ମୁଖ୍ୟ ଖବର

ଦର ବୃଦ୍ଧି ଉପରେ ସରକାରଙ୍କ ଲଗାମ୍‌ ନାହିଁ

ଭୁବନେଶ୍ବର : କେହି ଭୋକରେ ରହିବେ ନାହିଁ। ହେବନି ଅନାହାର ମୃତ୍ୟୁ। ଏଥିପାଇଁ ସରକାର ଟଙ୍କିକିଆ ଚାଉଳ ଯୋଗାଉଛନ୍ତି। ମାତ୍ର ଏବେ ଚିନ୍ତା ବଢ଼ାଇଛି ପରିବା ଦର। ଘରେ ଚାଉଳ ଥିଲେ ବି ସୁଷମ ଖାଦ୍ୟ ଏବେ ଅପହଞ୍ଚ। କାରଣ ତରକାରୀ ପାଇଁ ପରିବା କିଣିପାରୁନାହାନ୍ତି ଲୋକ। ବଜାରରେ ଅଧିକାଂଶ ପରିବା ଦର ଶହେ ଟଙ୍କା ଉପରେ। ଏମିତି ଉଚ୍ଚା ଦରରେ ପରିବା କିଣିବାକୁ ନେଇ ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ଚିନ୍ତାରେ ପଡ଼ିଛନ୍ତି। ପରିବା ଦର ଉପରେ ସରକାରଙ୍କ ଲଗାମ୍‌ ନଥିବାରୁ ଏଭଳି ସ୍ଥିତି ଉପୁଜିଛି। ତେଣୁ ଓଡ଼ିଶା ସାରା ଖାଉଟିଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି। ସରକାର ଟଙ୍କାକରେ ଚାଉଳ ଦେଇ ସିନା ଅନାହାର ମୃତ୍ୟୁକୁ ରୋକି ଦେବେ, ପରିବା ଦର ବୃଦ୍ଧି ଲାଗି ରହିଲେ ଅପପୁଷ୍ଟିଜନିତ ମୃତ୍ୟୁକୁ କେମିତି ରୋକିବେ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।

କିଛି ଦିନ ତଳେ ଯେଉଁ ପରିବା କିଲୋ ପିଛା ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଥିଲା, ଏବେ ବର୍ଷା ହେଉହେଉ ସେହି ପରିବା ଦର ପ୍ରାୟ ତିନି ଗୁଣ ବୃଦ୍ଧି ପାଇଛି। ଏବେ ଏକ ନମ୍ବର ହାଟରେ ବିନ୍‌ସ କିଲୋ ୨୫୦ ଟଙ୍କା ରହିଛି। ସେହିପରି ଝୁଡୁଙ୍ଗ କିଲୋ ୧୦୦ରୁ ୧୨୦, କ୍ୟାପସିକମ୍ ୧୫୦, ଫୁଲ କୋବି କିଲୋ ୮୦ ଟଙ୍କା, ବାଇଗଣ କିଲୋ ୯୦ରୁ ୧୧୦, ପୋଟଳ କିଲୋ ୧୦୦, ବିଲାତି କିଲୋ ୧୦୦, ଭେଣ୍ଡି କିଲୋ ୯୦, କାଙ୍କଡ଼ କିଲୋ ୯୦, କାକୁଡ଼ି କିଲୋ ୮୦, କଲରା କିଲୋ ୧୦୦, ସଜନାଛୁଇଁ କିଲୋ ୮୦ରୁ ୧୦୦ , କଞ୍ଚା ଲଙ୍କା କିଲୋ ୨୦୦ ଟଙ୍କା ଓ ସାରୁ କିଲୋ ୫୦ ଟଙ୍କା ରହିଛି। କଞ୍ଚା କଦଳୀ ଗୋଟାକୁ ୨୦ ଟଙ୍କା। ସେହିଭଳି କଖାରୁ, ଭଣ୍ଡା, ଲାଉ ଦର ସାମାନ୍ୟ କମ୍‌ (୪୦ରୁ ୫୦ ଟଙ୍କା କିଲୋ) ରହିଛି। ଏକ ନମ୍ବର ମାର୍କେଟ୍‌ ବାହା‌ରେ ଖୁଚୁରା ବ୍ୟବସାୟୀମାନେ ଉପରୋକ୍ତ ଦରଠାରୁ ୧୦ରୁ ୨୦ ଟଙ୍କା ଅଧିକ ଦରରେ ବିକ୍ରି କରୁଛନ୍ତି। ଏନେଇ ପରିବା ବ୍ୟବସାୟୀ ମହାସଂଘର ସଭାପତି କବିରାଜ ସ୍ବାଇଁଙ୍କ କହିବା କଥା ବଜାରକୁ ଏବେ ସ୍ଥାନୀୟ ଚାଷୀଙ୍କଠାରୁ ପରିବା ଆସୁନାହିଁ।

ଫଳରେ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ବେଙ୍ଗାଲୁରୁ, ଆନ୍ଧ୍ରପ୍ରଦେଶ, କୋଲକାତା, ନାସିକ, ରାୟପୁରରୁ ଚଢ଼ା ଦରରେ ପରିବା କିଣା ଯାଉଥିବାରୁ ଏଠି ଦର ବଢ଼ୁଛି। ଏଥିରେ କେବଳ ଖାଉଟି ନୁହନ୍ତି, ବ୍ୟବସାୟୀମାନେ ମଧ୍ୟ କ୍ଷତି ସହୁଛନ୍ତି। ଓଡ଼ିଶାର ଚାଷୀ ନୂଆ ଫସଲ ଅମଳ କରିନାହାନ୍ତି। ବର୍ଷାଦିନିଆ ନୂଆ ଅମଳ ଆସିବା ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ। ତେଣୁ ଆହୁରି ମାସେ କିମ୍ବା ତା’ଠୁ ଅଧିକ ଦିନ ପରିବା ଦର ଉଚ୍ଚା ରହିବ ବୋଲି ସେ କହିଛନ୍ତି।ଏବେ ଓଡ଼ିଶାର ଚାଷୀମାନେ ଖରିଫ୍ ଧାନ ଚାଷ ପାଇଁ ପ୍ରସ୍ତୁତ ହେଉଛନ୍ତି। ଖରା ଦିନରେ ଯେଉଁ ବିଲରେ ପରିବା ଚାଷ ‌ହେଉଥିଲା ତାକୁ ଏବେ ଧାନ ଚାଷ ପାଇଁ ପ୍ରସ୍ତୁତ କରାଯାଉଛି। ତେଣୁ ରବି ଋତୁରୁ ହୋଇଥିବା ପରିବା ଚାଷ ଶେଷ ହୋଇଯାଇଛି। ବର୍ଷା ଦିନ ଆରମ୍ଭ ହୋଇଯାଇଥିବାରୁ ଏହି ଅଞ୍ଚଳର ଚାଷୀମାନେ ଏବେ ଢିପ ଜମି ଦେଖି ପରିବା ଚାଷ କରିବେ। ତେଣୁ ବାଇଗଣ, ଭେଣ୍ଡି, ଜହ୍ନି, କାକୁଡ଼ି, ଝୁଡ଼ଙ୍ଗ, ଛଛିନ୍ଦ୍ରା ଭଳି ପରିବା ଅମଳ ହେବାକୁ ଆହୁରି ମା‌ସକରୁ ଅଧିକ ସମୟ ଲାଗିବ। ଏହି ସମୟରେ ଖାଉଟି ଦରବୃଦ୍ଧି ପ୍ରଭାବରେ ଛଟପଟ ହେବା ସ୍ବାଭାବିକ।

ଏ ସମ୍ପର୍କରେ ସମାଜସେବୀ ସୂର୍ଯ୍ୟ ରାଉଳ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ବିଚାର କରୁଛନ୍ତି ଯେ ସାଧାରଣ ଲୋକ ଭାତ ଖାଇଲେ ଚଳିଯିବ। ଆଉ କିଛି ଖାଇବା ଆବଶ୍ୟକତା ନାହିଁ। ସରକାରଙ୍କ ଏହି ମାନସିକତା ଯୋଗୁ ଓଡ଼ିଶା ପୁଷ୍ଟିହୀନତାର ଶିକାର ହେଉଛି। ଦେଶରେ ବୟସ ଅନୁସାରେ ଓଜନ କମିବା ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ପ୍ରଥମ ୧୦ଟି ରାଜ୍ୟ ମଧ୍ୟରେ ରହିଛି। ଭାତ ଖାଇଲେ ଶରୀରକୁ କାର୍ବୋହାଇଡ୍ରେଡ୍‌ ମିଳିବ, ହେଲେ ଅନ୍ୟ ସବୁ ପ୍ରୋଟିନ୍ କେମିତି ମିଳିବ? ଭାତ ଖାଇ ଜଣେ ହୁଏତ ଅନାହାର ମୃତ୍ୟୁରୁ ବର୍ତ୍ତି ଯିବ, କିନ୍ତୁ ଅପପୁଷ୍ଟିରୁ ମୃତ୍ୟୁରୁ ବର୍ତ୍ତି ପାରିବ ନାହିଁ। ଏବେ ସୁଷମ ଖାଦ୍ୟ ଗରିବ ଲୋକ ପାଇବା କଷ୍ଟକର। ମଧ୍ୟବିତ୍ତଙ୍କ ଉପରେ ଅତ୍ୟଧିକ ଚାପ ପଡ଼ୁଛି। ପେଟ୍ରୋଲ, ଡିଜେଲ୍‌ , ଗ୍ୟାସ୍‌, ବସ୍‌ ଭଡ଼ା ବଢ଼ି ବଢ଼ି ଚାଲିଛ। ତେଣୁ ସରକାର ଦୁଇଟି କଥା କଲେ, ଏ ସମସ୍ୟା ଦୂର ହେବ। କୋଲଡ୍‌ ଚେନ୍‌(ପରିବା କ୍ଷେତରୁ ବଜାର କିମ୍ବା ଶୀତଳ ଭଣ୍ଡାର) ଓ କୋଲ୍‌ଡ ଷ୍ଟୋର ବା ଶୀତଳ ଭଣ୍ଡାର ନିର୍ମାଣର ଆବଶ୍ୟକତା ରହିଛି।

Leave a Reply

Your email address will not be published. Required fields are marked *