ମୁଖ୍ୟ ଖବର

ସହର ଉପକଣ୍ଠ ଚିତ୍ର ବଦଳିବ

ଭୁବନେଶ୍ବର : ସହର ଉପକଣ୍ଠରେ ଦ୍ରୁତ ଗତିରେ ବିକଶିତ ହେଉଥିବା ଗ୍ରାମାଞ୍ଚଳଗୁଡ଼ିକର ବ୍ୟବସ୍ଥିତ ଢଙ୍ଗରେ ବିକାଶ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ଗ୍ରାମୀଣ ସହରୀ ରୂପାନ୍ତର ନୀତି ଆଣିଛନ୍ତି। ଏହାଦ୍ବାରା ସହରବାସୀଙ୍କୁ ଯେଉଁ ସବୁ ସୁବିଧାସୁଯୋଗ ମିଳୁଛି ସେହିପରି ସୁବିଧାସୁଯୋଗ ସହର ଉପକଣ୍ଠବାସୀଙ୍କୁ ମିଳିବ। ଏହି ନୀତିକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।

ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହିଭଳି ନୀତି ଆଣିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ। ଏହାଦ୍ବାରା ସହର ଉପକଣ୍ଠରେ ଅଣଯୋଜନାବଦ୍ଧ ଓ ଅନିୟନ୍ତ୍ରିତ ସହରୀକରଣ ଦ୍ବାରା ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକୁ ବିଭିନ୍ନ ପ୍ରଗତିଶୀଳ ଓ ପ୍ରୟୋଗାତ୍ମକ ପଦକ୍ଷେପ ମାଧ୍ୟମରେ ସମାଧାନ କରାଯାଇପାରିବ। ଏବେ ରାଜ୍ୟର ୧୯% ଲୋକ ସହରାଞ୍ଚଳରେ ବାସ କରୁଥିବାବେଳେ ୨୦୩୧ ସୁଦ୍ଧା ପ୍ରାୟ ୨୧% ଲୋକ ସହରାଞ୍ଚଳରେ ବାସ କରିବେ ବୋଲି ଅନୁମାନ କରାଯାଉଛି। ସହର ଉପକଣ୍ଠକୁ ମିଶାଇଲେ ଏହି ଜନସଂଖ୍ୟା ୪୦% ଛୁଇଁବ। ହେଲେ ବର୍ତ୍ତମାନର ବ୍ୟବସ୍ଥାରେ ଉପକଣ୍ଠ ଲୋକଙ୍କୁ ବିଶେଷ ସୁବିଧାସୁଯୋଗ ମିଳୁନି।

ବର୍ତ୍ତମାନର ନିୟମ ଅନୁଯାୟୀ, ଗ୍ରାମାଞ୍ଚଳ‌କୁ ସହରାଞ୍ଚଳ ଭାବେ ବିଜ୍ଞାପିତ କରିବା ପ୍ରଣାଳୀ ଦ୍ବାରା ରାଜନୈତିକ ଓ ପ୍ରଶାସନିକ ବ୍ୟବସ୍ଥାରେ ହଠାତ୍ ପରିବର୍ତ୍ତନ ଆସୁଛି। ଏହାସହ ଲୋକମାନେ ହଠାତ୍ ହେଉଥିବା ପରିବର୍ତ୍ତନ ଦ୍ବାରା ଅଧିକ ସୁବିଧାସୁଯୋଗ ପାଉନାହାନ୍ତି। ତେଣୁ ଗ୍ରାମୀଣ-ସହରାଞ୍ଚଳ ରୂପାନ୍ତରଣ ନୀତିର ଲକ୍ଷ୍ୟ ହେଉଛି ଆନୁଷ୍ଠାନିକ ଭାବେ ଚିହ୍ନଟ ହୋଇଥିବା ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସହରାଞ୍ଚଳ ନାଗରିକ ଭଳି ସୁବିଧା, ସେବା ଏବଂ ଭିତ୍ତିଭୂମି ଯୋଗାଇଦେଇ ଏହି ଅଞ୍ଚଳଗୁଡ଼ିକୁ ସହରାଞ୍ଚଳ ଭାବେ ବିଜ୍ଞାପିତ କରାଇବା। ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟକାରୀ ତଥା ସେବା ପ୍ରଦାନ ପାଇଁ ସ୍ୱତନ୍ତ୍ର ବଜେଟ୍ ବ୍ୟବସ୍ଥା, ନିର୍ବାଚିତ ପ୍ରତିନିଧି, ଅଧିକାରୀ ଓ ଅନ୍ୟ ସମସ୍ତ ହିତାଧିକାରୀଙ୍କୁ ଏହି ପରିବର୍ତ୍ତନ ପ୍ରକ୍ରିୟାର ଯୋଜନା, କାର୍ଯ୍ୟକାରିତା ଏବଂ ତଦାରଖରେ ସକ୍ରିୟ ଭାବେ ସାମିଲ କରିବା।

ଏହି ନୀତି ଅନୁଯାୟୀ ଚିହ୍ନଟ ଗ୍ରାମାଞ୍ଚଳଗୁଡ଼ିକରେ ଥିବା ନିର୍ବାଚିତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ହିଁ ସେହି ଅଞ୍ଚଳକୁ ସହରାଞ୍ଚଳ ଭାବେ ଘୋଷଣା କରାଯିବ। ଏହି ମଧ୍ୟବର୍ତ୍ତୀ ସମୟରେ ଚିହ୍ନିତ ଗ୍ରାମାଞ୍ଚଳରେ ସଂଲଗ୍ନ ସହରାଞ୍ଚଳ ଭଳି ସମସ୍ତ ସହରୀ ସେବା ଯୋଗାଇବା ପାଇଁ ଭିତ୍ତିଭୂମି ଉନ୍ନତୀକରଣ କରାଯିବ। ଏହାପରେ ୱାର୍ଡ ଚିହ୍ନଟ ଓ ଅନ୍ୟାନ୍ୟ ପ୍ରଶାସନିକ ପଦକ୍ଷେପ ନିଆଯିବ। ଏହାଦ୍ୱାରା ଘୋଷିତ ତାରିଖ ଠାରୁ ଏହି କ୍ଷେତ୍ର ସମସ୍ତ ଆବଶ୍ୟକୀୟ ସହରାଞ୍ଚଳ ଭିତ୍ତିଭୂମି ଓ ସେବା ସହିତ ଏକ ପୂର୍ଣ୍ଣ ସହରାଞ୍ଚଳ ଭାବରେ କାର୍ଯ୍ୟ ଆରମ୍ଭ କରିପାରିବ।

ଏଥିପାଇଁ ମୁଖ୍ୟ ସଚିବ ଏବଂ ବିଭିନ୍ନ କାର୍ଯ୍ୟ କ୍ଷେତ୍ରରୁ ଆସିଥିବା ବିଶେଷଜ୍ଞ ଯଥା ସହରୀ ଯୋଜନା, ଅର୍ଥ, ଇଞ୍ଜିନିୟରିଂ, ପରିଚାଳନା, ଆଇଟି ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ପରିଚାଳନା ଏବଂ କାର୍ଯ୍ୟକାରିତା କମିଟି ଗଠନ ହେବ। ଏହି ନୀତିକୁ କାର୍ଯ୍ୟାନ୍ୱୟନ କରିବା ନିମନ୍ତେ ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା (ସୁଡା) ଏବଂ ଜିଲ୍ଲା ସହରାଞ୍ଚଳ ବିକାଶ ସଂସ୍ଥା (ଡୁଡା) ସହିତ ଉନ୍ନୟନ କର୍ତ୍ତୃପକ୍ଷଗୁଡ଼ିକ ହବ୍ ଆଣ୍ଡ ସ୍ପୋକ୍‌ ମଡେଲ୍‌ରେ କାର୍ଯ୍ୟ କରିବେ।

Leave a Reply

Your email address will not be published. Required fields are marked *