ମୁଖ୍ୟ ଖବର

ଏସ୍‌ସିବିରେ ୫-ଟି ସଚିବ ସମୀକ୍ଷା କଲେ ନବୀକରଣ କାମ

ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ଓଡ଼ିଶା ନୁହେଁ ସାରା ଦେଶର ଏକ ମର୍ଯ୍ୟଦାଜନକ ଚିକିତ୍ସା ପ୍ରତିଷ୍ଠାନ। ଶିକ୍ଷା ଓ ଚିକିତ୍ସା କ୍ଷେତ୍ରରେ ଏହାର ଏକ ବିଶେଷ ସୁନାମ ରହିଛି । ଏହାକୁ ଏକ ବିଶ୍ୱସ୍ତରୀୟ ଚିକିତ୍ସା ଓ ଶିକ୍ଷା ଅନୁଷ୍ଠାନ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ତଦନୁଯାୟୀ ୫-ଟି ଉପକ୍ରମରେ ଏହାର ସଂପ୍ରସାରଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଏହାକୁ ୫୦୦୦ ଶଯ୍ୟା ବିଶିଷ୍ଟ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ ଭାବେ ଗଢିବା ପାଇଁ କାମ ଜାରି ରହିଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ସୋମବାର ସକାଳେ କଟକ ଯାଇ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ବର୍ତ୍ତମାନ ଏଲ୍‌ଆଣ୍ଡଟି ଦ୍ୱାରା ଚାରି ଗୋଟି କ୍ଲିନିକାଲ ବ୍ଲକ ଓ ଏନ୍‌ସିସି ଦ୍ୱାରା ୧୩ଟି ଆବାସିକ ବ୍ଲକର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି ବ୍ଲକ ଗୁଡିକର କାମ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଥିଲେ। ଏହି ସମୀକ୍ଷା ସମୟରେ ପୂର୍ତ୍ତ ବିଭାଗର ସଚିବ ଭିଭିକେ ଯାଦବ ଓ ଜିଲ୍ଲାପାଳ ଭବାନୀ ପ୍ରସାଦ ଚଇନି ପ୍ରମୁଖ ଉପସ୍ଥିତି ଥିଲେ।

Leave a Reply

Your email address will not be published. Required fields are marked *