ରାଜ୍ୟ

ବିଡିଓଙ୍କୁ ଅଟକାଇଲେ ମହିଳା

ବାଲିଗୁଡ଼ା, : କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବ୍ରାହ୍ମଣପାଦ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଆଣ୍ଠୁଏ ବର୍ଷା ଜଳ ଜମି ରହୁ ଥିବାରୁ ଏହାର ପ୍ରତିବାଦ କରି ବୁଧବାର ବ୍ରାହ୍ମଣପାଦ ପଞ୍ଚାୟତ ପରିଦର୍ଶନରେ ଯାଇଥିବା ବିଡିଓ ହୃଦୟ ରଞ୍ଜନ ସାହୁଙ୍କ ଗାଡ଼ିକୁ କିଛି ମହିଳା ଅଟକାଇଥିଲେ। ଏହି ଘଟଣାରେ ବିଡିଓ ଶ୍ରୀ ସାହୁ ତୁରନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଯୋଗାଯୋଗ କରିବା ସହ ରାସ୍ତା ମରାମତି କରିବା ପାଇଁ ଅବଗତ କରିଥିଲେ। ଆସନ୍ତା ୧୫ ଦିନ ଭିତରେ ଟେଣ୍ଡର ବାହାର କରାଯିବା ସହ ରାସ୍ତା ମରାମତି କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ମହିଳାମାନେ ବିଡିଓଙ୍କ ଗାଡ଼ିକୁ ଛାଡିଥିବା ଜଣାପଡ଼ିଛି। ଚକାପାଦଠାରୁ ଅଚ୍ଛାଙ୍ଗି ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରାୟ ୧୨ କିମି ରାସ୍ତା ରହିଥବା ବେଳେ ଏହାର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ିଛି। ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ପରେ ଚକାପାଦଠାରୁ ବ୍ରାହ୍ମଣପାଦ ସ୍ବାସ୍ଥ୍ୟକେନ୍ଦ୍ର ଯାଏ ମାତ୍ର ୩ କିମି ରାସ୍ତା ମରାମତି କରାଯିବା ପରେ ଆଉ ଆଗକୁ ମରାମତି ହୋଇନାହିଁ। ଫଳରେ ବ୍ରାହ୍ମଣପାଦ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରାସ୍ତା ଖାଲଖମା ରହିଥିବା ବେଳେ ସାମାନ୍ୟ ବର୍ଷା ହେଲେ ଆଣ୍ଠୁଏ ଲେଖାଏ ପାଣି ଜମି ରହୁଥିବା ନେଇ ଗ୍ରାମର ଲକ୍ଷ୍ମୀ ପୃଷ୍ଟି,ଦମୟନ୍ତୀ ବେହେରା, ରୀତାଞ୍ଜଳି ବେହେରା, ସୁଷମା ସାହୁ,ରମେଶ ସାହ ଓ ହୀମାଞ୍ଚଳ ସାହୁ ବିଡିଓଙ୍କୁ ପୁଣି ଅବଗତ କରାଇଥିଲେ। ଏହି ଘଟଣା ପରେ ବିଡିଓ ଗ୍ରାମର ଅନ୍ୟ ସମସ୍ୟା ସମେତ ମା’ ପିତାବଳି ମନ୍ଦିର, ଗ୍ରାମ୍ୟ ପୋଖରୀ, ବିରୁପାକ୍ଷ ଉଚ୍ଚବିଦ୍ୟାଳୟ ପରିଦର୍ଶନ ସହ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ହେମକେଶ ମଳିକ ଓ ବ୍ଲକ ଉପାଧ୍ୟକ୍ଷ ସୋମନାଥ ବେହେରାଙ୍କ ସହ ମିଶି ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *