ରାଜ୍ୟ

ଷଣ୍ଢ ଆକ୍ରମଣରେ ବୃଦ୍ଧା ମୃତ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସହର‌ର ପାଣିନଳା ସାହି ଅଂଚଳରେ ଗତ କିଛି ଦିନ ହେବ ମାତିଥିବା ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧା ମୃତ୍ୟୁ ବରଣ କରିଥିବା ବେଳେ  ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ସୂଚନା ପାଇବା ପରେ ଆଜି ପୌରପାଳିକା ପକ୍ଷରୁ ଅଗ୍ନିଶମ ବିଭାଗ  ଓ ପଶୁ ସଂପଦ ବିଭାଗ ସହଯୋଗରେ ଷଣ୍ଡଙ୍କୁ ଟ୍ରାଙ୍କୁଲାଇଜର ଦେଇ ଗୋଶାଳାକୁ ସ୍ଥାନାନ୍ତର କରିଛନ୍ତି।

ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନରେ ପାଣିନାଳାସାହିସ୍ଥ ପି.ରାବଣାମ୍ମା(୭୮) ଘରୁ ବଜାରକୁ ଆସୁଥିଲେ। ଘର ନିକଟରେ ବୁଲୁଥିବା ଷଣ୍ଢ ଅଚାନକ ଭାବେ ରାବଣାମ୍ମାଙ୍କୁ ଆକ୍ରମଣ କରିଥିଲା। ଷଣ୍ଢ ନିଜ ଶିଙ୍ଗରେ ରାବଣାମ୍ମାଙ୍କ ଛାତିରେ ମାରି ଦେଇଥିଲେ। ଏହା ଫଳରେ ବୃଦ୍ଧା ଜଣକ ଗୁରୁତର ଆହତ ହେବା ସହ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥା‌ରେ ତାଙ୍କୁ ଜୟପୁର ଜିଲ୍ଲାମୁଖ୍ୟଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କୋରାପୁଟ ସହିଦ ଲକ୍ଷ୍ମଣନାୟକ ବଡଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ବି ତାଙ୍କ ଅବସ୍ଥାରେ ସୁଧାର ନ ଆସିବା ଫଳରେ ଡାକ୍ତର ମାନେ ବାହାରକୁ ନେବାକୁ ପରାମର୍ଶ ଦେଇଥିଲେ। ପରିବାରର ଆର୍ଥିକସ୍ଥିତି ଭଲ ନଥିବାରୁ ପରିବାରବର୍ଗ ଜୟପୁରରେ ଖୋଲିଥିବା ନୂଆ ଘରୋଇ ଡାକ୍ତରଖାନାରେ ଆଣି ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରାତି ୧୨ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।

ସେଭଳି ମଙ୍ଗଳବାର ହିଁ ଉକ୍ତ ଷଣ୍ଢଟି କେଲାସାହି, ପାଣିନଳାସାହି ଆଦି ରାସ୍ତାରେ ୫ଜଣଙ୍କୁ ଆକ୍ରମଣ କରିଥି‌ଲେ। ଏଥିରେ ୫ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ଜଣେ ଗତ କିଛି ଦିନ ତ‌େଳେ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ସୁସ୍ଥ ହେବା ପରେ ସେ ପୁଣି କାମ କରିବାକୁ ଫେରୁଥିଲେ। ତାଙ୍କୁ ଷଣ୍ଢଟି ଆକ୍ରମଣ କରି କଚାଡ଼ି ଦେବା ଫଳରେ ସେ ବି ଗୁରୁତର ରହିଥିବା ପ୍ରତ୍ୟକ୍ଷଦର୍ଶୀ ମାନେ କହିଛନ୍ତି।

ଆଜି ବୃଦ୍ଧାଙ୍କ ମୃତ୍ୟୁ ସଂପର୍କରେ ସୂଚନା ପାଇବା ପରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଘଟଣାସ୍ଥଳକୁ ଆସି ଷଣ୍ଢକୁ ଦେଖିଥିଲେଃ ସେ ପଶୁସଂପଦ ବିଭାଗ ଏସଡିଭିଓ, ଅଗ୍ନିଶମ ବିଭାଗର ସହ‌ଯୋଗ ନେଇଥିଲେ। ପଶୁ ସଂପଦବିଭାଗ ପକ୍ଷରୁ ଷଣ୍ଢକୁ ଟ୍ରାଙ୍କୁଲାଇଜର ଦେବା ପରେ ପୌରପାଳିକାର କର୍ମଚାରୀ ମାନେ ଷଣ୍ଢକୁ ଗୋଶାଳାକୁ ନେଇ ଯାଇଛନ୍ତି। ବୃଦ୍ଧାଙ୍କ ପରିବାରବର୍ଗକୁ ହରିଶ୍ଚନ୍ଦ୍ର ଯୋଜନାରେ ୪ହଜାର ‌ଟଙ୍କା ଶେଷକୃତ୍ୟ ସଂପନ୍ନ ପାଇଁ ଆର୍ଥିକ ସହଯୋଗ କରାଯାଇଥିବା କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ। ଗତ କିଛି ଦିନ ହେବ ଆତଙ୍କ ଖେଳାଇଥିବା ଷଣ୍ଢଟି ଯେଭଳି ପୁଣି  ନ‌ ଫେରେ ସେ ଦିଗରେ ପୌରପାଳିକା ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାହିବାସିନ୍ଦା ଅନୁରୋଧ କରିଛନ୍ତି। ସେଭଳି ସହର‌ର ବିଭିନ୍ନ ଛକରେ ଗାଇ, ବାଛୁରୀମାନେ ବୁଲୁଥିବାରୁ ଛୋଟ ବଡ଼ ଦୁର୍ଘଟଣା ବି ହେଉଛି। ଏମାନଙ୍କୁ ରାସ୍ତା ଉପରୁ ହଟାଇବା ଦିଗରେ ବି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *