ମହାନଗର

ବାପଘରକୁ କ’ଣ ଝିଅ ଯାଇପାରିବନି: ସଂଯୁକ୍ତା

ଭୁବନେଶ୍ୱର,: ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିବା ବିଜେଡି ନେତ୍ରୀ ସଂଯୁକ୍ତା ମହଲାଙ୍କୁ ନବୀନ ନିବାସ ଗଲା ବେଳେ ଶନିବାର ଟ୍ରାଫିକ ଛକରେ ପୋଲିସ ଅଟକାଇଥିଲା। ଛାଡ଼ିବା ପାଇଁ ସଂଯୁକ୍ତା ପୋଲିସକୁ ଯେତେ ନିବେଦନ କରିଥିଲେ ମଧ୍ୟ ପୋଲିସ ତାଙ୍କୁ ଛାଡ଼ି ନ ଥିଲା । ଶେଷରେ ସଂଯୁକ୍ତାଙ୍କୁ ପୋଲିସ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନେଇଯାଇଥିଲା। ସେଠାରେ ଦୀର୍ଘ ଏକ ଘଣ୍ଟା ରହିବା ପରେ ସେ ଅସନ୍ତୋଷ ବ୍ୟକ୍ତି କରିଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ୧୦ ଦିନ ହେଲା ଦରଖାସ୍ତ ଦେଲେଣି। ମୋତେ ଡକାଯିବ ବୋଲି କୁହାଯାଇଥିଲା। ହେଲେ ଡକାଗଲାନି। ଶେଷରେ ମୁଁ ବାଧ୍ୟ ହୋଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲି। ହେଲେ ମୋ ଗାଡ଼ି ପୋଲିସ ବାଟରେ ଅଟକାଇଥିଲା। ମୁଁ ସାରା ଜୀବନ ଦଳରେ ରହି କାମ କରିଛି। ମୁଁ ବହୁଥର ନବୀନ ନିବାସ ଆସିଛି। କେବେ ମୋତେ ଅଟକାଯାଇ ନାହିଁ। ଆଜି କାହିଁକି ମୋତେ ଅଟକାଗଲା ବୋଲି ସଂଯୁକ୍ତା ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି, ମୁଁ ଏହି ଦଳରେ ୨୨ ବର୍ଷ ହେଲାଣି କାମ କରୁଛି। ମୁଖ୍ୟମନ୍ତ୍ରୀ ମୋ ବାପତୁଲ୍ୟ। ବାପ ଘରକୁ ଝିଅ କ’ଣ ଯାଇପାରିବନି? ମୁଁ ତାଙ୍କୁ କ’ଣ ମୋ ଦୁଃଖ ଜଣାଇପାରିବିନି? ଏଥିପାଇଁ କ’ଣ ସମସ୍ତଙ୍କର ଅନୁମତି ନେବାକୁ ପଡ଼ିବ ବୋଲି ସେ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *