ମୁଖ୍ୟ ଖବର

ନିଜ ଖର୍ଚ୍ଚରେ ଷ୍ଟାଡିୟମ ପାଚେରି ନିର୍ମାଣ କରିବ ଠିକାସଂସ୍ଥା

ରାଉରକେଲା : ରାଉରକେଲାରେ ୩୫ ଫୁଟ୍‌ର ହକି ସ୍ମାରକୀ ଟଳି ପଡିବାର ୨୪ଦିନ ନ ବିତୁଣୁ ହକି ଷ୍ଟାଡିମୟ ନିକଟରେ ନିର୍ମିତ ୫୦ଫୁଟ୍‌ ପାଚେରିକୁ ଭାଙ୍ଗି ଦିଆଯାଇଛି। ପାଚେରିରେ ଫାଟ ଯୋଗୁ ଆର୍‌ଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡିଛି। ସେହିପରି ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ୬ ନମ୍ବର ପ୍ରବେଶ ପଥରେ ନିର୍ମିତ କାନ୍ଥରେ ମଧ୍ୟ ଏକ ବଡଧରଣର ଫାଟ ସୃଷ୍ଟି ହୋଇଛି। ଏହା ମରାମତି ନ ହେଲେ ଭୁଶୁଡି ପଡିବା ଆଶଙ୍କା କରାଯାଉଛି। ଅନ୍ୟପକ୍ଷେ ପାଚେରି ଭଙ୍ଗାଯିବା ଘଟଣାକୁ ନେଇ ବିରୋଧୀ ଭାଜପା ଓ କଂଗ୍ରେସ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏ ନେଇ ରାଜ୍ୟ ଭାଜପା ମୁଖପାତ୍ର ଧୀରେନ ସେନାପତି କହିଛନ୍ତି, ହକି ସ୍ମାରକୀ ଟଳି ପଡିବା ମାମଲା ଶିଥିଳ ହୋଇନାହିଁ। ଆମେ ଯାହା କହୁଥିଲୁ ସତ ହେଲା। ପାଚେରି ବି ଧସିଲା। ଏଣୁ ଭାଜପା ଏହାର ସିବିଆଇ ତଦନ୍ତ ଦାବି କରୁଛି।

ସେହିପରି କଂଗ୍ରେସ ନେତା କୈଳାସ ସାହୁ କହିଛନ୍ତି, ଘଟଣାଟି ବିଜେଡି ଓ ଭାଜପାର ମିଳିତ ଦୁର୍ନୀତିର ନମୁନା। ସ୍ମାରକୀ ଟଳି ପଡିବା ଦିନଠାରୁ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି। ଆଗକୁ ଉଭୟ ବିଜେଡି, ଭାଜପା ଦଳକୁ ଅଞ୍ଚଳବାସୀ ଜବାବ ଦେବେ । ଏ ନେଇ ରାଉରକେଲା ଡେପୁଟି କମିଶନର ସୁଧାଂଶୁ ଭୋଇଙ୍କୁ ପଚାରିବାରୁ ସେ କହିଲେ, ପାଚେରିରେ ଫାଟ ସୃଷ୍ଟି ହୋଇଥିଲା। ଏଣୁ ତାକୁ ଭାଙ୍ଗି ଦିଆଯାଇଛି। ବର୍ଷାରେ ପାଚେରି ଭାଙ୍ଗିନାହିଁ। ନିର୍ମାଣକାରୀ ଠିକାସଂସ୍ଥା ନିଜ ଖର୍ଚ୍ଚରେ ଖୁବଶୀଘ୍ର ପାଚେରିର ପୁନରଦ୍ଧାର ଏବଂ ନିର୍ମାଣ କାର୍ଯ୍ୟ କରିବ। ଏଥିପାଇଁ ଉକ୍ତ ସଂସ୍ଥାକୁ ନୋଟିସ ଜାରି କରାଯାଇଛି ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *