଲଟିପଡ଼ିଥିଲା ବୋଲି ସ୍ଥାନୀୟ ପୁଲିସ ମଧ୍ୟ କହିଛି।

Leave a Reply

Your email address will not be published. Required fields are marked *