ମୁଖ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଶଦ୍ରୋହ ନୁହେଁ : ହାଇକୋର୍ଟ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପଶବ୍ଦ କହିବା ଅପମାନଜନକ ଏବଂ ଦାୟିତ୍ୱହୀନ କିନ୍ତୁ ଏହା ଦେଶଦ୍ରୋହ ନୁହେଁ ବୋଲି ରାୟ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଏହା ସହିତ ଏକ ସ୍କୁଲର ପରିଚାଳନା କମିଟିକୁ ଦେଶଦ୍ରୋହ ଅଭିଯୋଗରୁ ମୁକ୍ତ କରିଛନ୍ତି ।

ଉଚ୍ଚ ନ୍ୟାୟାଳୟର କଲବୁର୍ଗି ଶାଖାର ବିଚାରପତି ହେମନ୍ତ ଚନ୍ଦନଗୌଦାର ଶୁକ୍ରବାର ବିଦରର ନ୍ୟୁଟାଉନ ଥାନାରେ ରୁଜୁ ହୋଇଥିବା ଏଫଆଇଆରକୁ ଖାରଜ କରିବା ସହ ବିଦରସ୍ଥିତ ଶାହିନ ସ୍କୁଲ ପରିଚାଳନାରେ ସମସ୍ତ ଅଭିଯୁକ୍ତ ଆଲାଉଦ୍ଦିନ, ଅବଦୁଲ ଖାଲିକ, ମହମ୍ମଦ ବିଲାଲ ଇନାମଦାର ଏବଂ ମହମ୍ମଦ ମେହତାବଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି। ଅଦାଲତ କହିଛନ୍ତି ଯେ ଏହି ମାମଲାରେ ବିଭିନ୍ନ ଧାର୍ମିକ ଗୋଷ୍ଠୀ ମଧ୍ୟରେ ସୌହାର୍ଦ୍ଦ୍ୟ ଭଙ୍ଗ କରିବା ପାଇଁ ଆଇନର ଧାରା ୧୫୩(ଏ) ଉପଯୁକ୍ତ ମନେ ହୋଇନାହିଁ ।

ଜଷ୍ଟିସ ଚନ୍ଦନଗୌଦର ତାଙ୍କ ରାୟରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ଗାଳି ଦେବା କେବଳ ଅପମାନଜନକ ନୁହେଁ ବରଂ ଦାୟିତ୍ୱହୀନ ମଧ୍ୟ। ସରକାରଙ୍କ ନୀତିକୁ ସକାରାତ୍ମକ ସମାଲୋଚନା କରିବା ଯଥାର୍ଥ। କିନ୍ତୁ ସାମ୍ବିଧାନିକ ପଦବୀରେ ଥିବା ଲୋକଙ୍କୁ କୌଣସି ନୀତିଗତ ନିଷ୍ପତ୍ତି ପାଇଁ ଅପମାନିତ କରାଯାଇପାରିବ ନାହିଁ । ସ୍କୁଲର ଜଣେ ଅଭିଯୁକ୍ତ ନିଜ ଇଣ୍ଟରନେଟ୍ ମିଡିଆ ଆକାଉଣ୍ଟରେ ଭିଡିଓ ଅପଲୋଡ୍ କରିବା ପରେ ସ୍କୁଲରେ ମଞ୍ଚିତ ନାଟକ ସାମ୍ନାକୁ ଆସିଥିଲା ବୋଲି ହାଇକୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଶାହିନ ସ୍କୁଲରେ ମଞ୍ଚସ୍ଥ ହୋଇଥିବା ଏକ ନାଟକରେ ମୋଦୀଙ୍କ ବିରୋଧରେ ଅପମାନଜନକ କଥା କୁହାଯାଇଥିଲା ।

Leave a Reply

Your email address will not be published. Required fields are marked *