ରାଜ୍ୟ

ଭାଲୁ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

ନୂଆପଡ଼ା,: ନୂଆପଡ଼ା ଜିଲା କୋମନା ଥାନା ଅଧୀନ କୋନାବିରା ପଞ୍ଚାୟତ ବିରୁନପଦର ଗାଁରେ ରବିବାର ଭାଲୁ ଆକ୍ରମଣରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ସେହି ଗାଁର ଘନଶ୍ୟାମ ପଟେଲ(୭୦) ଓ ଆହତ ପୁଅ ଚଇତୁ ପଟେଲ (୪୦)। କ୍ଷତିପୂରଣ ଏବଂ ଭାଲୁକୁ ଧରି ଅନ୍ୟତ୍ର ଛଡାଯିବାକୁ ଦାବି କରି ଉତ୍ତ୍ୟକ୍ତ ଲୋକେ ମୃତଦେହ ରଖି ୩୫୩ ନଂ. ଜାତୀୟ ରାଜପଥ କୋମନା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅବରୋଧ କରିଥିଲେ। ସାମାଜିକ କର୍ମୀ ପ୍ରସନ୍ନ କୁମାର ପାଢୀ, ବୀରେନ୍ଦ୍ର ପ୍ରଧାନ, ଭୁବନେ ନାୟକ ଓ ଅନ୍ୟମାନେ ବୁଝାଇବା ପରେ ଲିଖିତ ପ୍ରତିଶ୍ରୁତି ଦେଲେ ଆମେ ମାନିବୁ ବୋଲି ଆନ୍ଦୋଳନକରୀମାନେ କହିଥିଲେ।

ପରେ ଖଡିଆଳ ଡିଏଫଓ ସୁଶୀଲ କୁମାର ତ୍ରିପାଠୀ ପହଞ୍ଚିଥିଲେ। ମୃତକ ପରିବାରଙ୍କୁ ନଗଦ ୬୦ ହଜାର ଟଙ୍କା ଦିଆଯିବା ସହ କାଗଜାତ ସବୁ ଠିକ୍‌ ହେବା ପରେ ୬ ଲକ୍ଷ ଟଙ୍କା ଦିଆଯିବ। ଆହତଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ଓ ପରିବାରର ଜଣଙ୍କୁ ଚାକିରି ଦିଆଯିବ। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଭାଲୁକୁ ଧରି ଅନ୍ୟତ୍ର ଛଡ଼ାଯିବ ବୋଲି ଡିଏଫଓ ତ୍ରିପାଠୀ ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ଦୀର୍ଘ ୫ ଘଣ୍ଟାରୁ ଅଧିକ ସମୟ ରାସ୍ତା ଅବରୋଧ ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିଲା। ମୃତଦେହ ପୋଲିସ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Leave a Reply

Your email address will not be published. Required fields are marked *