ମୁଖ୍ୟ ଖବର

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୭ ରେଳ କର୍ମଚାରୀ ନିଲମ୍ବିତ

ବାଲେଶ୍ୱର, : ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣା ଘଟଣାରେ ୭ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏନେଇ ବାଲେଶ୍ୱର ଗସ୍ତରେ ଆସିଥିବା ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ (ଜିଏମ୍‌) ଅନୀଲ କୁମାର ମିଶ୍ରା ବୁଧବାର ରେଳଷ୍ଟେସନ ପରିସରରେ ସୂଚନା ଦେଇଛନ୍ତି। ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ସିବିଆଇ ଗିରଫ କରିଥିବା ୩ଜଣ କର୍ମଚାରୀ ଅଛନ୍ତି। ଏଥିସହିତ ଷ୍ଟେସନମାଷ୍ଟର, ଟ୍ରାଫିକ ଇନ୍ସପେକ୍ଟର ଓ ୨ ଜଣ ଟେକ୍ନିକାଲ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଏହି କର୍ମଚାରୀମାନେ ସତର୍କ ହୋଇଥିଲେ ଏତେବଡ଼ ଦୁର୍ଘଟଣାକୁ ଏଡ଼ାଇ ହୋଇପାରିଥାନ୍ତା। କାର୍ଯ୍ୟରେ ଅବହେଳା କରିଥିବା ନେଇ ସେମାନଙ୍କୁ ନିଲମ୍ବନ କରାଯାଇଛି। ସିବିଆଇ ଘଟଣାର ତଦନ୍ତ ଜାରି ରଖିଛି।

ବୁଧବାର ଭଦ୍ରକରୁ ଖଡ଼ଗପୁର ଇନ୍ସପେକ୍ସନ ପାଇଁ ଆସିଥିଲେ ଦକ୍ଷିଣ ପୂର୍ବ ରେଳବାଇର ଜିଏମ୍‌ ମିଶ୍ରା। ସେ ପ୍ରଥମେ ବାହାନଗା ଷ୍ଟେସନ ପରିଦର୍ଶନ କରିବା ସହ ସେଠାରେ ଦୁର୍ଘଟଣା ପରେ ସୁଧୁରିଥିବା ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ଷ୍ଟେସନ ପରିସରରେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବାହାନଗା ଷ୍ଟେସନ ନିକଟ ଲେଭଲକ୍ରସିଂ ନିକଟରେ ଘଟିଥିବା ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ପରେ ଉଦ୍‌ଘାଟନ ଅପେକ୍ଷାରେ ଥିବା ନୀଳଗିରିର ଗୋପୀନାଥପୁର ଷ୍ଟେଶନ ପରିଦର୍ଶନ କରି ସେଠାକାର ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ଦୁର୍ଘଟଣାରେ ସିଆରଏସ୍‌ ତଦନ୍ତ କରି ଫେରିଥିବା ବେଳେ ବର୍ତ୍ତମାନ ସିବିଆଇ ତଦନ୍ତ ଜାରି ରହିଛି। ଏହି ଦୁର୍ଘଟଣା ପରେ ସିବିଆଇ ଦାୟିତ୍ୱରେ ଗୁରୁତର ଅବହେଳା ଲାଗି ଏବେ ୩ ଜଣ ଅଧିକାରୀଙ୍କୁ ଗିରଫ କରିଛି। ଏଥିସହ ଦୁଇ ଜଣଙ୍କୁ ପୁଣି ସମନ କରିଛି। ବର୍ତ୍ତମାନ ସୁଦ୍ଧା ୭ଜଣଙ୍କୁ ରେଳବାଇ ପକ୍ଷରୁ ନିଲମ୍ବନ କରାଯାଇଛିି। ଅନ୍ୟପକ୍ଷରେ ବାହାନଗା ରେଳ ଦୁର୍ଘଟଣାରେ ସିବିଆଇ ଷ୍ଟେସନମାଷ୍ଟରଙ୍କୁ ହାଜର ପାଇଁ ସମନ ଜାରି କରିଥିବା ବେଳେ ସେ ହାଜର ହୋଇନାହାନ୍ତି। ପୂର୍ବରୁ ଗିରଫ କରାଯାଇଥିବା ୩ ଅଭିଯୁକ୍ତ ସିଗନାଲ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ସିସିଆନ ପପୁ କୁମାରଙ୍କୁ ପୁଣିଥରେ ରିମାଣ୍ଡରେ ଆଣିଛି ସିବିଆଇ।

One thought on “ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୭ ରେଳ କର୍ମଚାରୀ ନିଲମ୍ବିତ

  • Sushanta Kumar Das

    A big step, though the first one. Let’s watch next.

    Reply

Leave a Reply

Your email address will not be published. Required fields are marked *