ମୁଖ୍ୟ ଖବର

କଣ୍ଟାମାଳରେ ଶୁଭିଲା ‘ପାଣ୍ଡିଆନ ଗୋ ବ୍ୟାକ୍‌’ ନାରା

କଣ୍ଟାମାଳ : ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଆମ୍ବଗାଁରେ ବୁଧବାର ୫ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ କାର୍ଯ୍ୟକ୍ରମକୁ ବିରୋଧ କରିଛି ବିଜେପି। ୫ଟି ସଚିବଙ୍କ ଗସ୍ତକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି କଣ୍ଟାମାଳ ବିଜେପି କର୍ମୀମାନେ। କହ୍ନେଇ ଚରଣ ଡାଙ୍ଗଙ୍କ ନେତୃତ୍ୱରେ ଇଞ୍ଜିନିୟର୍‌ ରାକେଶ ତ୍ରିପାଠୀ ଓ ଅନ୍ୟମାନେ ମିଶି ଏହି ବିରୋଧ ପ୍ରଦର୍ଶନ କରିଛନ୍ତି।

ଆମ୍ବଗାଁ ପଡିଆରେ ସଚିବଙ୍କ ସଭା ଏବଂ ୫ଟି ସ୍କୁଲ ପରିଦର୍ଶନର କାର୍ଯ୍ୟକ୍ରମ ରହିଛି । ଏଣୁ ବିଜେପିର ନେତା ଓ କର୍ମୀ ପାଣ୍ଡିଆନଙ୍କ ଏହି ଗସ୍ତକୁ ତୀବ୍ର ବିରୋଧ ପ୍ରଦର୍ଶନ କରିଛନ୍ତି। ସଭାସ୍ଥଳକୁ ଯିବାପାଇଁ ଥିବା ମୁଖ୍ୟ ଗେଟ ସମ୍ମୁଖରେ ବିଜେପିର ନେତା ଓ କର୍ମୀମାନେ କଳା ପତାକା ପ୍ରଦର୍ଶନ କରିବା ସହ ‘ପାଣ୍ଡିଆନ ଗୋ ବ୍ୟାକ୍‌’ ନାରା ଦେଇଛନ୍ତି। ଏମିତକି କର୍ମୀମାନେ ସଭାସ୍ଥଳକୁ ଯିବା ପାଇଁ ଧସେଇ ପଶୁଥିବା ବେଳେ ପୁଲିସ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ବିଭିନ୍ନ ଅଞ୍ଚଳକୁ ୫ଟି ସଚିବ ଗସ୍ତ କରିଥିବା ବେଳେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲା କୋଟ ସମଲେଇ-ଉଲୁଣ୍ଡା ରାସ୍ତାରେ ଆମ ଆଦମୀ ପାର୍ଟି ପକ୍ଷରୁ ୫ଟି ସଚିବଙ୍କ କାରକେଡକୁ ଅଣ୍ଡାମାଡ଼ କରାଯାଇଥିଲା। ଏହା ସରକାରୀ ଗସ୍ତ ନୁହେଁ, ବରଂ ଏହା ବିଜେଡି ଦଳର ଗସ୍ତ ବୋଲି ଆମ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ ହୋଇଥିଲା। ପୂର୍ବରୁ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତକୁ ବିଜେପି ଓ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଛି।

ଗତ ୨୯ ତାରିଖରେ ୫ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ଜଗତସିଂହପୁର ଗସ୍ତ କାର୍ଯ୍ୟକ୍ରମକୁ ପାରାଦୀପ ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ବିରୋଧ କରାଯାଇଥିଲା। ବିଜେପି ନେତା ସମ୍ପଦ ସ୍ୱାଇଁଙ୍କ ନେତୃତ୍ବରେ ବିଜେପି ମହିଳା ମୋର୍ଚ୍ଚା ଓ ଯୁବମୋର୍ଚ୍ଚା ପକ୍ଷରୁ ରାହାମା, କୁଜଙ୍ଗ ଏବଂ ପାରାଦୀପର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କୁଜଙ୍ଗରେ ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ମହିଳା ସରକାରଙ୍କ ମହିଳା ବିରୋଧୀ ମନୋଭାବ ବିରୋଧରେ କଳା ଶାଢ଼ି ପିନ୍ଧି ପ୍ରତିବାଦ କରିଥିଲେ। ୫-ଟି ସଚିବ ହେଲିକପ୍ଟର୍‌ରେ ପାରାଦୀପ ଆସିଥିବାରୁ ଆକାଶରେ କଳା ବେଲୁନ୍‌ ଉଡ଼ାଇ ବିରୋଧ କରିଥିଲେ। କର୍ମୀମାନେ ‘ପାଣ୍ଡିଆନ୍ ଗୋ ବ୍ୟାକ୍’ ସ୍ଲୋଗାନ୍ ମଧ୍ୟ ଦେଉଥିବାର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *