ମୁଖ୍ୟ ଖବର

ଯୁକ୍ତ ୨ ପ୍ରଥମ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଲା

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା ଗୁରୁବାର ପ୍ରକାଶିତ ହୋଇଛି। ଏଥର ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଗରେ ରହିଛି। ଏହି ଶିକ୍ଷାନୁଷ୍ଠାନରେ କଳାରେ ୮୦, ବିଜ୍ଞାନରେ ୯୧.୬୭ ଓ ବାଣିଜ୍ୟରେ ୭୯.୨୦ ପ୍ରତିଶତ କଟ୍‌ ଅଫ୍‌ ରହିଛି।

ସେହିପରି ଶିକ୍ଷାବର୍ଷ ୨୦୨୩-୨୪ର ପ୍ରଥମ ଦଫାରେ ମୋଟ୍‌ ୪,୧୨,୩୬୮ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି। ଏଥିରୁ କଳାରେ ୨,୫୩,୧୭୮, ବିଜ୍ଞାନରେ ୧,୨୧,୦୨୩ ଓ ବାଣିଜ୍ୟରେ ୨୫,୧୬୮ ଜଣ ସାମିଲ ଅଛନ୍ତି। ସେହିପରି ଉପଶାସ୍ତ୍ରୀରେ ୭,୭୭୯  ଓ ଭୋକେସନାଲରେ ୫,୨୦୦ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ମୋଟ୍‌ ୨,୦୩,୫୪୩ ଛାତ୍ର, ୨,୦୮,୭୭୮ ଛାତ୍ର ଓ ୪୭ ଜଣ ଅନ୍ୟ ବର୍ଗରୁ ନାମ ଲେଖାଇବା ପାଇଁ ଚୟନ ହୋଇଥିବା ବେଳେ ୪,୭୨,୨୭୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୯,୯୧୧ ଜଣଙ୍କୁ ଦ୍ବତୀୟ ପର୍ଯ୍ୟାୟରେ ନାମ ଲେଖାଇବା ପାଇଁ ଚୟନ କରାଯିବ ବୋଲି ଜଣାପଡ଼ିଛି। ତେବେ ମାଧ୍ୟମିକ ଶିକ୍ଷା ବୋର୍ଡରୁ ଉତ୍ତୀର୍ଣ୍ଣ ହୋଇ ଯୁକ୍ତ ୨ରେ ପାଠ ପଢ଼ିବା ପାଇଁ ଆବେଦନ କରିଥିବା ୪,୪୮,୨୭୮ ଜଣଙ୍କ ମଧ୍ୟରୁ ୩,୮୯,୪୯୪ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ମନୋନୀତ କରାଯାଇଛି।

ଆଜି ପ୍ରକାଶିତ ତାଲିକାରେ ଯେଉଁ ଛାତ୍ରଛାତ୍ରୀମାନେ ସାମିଲ ହୋଇଛନ୍ତି, ସେମାନେ ଆସନ୍ତାକାଲି (ଜୁଲାଇ ୭) ଠାରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ଗତ ମେ’ ମାସ ୨୯ ତାରିଖ ଠାରୁ ନାମଲେଖା ଆବେଦନ ଆରମ୍ଭ ହୋଇଥିବା ବେଳେ ଜୁନ୍ ୩୦ରେ ଶେଷ ହୋଇଥିଲା । ନାମଲେଖା ପ୍ରକ୍ରିୟା ଜୁଲାଇ ୨୯ ତାରିଖ ସୁଦ୍ଧା ଶେଷ କରାଯିବ। ଅଗଷ୍ଟ ୧ ତାରିଖରୁ ଆରମ୍ଭ ହେବ ପାଠପଢ଼ା।

Leave a Reply

Your email address will not be published. Required fields are marked *