ରାଜ୍ୟ

ମଧ୍ୟାହ୍ନ ଭୋଜନରେ ବିନା ପରିବାରେ ଡ଼ାଲମା


ନିମାପଡ଼ା:ଗତ କିଛି ଦିନ ଧରି ସାରା ରାଜ୍ୟରେ ଯେପରି ଅହେତୁକ ଭାବେ ପନିପରିବା ର ଦର ବୃଦ୍ଧି ପାଇଛି ତାର ସିଧାସଳଖ ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ପଡ଼ିଛି । ସେଥିରୁ ବାଦ ପଡ଼ିନାହାନ୍ତି ସରକାରୀ ସ୍କୁଲ ର ଛାତ୍ର ଛାତ୍ରୀ।ରାଜ୍ୟ ସରକାର ସମସ୍ତ ସରକାରୀ ପ୍ରାଥମିକ ସ୍କୁଲ ରେ ଶିକ୍ଷାଗ୍ରହଣ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ମଧ୍ୟାହ୍ନଭୋଜନ ର ବ୍ୟବସ୍ଥା କରିଛନ୍ତି। ମଧ୍ୟାହ୍ନ ଭୋଜନ ରେ ପିଲାମାନଙ୍କୁ ସାପ୍ତାହିକ ସୂଚୀ ଅନୁଯାଇ ଭାତ ଡାଲମା, ଭାତ ଅଣ୍ଡା ତରକାରୀ, ଭାତ ସୋୟାବିନ ବଡି ତରକାରୀ ଖାଇବାକୁ ଦିଆ ଯାଇଥାଏ। ଏହି ମଧ୍ୟାହ୍ନ ଭୋଜନ ଖାଦ୍ୟ ପାଇଁ ଗଣ ଶିକ୍ଷାବିଭାଗ ପକ୍ଷରୁ ପିଲାଙ୍କ ମୁଣ୍ଡପିଛା ପାଞ୍ଚ ଟଙ୍କା ନବେ ପଇସା ସ୍କୁଲ ମାନଙ୍କୁ ପ୍ରଦାନ କରାଯାଉଛି।ଏହି ଅର୍ଥରାଶିରେ ସ୍କୁଲର ଶିକ୍ଷକ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମମାନର ପୃଷ୍ଟିକର ଖାଦ୍ୟ ଖାଇବାକୁ ଦେଇଆସୁଥିଲେ। ଏବେ ବଜାରରେ ପନିପରିବା ଏବଂ ଅନ୍ୟାନ୍ୟ ସାମଗ୍ରୀର ଆକାଶଛୁଆଁ ଦରଦାମ ବୃଦ୍ଧି ପାଇଥିବାରୁ ଛାତ୍ର ଛାତ୍ରୀ ମାନଙ୍କୁ ସେହି ଟଙ୍କାରେ ଉତ୍ତମ ମାନର ଖାଦ୍ୟ ଯୋଗାଇଦେବାରେ ଏବେ ସମସ୍ୟା ଦେଖାଦେଇଛି। ପୂର୍ବରୁ ବଜାରରେ ସ୍ଵାଭାବିକ ଦର ରେ ପରିବା ମିଳୁଥିବା ବେଳେ ଏବେ ସେହି ପରିବା ଦର ଚାରିଗୁଣ ଭାବେ ବୃଦ୍ଧିପାଇଛି। ବଜାରରେ ବାଇଗଣ କିଲୋପିଛା ୯୦ ଟଙ୍କା ପୋଟଳ କିଲୋପିଛା ୧୦୦ଟଙ୍କା ଟମାଟୋ କିଲୋପିଛା ୧୪୦ଟଙ୍କା ଝୁଡ଼ଙ୍ଗ କିଲୋପ୍ରତି ୧୨୦ଟଙ୍କା ଅଦା କିଲୋପ୍ରତି ୩୦୦ଟଙ୍କା ଜିରା କିଲୋପ୍ରତି ୧୦୦୦ଟଙ୍କା ରହିଥିଲା ବେଳେ ଅଣ୍ଡା ଗୋଟିକ ପ୍ରତି ୭ଟଙ୍କା ରହିଛି । ଏହିଭଳି ଦରଦାମ ବୃଦ୍ଧି ଘଟିବା ପରେ ଏବେ ମଧ୍ୟାହ୍ନଭୋଜନ ରେ ପରିବା ଉଭାନ ହୋଇଯାଇଛି। ପୂର୍ବରୁ ପୋଟଳ, କାଙ୍କଣ, ଟମାଟୋ, ଝୁଡ଼ଙ୍ଗ ଭଳି ବିଭିନ୍ନ ପନିପରିବା ମିଶାଯାଇ ତରକାରୀ ପ୍ରସ୍ତୁତ ହେଉଥିବା ବେଳେ ଏବେ କେବଳ ଆଳୁ, ଆମ୍ବୃତ ଭଣ୍ଡା, କଖାରୁ ପରିବା ରେ ଡାଲମା ପ୍ରସ୍ତୁତ କରାଯାଉଛି। ସେହିଭଳି ପୂର୍ବରୁ ଅଣ୍ଡା ଗୋଟି ୪ଟଙ୍କାରୁ ୫ଟଙ୍କା ରହିଥିବା ବେଳେ ଏବେ ସେହି ଅଣ୍ଡା ର ମୂଲ୍ୟ ଗୋଟା ୭ଟଙ୍କା ଉପରେ ରହିଛି।ତେଣୁ ପରିଚାଳନା ଦାଇତ୍ୱ ରେ ରହିଥିବା ଶିକ୍ଷକ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ କିପରି ମଧ୍ୟାହ୍ନ ଭୋଜନ ର ସୁପରିଚାଳନା କରିବେ ସେଥିପାଇଁ ଏକରକମ ଚିନ୍ତା ରେ ପଡିଛନ୍ତି। ତେଣୁ ସରକାର ଏ ବିଷୟରେ ଚିନ୍ତା କରି ମଧ୍ୟାହ୍ନ ଭୋଜନ ପାଇଁ ପ୍ରଦାନ କରା ଯାଉଥିବା ଅନୁଦାନ ବୃଦ୍ଧି ପାଇଁ ଅଭିଭାବକ ମହଲରେ ଦାବିହେଉଛି |

Leave a Reply

Your email address will not be published. Required fields are marked *