ମହାନଗର

୧୫ ଟନ୍‌ ଗୋରୁମାଂସ ଭର୍ତ୍ତି କଣ୍ଟେନର ଜବତ

ପଟିଆ : କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୁଳିଆ ପାର୍ଶ୍ବରୁ ରବିବାର ଚାଲାଣ ହେଉଥିବା ଏକ ଗୋରୁମାଂସ ଭର୍ତ୍ତି କଣ୍ଟେନର ଜବତ ହୋଇଛି। ବଜରଙ୍ଗ ଦଳର କର୍ମକର୍ତ୍ତା ଓ ସ୍ଥାନୀୟ ଯୁବକ ମିଶି ଏହି ଗୋରୁମାଂସ ବୋଝେଇ କଣ୍ଟେନରକୁ ଅଟକାଇଥିଲେ। ଏଥିରେ ପ୍ରାୟ ୧୫ଟନ୍‌ ଗୋ ମାଂସ ଥିବା ଜଣାପଡ଼ିଛି। ଗୋ ମାଂସ ଚାଲାଣକୁ ରୋକିବା ପାଇଁ ମୁଖ୍ୟ ଆସାମୀଙ୍କୁ ଧରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ଲାଗି ବଜରଙ୍ଗ ଦଳ ଓ ବିଶ୍ଵ ହିନ୍ଦୁ ପରିଷଦ ଗୋ ସେବା ତରଫରୁ ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।ସୂଚନା ଅନୁସାରେ କଟକ ଜିଲ୍ଲା ଆଠଗଡ ତିଗିରିଆ ଅଞ୍ଚଳରୁ ଗୋ ମାଂସ ଚାଲାଣ ନେଇ ବଜରଙ୍ଗ ଦଳର କର୍ମକର୍ତ୍ତା ଓ ସ୍ଥାନୀୟ ଯୁବକମାନେ ବିଶେଷ ସୂତ୍ରରୁ ସୂଚନା ପାଇ ତ୍ରିଶୁଳିଆ ଛକରେ ଜଗି ରହିଥିଲେ। ଟ୍ରକଟି ତ୍ରିଶୁଳିଆ ଛକ ଅତିକ୍ରମ କରିବା ପରେ ପିଛା କରି ନରଣପୁର ନିକଟ ବାରଙ୍ଗ ତହିସିଲ ଆଗ ରାସ୍ତାରେ ଅଟକାଇ ଥିଲେ। ଗୋ ମାଂସ ନେଇ ଯାଉଥିବା ଗାଡ଼ିକୁ ସସସ୍ତ୍ର ସଜ୍ଜିତ ହୋଇଥିଲା। କଣ୍ଟେନରକୁ ଅଟକାଇବା ପାଇଁ ଉଦ୍ୟମ କରୁଥିବା ଲୋକଙ୍କୁ ଅନ୍ୟ ଏକ ଗାଡିରେ ଥିବା ଲୋକମାନେ ଧମକ ଦେଇଥିଲେ। ଦୁର୍ବୃତ୍ତମାନେ କହିଥିଲେ- ଗାଡ଼ି ଛାଡି ଦିଅ ନଚେତ ମରିବ। ହେଲେ ଲୋକ ଜମା ହେବା ଦେଖି ବାଟ କଢାଉ ଥିବା ଗାଡ଼ିଟି ବାଲିକୁଦା ଆଡ଼କୁ ଫେରାର ହୋଇଯାଇଥିଲା। କଣ୍ଟେନରରେ ପ୍ରାୟ ୧୫ ଟନ୍‌ ଗୋ ମାଂସ ଥିଲା। ଏହା କୋଲକାତାରୁ ହାଇଦ୍ରାବାଦକୁ ଚାଲାଣ ହେଉଥିବାର ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *