ଦେଶ- ବିଦେଶ

୩ ଗାଡ଼ି ଧକ୍କା: ୧୩ ମୃତ-୨୦ ଆହତ

ଇସଲାମାବାଦ, : ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଲତାନ-ସୁକୁର ମୋଟରୱେରେ ତିନି ଗାଡି ଧକ୍କାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ଖବର ମିଳିଛି। ଶନିବାର ଉଦ୍ଧାର ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ରାତିରେ ରହୀମ ୟାର ଖାନ ଟାଉନ ନିକଟରେ ଏକ ଏସୟୁଭି ଏକ ବସକୁ ଧକ୍କା ଦେଇଥିଲା। ପରେ ଟାୟାର ଫାଟିବା ପରେ କାରଟି ଓଲଟି ପଡିବାରୁ ଏହା ଅନ୍ୟ ଏକ ଭ୍ୟାନ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ଲୋକଙ୍କର ମୃତ୍ୟୁ ଘଟିଥିଲା।

ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତ ଓ ଆହତମାନଙ୍କୁ ଲାହୋରଠାରୁ ପ୍ରାୟ ୫୦୦ କିଲୋମିଟର ଦୂରରେ ଥିବା ରହୀମ ୟାର ଖାନସ୍ଥିତ ଶେଖ ଜାଏଦ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଅଧିକାରୀଙ୍କ କହିବାନୁସାରେ, ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣାର କାରଣ ପୋଲିସ ଅନୁସନ୍ଧାନ କରୁଛି।

ପଞ୍ଜାବ ପ୍ରଦେଶର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ମୋହସିନ ନାକଭି ଏହି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏକ ରିପୋର୍ଟ ମାଗିଛନ୍ତି।

ଏକ ସପ୍ତାହ ମଧ୍ୟରେ ପଞ୍ଜାବ ପ୍ରଦେଶରେ ଏହା ହେଉଛି ଦ୍ୱିତୀୟ ଦୁର୍ଘଟଣା। ସପ୍ତାହକ ପୂର୍ବରୁ ପଞ୍ଜାବର ରାୱଲପିଣ୍ଡି ଡିଭିଜନର କଲର କହାର ଅଞ୍ଚଳରେ ଏକ ବସ ଦୁର୍ଘଟଣାରେ ୬ଜଣ ମହିଳାଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ରୁ ଅଧିକ ଆହତ ହୋଇଥିଲେ।

Leave a Reply

Your email address will not be published. Required fields are marked *