ଦେଶ- ବିଦେଶ

ଭୂସ୍ଖଳନ ନେଲା ୧୩ ଜୀବନ

ମୁମ୍ବାଇ: ମହାରାଷ୍ଟ୍ରର ଭୂସ୍ଖଳନ ନେଲା ୧୩ଜଣଙ୍କ ଜୀବନ। ଗୁରୁବାର ପୂର୍ବାହ୍ନରେ ମହାରାଷ୍ଟ୍ରର ରାଇଗଡ ଜିଲ୍ଲାରେ ଭୂସ୍ଖଳନ ଘଟି ଅତି କମରେ ୧୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଫସି ରହିଥିବାର ଆଶଙ୍କା କରାଯାଉଛି। ଏହି ଭୂସ୍ଖଳନ ପାଇଁ ୪୮ଟି ପରିବାର ପ୍ରଭାବିତ ହୋଇଛନ୍ତି।

ଏହା ବ୍ୟତୀତ ଭୂସ୍ଖଳନ ଘଟିଥିବା ପର୍ବତର ଶିଖରରେ ପହଞ୍ଚିବା ପାଇଁ ବିଶେଷଜ୍ଞ ଟ୍ରେକରମାନଙ୍କୁ ଡକାଯାଇଛି। ଭୂସ୍ଖଳନରେ ପ୍ରାୟ ୪୮ଘର ପ୍ରଭାବିତ ହୋଇଛି ଏବଂ ୨୦ରୁ ଅଧିକ ଘର କାଦୁଅ ଭିତରେ ଫସି ରହିଥିବା କୁହାଯାଉଛି।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ଜଣେ ଗ୍ରାମବାସୀ କହିଛନ୍ତି ଯେ ଭୁସ୍ଖଳନ ସମୟରେ ଅଧିକାଂଶ ଲୋକ ଶୋଇ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିଛି। କାରଣ ଭୂସ୍ଖଳନ ଘଟିବା ପରେ ସେମ‌ାନେ ନିଜକୁ ବଞ୍ଚାଇବାର ସୁଯୋଗ ପାଇ ନଥିଲେ।

କୁହାଯାଉଛି ଯେ, ଗେମ୍ ଖେଳିବା ପାଇଁ ଭଲ ମୋବାଇଲ୍ ନେଟୱାର୍କର ଆବଶ୍ୟକତା ଥିବାରୁ ସକାଳୁ କିଛି ପିଲା ଗାଁ ବାହାରକୁ ଯାଇଥିଲେ। ସେମାନେ ହିଁ ପ୍ରଥମେ ଭୂସ୍ଖଳନ ହେବା ଜାଣି କିଛି ଗ୍ରାମବାସୀଙ୍କୁ ସଚେତନ କରାଇବାରେ ସଫଳ ହୋଇଥିଲେ।

ତେବେ ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ଏହା ସହ ମହାରାଷ୍ଟ୍ର ସରକାର ଆହତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଛନ୍ତି ଶ୍ରୀ ସିନ୍ଦେ।

ଅନ୍ୟପକ୍ଷରେ ଏନଡିଆରଏଫ ପକ୍ଷରୁ ସୂଚନା ଦିଆଯାଇଛି ଯେ ଦୁଇଟି ଟିମ୍ ଏବେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *