ଅପରାଧ

ଗୁଳିଚୋଟରେ ତୃଣମୂଳ କଂଗ୍ରେସ କର୍ମୀ ନିହତ

କୋଲ୍‌କାତା: ଶନିବାର ଦିନ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ତୃଣମୂଳ କଂଗ୍ରେସର ଜଣେ କର୍ମୀଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା କଥା ପୁଲିସ କହିଛି।

ମୃତ କର୍ମୀଜଣକ ହେଉଛନ୍ତି, ଜିଆରୁଲ୍‌ ମୋଲ୍ଲା। ଗୁଳିଚୋଟରେ କ୍ଷତାକ୍ତ ହୋଇ ବାସନ୍ତୀ ଗ୍ରାମର ଗୋଟାଏ ରାସ୍ତାକଡ଼ରେ ସେ ପଡ଼ିଥିଲେ। ସେଠାରୁ ତାଙ୍କୁ ଉଠାଇ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ, ସେ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଥିଲେ।

ଜିଆରୁଲ୍‌ଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ‘ଯୁବ ତୃଣମୂଳ କଂଗ୍ରେସ’ର ସଦସ୍ୟ ଥିବାରୁ ତାଙ୍କୁ ବାରମ୍ବାର ହତ୍ୟା ଧମକ ଦିଆଯାଉଥିଲା। ରାଜନୈତିକ ଶତ୍ରୁତା ଯୋଗୁଁ ତାଙ୍କୁ ହତ୍ୟା କରାଯାଇଛି।

ବାପାଙ୍କ ମୃତ୍ୟୁ ବିଷୟରେ କହିବାକୁ ଯାଇ ଜିଆରୁଲ୍‌ ମୋଲ୍ଲାଙ୍କ ପୁଅ କହିଛନ୍ତି, ମୋ ବାପାଙ୍କର ଅନେକ ଶତ୍ରୁ ଥିଲେ। ତାଙ୍କର ରାଜନୈତିକ ଶତ୍ରୁତା ଥିଲା। ବିଭିନ୍ନ ନମ୍ବରରୁ ତାଙ୍କ ଫୋନ୍‌କୁ ହତ୍ୟା ଧମକ ଆସୁଥିଲା। ବାପା ‘ଟିଏମ୍‌ସି’ ଯୁବ ଶାଖାର ସଦସ୍ୟ ଥିବାରୁ ଗୋଷ୍ଠୀ ବଦଳାଇବା ଲାଗି ତାଙ୍କ ଉପରେ ଚାପ ପକାଯାଉଥିଲା।

ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *