ମହାନଗର

୩ ଏକର ପ୍ରକଳ୍ପ ପାଇଁ ୭.୫ ଏକର ନଷ୍ଟ

ପଟିଆ : ଐତିହ୍ୟ ସମ୍ପନ୍ନ ଶିଖରଚଣ୍ଡୀ ପରିବେଶ ପୁନରୁଦ୍ଧାର ପାଇଁ ଯୋଜନ‌ା ପ୍ରସ୍ତୁତ କରାଯାଉ। ଏହାର ଚାରିପାଖରେ ଉପଯୁକ୍ତ ବାଡ଼ ବ୍ୟବସ୍ଥା ରହିବା ସହ ମୃତ୍ତିକା ଓ ଜଳ ସଂରକ୍ଷଣ ଏବଂ ପାହାଡ଼ର ଖୋଲା ସ୍ଥାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ବୃକ୍ଷରୋପଣ କରାଯିବାର ଆବଶ୍ୟକତା ରହିଛି। ପାହାଡ଼ରେ ଥିବା ସମସ୍ତ ବେଆଇନ ଜବରଦଖଲ ଉଚ୍ଛେଦ ହେବା ଦରକାର। ଶିଖରଚଣ୍ଡୀରେ ଥିବା ପୁରାତନ ମନ୍ଦିରକୁ ଦେଖିବାକୁ ଦୈନିକ ବହୁ ପର୍ଯ୍ୟଟକ ଆସୁଥିବାରୁ ସେଠାରେ ପର୍ଯ୍ୟଟନ ଓ ଚିତ୍ତବିନୋଦନ ପାଇଁ ସୁବିଧା ସୁଯୋଗ ବିକାଶ କରାଯିବା ସମୟରେ ଅତି ଅଳ୍ପ ମାତ୍ରାରେ ଯେପରି ବୃକ୍ଷ ପ୍ରଭାବିତ ହେବ ସେଥିପ୍ରତି ଦୃଷ୍ଟି ଦିଆଯାଉ। ସର୍ବନିମ୍ନ ଜାଗା (୩ ଏକର)ରେ ଯେଭଳି ପାଣି ଟାଙ୍କି ତିଆରି ହୋଇପାରିବ ଓ ଆବଶ୍ୟକ ସ୍ଥଳେ ପାଇପ୍‌ ଲାଇନ୍‌ ବିଛାଇବାକୁ ଅନୁମତି ଦିଆଯାଇପାରେ। ଅବଶିଷ୍ଟ ଜମିରେ ସ୍ବଦେଶୀ ଉଦ୍ଭିଦକୁ ନେଇ ବନୀକରଣ ହେବା ଜରୁରୀ।ଶିଖରଚଣ୍ଡୀ ପାହାଡ଼ରେ ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ପାଇଁ ଗଛ କାଟିବା ପ୍ରସଙ୍ଗରେ ତଦନ୍ତ କରିଥିବା ୪ଜଣିଆ କମିଟି ଏନ୍‌ଜିଟି ନିକଟରେ ଏଭଳି ରିପୋର୍ଟ ଦାଖଲ କରିଛନ୍ତି। କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ମୋଟ ୨୪୭.୬୫୬ ଏକର ପରିମିତ ଜମିରେ ଏହି ପାହାଡ଼ ରହିଛି। ସେଥିମଧ୍ୟରୁ ପଟିଆ ମୌଜାରେ ୨୧୨.୫ ଏକର ଏବଂ ପଥରଗାଡ଼ିଆ ମୌଜାରେ ୩୫.୧୫୬ ଏକର ରହିଛି। ଡିଏଫ୍‌ଓଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ କମିଟି ଦର୍ଶାଇଛି ଯେ ଶିଖରଚଣ୍ଡୀ ପାହାଡ଼ ଜଙ୍ଗଲ ଜମି ଅଧୀନରେ ଆସୁନାହିଁ। ୧୯୮୦ ପୂର୍ବରୁ ଏହା ପାହାଡ଼/ପର୍ବତ କିସମ ଜମି ରହିଥିଲା। ଡିଏଲ୍‌ସି ଅଧୀନରେ ଏହି ଜମି ଆସୁନାହିଁ। ଚନ୍ଦକା ବନ୍ୟପ୍ରାଣୀ ଅଭୟାରଣ୍ୟ ନିକଟରେ ଏହା ରହିଥିଲେ ମଧ୍ୟ ଇକୋ ସେନ୍‌ସିଟିଭ୍‌ ଜୋନ୍‌ (ଇଏସ୍‌ଜେଡ୍‌) ଅଧୀନରେ ଆସୁନାହିଁ। ସୁପ୍ରିମକୋର୍ଟଙ୍କ ରାୟ ମୁତାବକ ସଂରକ୍ଷିତ ଜଙ୍ଗଲର ଗୋଟିଏ କିଲୋମିଟର ଭିତରେ କୌଣସି ପ୍ରକାର ନିର୍ମାଣକୁ ଅନୁମତି ଦିଆଯାଇପାରିବ ନାହିଁ। ମାତ୍ର ଚନ୍ଦକା ବନ୍ୟପ୍ରାଣୀ ଅଭୟାରଣ୍ୟ ଇଏସ୍‌ଜେଡ୍‌ ମଧ୍ୟରେ ଆସୁ ନ ଥିବାରୁ ତାହାର କୌଣସି ପ୍ରଭାବ ନାହିଁ। ଇଏସ୍‌ଜେଡ୍‌ ଅଧୀନରେ ଏହି ଅଞ୍ଚଳ ଆସୁନାହିଁ କି ଏହା ଜଙ୍ଗଲ ଜମି ନୁହେଁ। ଗଛ କାଟିବା ପାଇଁ ୱାଟ୍‌କୋ ପକ୍ଷରୁ କୌଣସି ଅନୁମତି ନିଆଯାଇ ନ ଥିବା ଡିଏଫ୍‌ଓ କମିଟିର ସଦସ୍ୟଙ୍କୁ କହିଛନ୍ତି।

ଗସ୍ତ ସମୟରେ କମିଟି ଦେଖିବାକୁ ପାଇଛି ଯେ ପାନୀୟ ଜଳ ସଂରକ୍ଷଣ ପାଇଁ ମାତ୍ର ୩ ଏକର ପରିମିତ ଜମି ଆବଶ୍ୟକ। ମାତ୍ର ଇଡ୍‌କୋ ପକ୍ଷରୁ ୱାଟ୍‌କୋକୁ ୪ ଏକର ଜମି ଯୋଗାଇ ଦିଆଯାଇଛି। ୩ ଏକରରେ ପ୍ରକଳ୍ପ ନିର୍ମାଣ ପାଇଁ ପାହାଡ଼ର ୭.୫ ଏକର ଜମିକୁ ନଷ୍ଟ କରାଯାଇଛି। ଗଛ କଟାଯାଇ ରାସ୍ତା ନିର୍ମାଣ ହୋଇଛି। ଲୋକଙ୍କ ଅଭିଯୋଗ ଅନୁଯାୟୀ ୱାଟ୍‌କୋ ପକ୍ଷରୁ ଆବଶ୍ୟକତାଠାରୁ ଅଧିକ ଜମିରୁ ଗଛ କଟାଯାଇଛି। ଜଙ୍ଗଲ ବିଭାଗର ବିନା ଅନୁମତିରେ ୱା‌ଟ୍‌କୋ ଏଠାରେ ବେଧଡ଼କ ଭାବେ ଗଛ ନଷ୍ଟ କରିଛି। ପରିବେଶ ଅନୁମତି ନ ନେଇ କାମ କରାଯାଉଛି। ପାହାଡ଼ରେ ପ୍ରକଳ୍ପ କରିବା ବଦଳରେ ଏହାକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକାଶ କରିବାକୁ ଲୋକେ ମତପ୍ରକାଶ କରିଛନ୍ତି।

ସେପଟେ କମିଟି ସମ୍ମୁଖରେ ୱାଟ୍‌କୋ କର୍ତ୍ତୃପକ୍ଷ କହିଛନ୍ତି ‌ଯେ ପ୍ରକଳ୍ପ ନିର୍ମାଣ ଲାଗି ପାହାଡ଼ ଉପରକୁ ଯିବା ପାଇଁ କୌଣସି ରାସ୍ତା ନାହିଁ। ଗାଡ଼ି ଯିବା ପାଇଁ ବୁଦା କଟାଯାଇ ରାସ୍ତା ନିର୍ମାଣ ହୋଇଛି। ତେଣୁ ଡିଏଫ୍‌ଓଙ୍କଠାରୁ କୌଣସି ଅନୁମତି ଲୋଡ଼ାଯାଇ ନ ଥିଲା। ଭୁବନେଶ୍ବର ସହର ବଢ଼ୁଥିବାରୁ ପାନୀୟ ଜଳ ସମସ୍ୟା ମେଣ୍ଟାଇବା ଲାଗି ଏହି ପ୍ରକଳ୍ପର ଯଥେଷ୍ଟ ଆବଶ୍ୟକତା ରହିଛି। ସହରରେ ଏଭଳି କୌଣସି ସ୍ଥାନ ନାହିଁ ଯେଉଁଠି ସମସ୍ତଙ୍କ ନିକଟରେ ପାଣି ପହଞ୍ଚାଯାଇ ପାରିବ। ଏହି ପ୍ରକଳ୍ପ ପାଇଁ ୩.୬ ଏକର ଜମି ଚିହ୍ନଟ ହୋଇଛି। ପ୍ରକଳ୍ପ ଦ୍ବାରା ୪ ଲକ୍ଷ ଲୋକ ‌ଉପକୃତ ହେବେ, ଯାହାକି ଭୁବନେଶ୍ବରର ୩୦%। ପାହାଡ଼ର ସୀମା ଚିହ୍ନଟ କରିବାକୁ ସମୟ ଲାଗିବ। ଆସନ୍ତା ଏକ ମାସ ମଧ୍ୟରେ ସୀମା ଚିହ୍ନଟ କରିବାକୁ ଭୁବନେଶ୍ବର ତହସିଲଦାର ଆଶ୍ବାସନା ଦେଇଥିବା କମିଟି ନିଜ ରିପୋର୍ଟରେ ଦର୍ଶାଇଛି।

ଶିଖରଚଣ୍ଡୀ ପାହାଡ଼ରୁ ଗଛ କାଟି ଜୈବ ବିବିଧତା ନଷ୍ଟ କରିବା ସହ ପାହାଡ଼କୁ କ୍ଷତ ବିକ୍ଷତ କରାଯାଇଛି। ଚନ୍ଦକା ଡିଏଫ୍‌ଓଙ୍କ ବିନା ଅନୁମତିରେ ପାହାଡ଼ ଉପରୁ ଅନେକ ମୂଲ୍ୟବାନ ଗଛ କଟାଯାଇ ଜୈବ ବିବିଧତା ନଷ୍ଟ କରାଯାଇଛି। ଯେଉଁ ବ୍ୟକ୍ତିମାନେ ବିନା ପରାମର୍ଶରେ ଶିଖରଚଣ୍ଡୀ ପାହାଡ଼ରୁ ଗଛ କାଟିଛନ୍ତି ଓ ପାହାଡ଼ ଭାଙ୍ଗିଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରିନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଦିଲ୍ଲୀପ ଶ୍ରୀଚନ୍ଦନ ଏକ ପ୍ରେସ୍ ବିବୃତ୍ତିରେ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୨୪ ତାରିଖରେ ଏନ୍‌ଜିଟିର ୪ଜଣିଆ କମିଟି ଜଙ୍ଗଲ ବିଭାଗ ଡେପୁଟି ଡାଇରେକ୍ଟର ଜେନେରାଲ ଏ ପି ମିଶ୍ର, ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ସିପିସିଭି ଆଞ୍ଚଳିକ ନିର୍ଦ୍ଦେଶକ ସନ୍ଦୀପ ରାୟ, ଓଏସ୍‌ପିସିବି ଅଫିସର ସୋହନ ଗିରି ତଦନ୍ତ କରି ରିପୋର୍ଟ ଦାଖଲ କରିଛନ୍ତି। ଏନ୍‌ଜିଟିରେ ବୁଧବାର ଏହି ମାମଲାର ଶୁଣାଣି ହେବ।

Leave a Reply

Your email address will not be published. Required fields are marked *