ଦେଶ- ବିଦେଶ

ଧରାପଡ଼ିଲା ସୀମା ଓ ସଚିନ ବଡ଼ ମିଛ

ନୂଆଦିଲ୍ଲୀ: ପାକିସ୍ତାନୀ ନାଗରିକ ସୀମା ହାଇଦର ମାମଲାରେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ସୀମା ଓ ସଚିନଙ୍କ ଏକ ବଡ଼ ମିଛ ଧରିଛନ୍ତି। ସେମାନେ ଯେଉଁ ଦିନ ଯେଉଁ ରାସ୍ତାରେ ଭାରତକୁ ପ୍ରବେଶ କରିଥିଲେ ବୋଲି କହିଥିଲେ, ସେଦିନ ସୀମାନ୍ତରେ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କ ନିକଟରେ ଏ ବାବତରେ କୌଣସି ସୂଚନା ନାହିଁ।

ଆଇବି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସୀମା ଓ ସଚିନ ଦୁହେଁ କହିଥିଲେ କି ସେମାନେ ମଇ ୧୩ ତାରିଖରେ ଭାରତ ଆସିଥିଲେ। ନେପାଳରୁ ଭାରତରେ ପ୍ରବେଶ କରିବା ପାଇଁ ସୀମା ଓ ସଚିନ ଯେଉଁ ଦୁଇଟି ସ୍ଥାନ କଥା କହିଥିଲେ ସେଠାରୁ ରିପୋର୍ଟ ସାମ୍ନାକୁ ଆସିଛି। ଏଥିରୁ ଜଣାପଡ଼ିଛି କି ଏହି ଦୁଇଟି ସ୍ଥାନରେ ସେହିଦିନ କୌଣସି ଥାର୍ଡ ନେସନ୍ ସିଟିଜେନ୍ ପ୍ରବେଶ କରି ନାହାନ୍ତି।

କେନ୍ଦ୍ରୀୟ ଏଜେନ୍ସି ମୁତାବକ, ମଇ ୧୩ ତାରିଖରେ ଭାରତ ଓ ନେପାଳ ସୀମା ସୁନୋଲି ସେକ୍ଟର ଓ ସୀତାମଢ଼ି ସେକ୍ଟରରେ ଥାର୍ଡ ନେସନ ସିଟିଜେନଙ୍କ ଉପସ୍ଥିତି ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ। ସୀମା ଓ ସଚିନ ଏହି ଦୁଇଟି ସ୍ଥାନ ଦେଇ ଭାରତରେ ପ୍ର‌ବେଶ କରିଥିବା କଥା କହିଥିଲେ। ସେଠାରେ ଲାଗିଥିବା ସିସିଟିଭିର ଗୋଟିଏ ବି ଫୁଟେଜରେ ସୀମାଙ୍କୁ ଦେଖିବାକୁ ମିଳି ନଥିଲା। ଏଥିସହିତ ଭାରତ ଓ ନେପାଳର ସମସ୍ତ ବସ ରୁଟରେ ମଇ ୧୩ରେ ଯାତାୟାତ କରିଥିବା ସମସ୍ତ ବସର ସିସିଟିଭି ଫୁ‌ଟେଜ ଯାଞ୍ଚ କରାଯାଉଛି। ଏହି ରୁଟରେ ସଚିନ ଓ ସୀମା ଭାରତ ଆସିଥିବା କଥା କହିଥିଲେ।

ସୂଚନାଯୋଗ୍ୟ, ଯଦି ତୃତୀୟ ଦେଶର କୌଣସି ନାଗରିକ ଭାରତ ଓ ନେପାଳ ସୀମାକୁ ଆସନ୍ତି କିମ୍ବା ଯାଆନ୍ତି ତେବେ ଦୁଇଦେଶର ପୁଲିସଙ୍କୁ ଏହାର ସୂଚନା ଦିଆଯାଇଥାଏ। ଏମିତି କୌଣସି ବି ସୂଚନା ମଇ ୧୩ ତାରିଖ ଦିନ ଭାରତୀୟ ପୁଲିସକୁ ମିଳି ନଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *