ନଳ ଦମୟନ୍ତୀ
ଛିନ୍ନ ବସ୍ତ୍ରା, ଆଲୁଳାୟିତ କେଶା, ନିରାଭରଣା ନାରୀଟିଏ କାବେରୀ ନଦୀ ଘାଟରେ ନାଉରୀକୁ ନଦୀ ପାରି ଦେବାକୁ କାନ୍ଦି କାନ୍ଦି ଅନୁରୋଧ କରୁଥିଲା Ι କିନ୍ତୁ ବିନା ଘାଟ କଉଡିରେ କୈବର୍ତ୍ତ ତାଙ୍କୁ ପାର କରାଉ ନ ଥାଏ Ι ସେହି ଘାଟ ପାରି ହୋଇ ଅନ୍ୟ ପଟକୁ ଯିବା ପାଇଁ ଦଳ ଦଳ ହୋଇ ବଣିକମାନେ ଆସୁଥାନ୍ତି Ι କେହି କେହି ଅସ୍ଥାୟୀ ଶିବିର ପକାଇ ନଦୀ ତୀରରେ ବିଶ୍ରାମ ନେଉଥାନ୍ତି Ι ଦମୟନ୍ତୀଙ୍କର ବେଶଭୂଷା ଦେଖି ତାଙ୍କୁ ପାଗଳିନୀ ଭାବି କେହି ଗୁରୁତ୍ୱ ଦେଉ ନ ଥାନ୍ତି Ι କିନ୍ତୁ ଗୋଟିଏ ବଣିକ ତାଙ୍କର ପରିଚୟ ପଚାରିଲା Ι ସ୍ତ୍ରୀଲୋକଟି କହିଲା, “ମୁଁ ନୈଷଧରାଜ ନଳଙ୍କ ପତ୍ନୀ ଦମୟନ୍ତୀ Ι ମୋ ସ୍ୱାମୀ ମୋତେ ଛାଡି କେଉଁ ଆଡେ ଚାଲିଯାଇଛନ୍ତି Ι ମୁଁ ତାଙ୍କୁ ଖୋଜୁଛି Ι” ସେହି ବଣିକ ଏକ ଦୁଶ୍ଚରିତ୍ର ବ୍ୟକ୍ତି ଥିଲା Ι ଛିନ୍ନ ବସ୍ତ୍ର ମଧ୍ୟ ଦେଇ ତାର ଲୋଲୁପ ଦୃଷ୍ଟି ଦମୟନ୍ତୀଙ୍କର ଅର୍ଦ୍ଧ ଆବୃତ ଶରୀରକୁ ଗ୍ରାସ କରିଯାଉଥିଲା Ι ସେ ତାଙ୍କୁ ଏକ ସୁଲଭ ବିଳାସ ସାମଗ୍ରୀ ମନେ କରି ନିଜ ଶିବିରକୁ ଆମନ୍ତ୍ରଣ କଲା Ι ତାଙ୍କର ହସ୍ତ ଧାରଣ କରି ଶିବିର ଅଭ୍ୟନ୍ତରକୁ ନେଇଯିବାକୁ ଉଦ୍ୟମ କଲା Ι ଦମୟନ୍ତୀ ତାର କୁତ୍ସିତ ଅଭିଳାଷକୁ ହୃଦୟଙ୍ଗମ କଲେ Ι ତାକୁ ଅଭିଶାପ ଦେଲେ,
ସତୀନାରୀକୁ ତୁହିରେ ଝିଙ୍ଗାସୁ ଏମନ୍ତ, ମୋର ଶାପେ ହାତୀମାନେ ନାଶନ୍ତୁ ତୋ ବିତ୍ତ Ι”
ତାଙ୍କର ଚିତ୍କାର ଶୁଣି ଅନ୍ୟ ଶିବିରରୁ ଲୋକେ ଆସି ରୁଣ୍ଡ ହେଲେ Ι ସେମାନେ ସେହି ଦୁଷ୍ଟ ସାଧବକୁ ତିରସ୍କାର କରି ଦମୟନ୍ତୀଙ୍କୁ ତା କବଳରୁ ଉଦ୍ଧାର କଲେ Ι ସେଦିନ ରାତ୍ରିରେ ସତକୁ ସତ ନିକଟସ୍ଥ ଅରଣ୍ୟରୁ ହସ୍ତୀମାନେ ନଦୀ ଜଳ ପାନ କରିବାକୁ ଆସି ପ୍ରୋକ୍ତ ସାଧବର ଶିବିରକୁ ଭାଙ୍ଗିଦେଲେ Ι ତାର ସମସ୍ତ ବଣିଜ ସାମଗ୍ରୀକୁ ଶୁଣ୍ଢରେ ଫିଙ୍ଗି ନଷ୍ଟ କରିଦେଲେ Ι ଯେଉଁମାନେ ଦମୟନ୍ତୀଙ୍କୁ ଅଭିଶାପ ଦେବାର ଶୁଣିଥିଲେ, ସେମାନେ ତାଙ୍କୁ ଦେବୀ ତୁଲ୍ୟ ଜ୍ଞାନ କଲେ Ι ଜଣେ ବୃଦ୍ଧ ବଣିକ କହିଲେ,” ମା, ଆମେ ଚେଦି ରାଜ୍ୟର ରାଜଧାନୀକୁ ବାଣିଜ୍ୟ ଉଦ୍ଦେଶ୍ୟରେ ଯାଉଛୁଁ Ι ଆପଣ ଆମ ସହ ଚାଲନ୍ତୁ Ι ଯଦି ଆପଣଙ୍କ ସ୍ୱାମୀ ନୈଷଧର ପୂର୍ବତନ ରାଜା ହୋଇଥାନ୍ତି, ତେବେ ସେଠାରେ ତାଙ୍କର ସନ୍ଧାନ ମିଳିଯାଇ ପାରେ Ι” ଦମୟନ୍ତୀ ସେହି ବଣିକ ଦଳ ସହ ଚେଦିର ରାଜଧାନୀରେ ପହଞ୍ଚିଲେ Ι ତାଙ୍କୁ ଛାଡି ଦେଇ ସାଧବମାନେ ନିଜ ନିଜ ମାର୍ଗରେ ଗଲେ Ι ତାଙ୍କର ବେଶ ଭୂଷା ଦେଖି ନଗରର ଉତ୍ ଶ୍ରୁଙ୍ଖଳ ଯୁବକ ଏବଂ ବାଳକମାନେ ତାଙ୍କ ପଛରେ ‘ପାଗଳିନୀ, ପାଗଳିନୀ’ କହି ତାଳି ମାରି ଚାଲିଲେ Ι କେହି କେହି ତାଙ୍କ ଉପରକୁ ଧୂଳି ଫିଙ୍ଗୁଥାନ୍ତି Ι କେହି ଟେକା ଫିଙ୍ଗୁଥାନ୍ତି Ι ରାଜା ସୁବାହୁଙ୍କର ମାତା ରାଜଭବନର ଅଟ୍ଟାଳିକା ଉପରୁ ଏହି ଦୃଶ୍ୟ ଦେଖିପାରିଲେ Ι ତାଙ୍କ ନିର୍ଦ୍ଦେଶରେ ମୁଦୁସୁଲୀ ଏକ ପ୍ରହରୀକୁ ସାଙ୍ଗରେ ନେଇ ଗଲା Ι ପ୍ରହରୀ ଦମୟନ୍ତୀଙ୍କୁ ଦୁର୍ବ୍ୟବହାର କରୁଥିବା ଲୋକଙ୍କୁ ଗୋଡ଼ାଇ ଦେଲା Ι ମୁଦୁସୁଲୀ ଦମୟନ୍ତୀଙ୍କୁ ସାଙ୍ଗରେ ନେଇ ରାଜମାତାଙ୍କ ସହ ଭେଟ କରାଇଲା Ι ରାଜମାତାଙ୍କ ଜିଜ୍ଞାସାର ଉତ୍ତରରେ ସେ ନିଜକୁ ଦମୟନ୍ତୀଙ୍କର ପରିଚାରୀ ବୋଲି ପରିଚୟ ଦେଲେ Ι ଦମୟନ୍ତୀ ବନବାସ କରିବାରୁ ସେ ପଳାଇ ଆସିଛନ୍ତି ବୋଲି କହିଲେ Ι ସୁବାହୁଙ୍କ ମାତା ଦମୟନ୍ତୀଙ୍କର ମାଉସୀ ଥିଲେ Ι ଦୀର୍ଘ ଦିନ ଧରି ଚେଦିରାଜ କୁଣ୍ଡୀ ନଗ୍ରକୁ ଯାଇ ନ ଥିବାରୁ ରାଜମାତା ଦମୟନ୍ତୀଙ୍କୁ ଚିହ୍ନିପାରିଲେ ନାହିଁ Ι ସେ ତାଙ୍କ ଉପରେ ଦୟା ପରବଶ ହୋଇ ତାଙ୍କୁ ସେବିକା ଭାବରେ ରାଜଭବନରେ ରହିବା ପାଇଁ ଅନୁମତି ଦେଲେ Ι କିନ୍ତୁ ଦମୟନ୍ତୀଙ୍କର କେତୋଟି ସର୍ତ୍ତ ଥିଲା
ପୁରୁଷ ସହିତେ ଯେହ୍ନେ ଦେଖା ନ ହୋଇବ, ପୁରୁଷଙ୍କ ନିକଟକୁ ମୋତେ ନ ପେଷିବ Ι
ନ ଛୁଇଁବି ଉଚ୍ଛିଷ୍ଟ ମୁଁ ନ ଘଷିବି ଗୋଡ, ପୂର୍ବରୁ ଏ ବ୍ରତମାନ କରିଅଛି ଦୃଢ Ι”
ରାଜମାତା ଦମୟନ୍ତୀଙ୍କର ସମସ୍ତ ସର୍ତ୍ତରେ ରାଜି ହେଲେ Ι କନ୍ୟା ସୁନନ୍ଦାଙ୍କୁ ଡାକି ଦମୟନ୍ତୀଙ୍କ ଯତ୍ନ ନେବାକୁ କହିଲେ Ι କିଛି ଦିନ ପାଇଁ ଅନ୍ନ ବସ୍ତ୍ରର ସୁବ୍ୟବସ୍ଥା ହୋଇଗଲା Ι କିନ୍ତୁ ଦମୟନ୍ତୀଙ୍କର ମନ ଖୋଜୁଥିଲା ତାଙ୍କର ପ୍ରାଣପ୍ରିୟ ପୁରୁଷଙ୍କୁ Ι ରାଜଭବନରେ ଶରୀରଟି ପଡିଥିଲା Ι ମନ ଉଡ଼ିବୁଲୁଥିଲା ସ୍ୱାମୀଙ୍କ ଅନ୍ୱେଷଣରେ Ι
ନୈଷଧର ପ୍ରଜାକୁଳ ପୁଷ୍କରର ଅତ୍ୟାଚାରରେ ଅତିଷ୍ଠ ହୋଇ ପଡ଼ିଥିଲେ Ι ଗୋଟିଏ ଗୋଷ୍ଠି ପ୍ରକାଶ୍ୟ ବିଦ୍ରୋହ ମଧ୍ୟ ଘୋଷଣା କରିଦେଇଥିଲେ Ι ନଳଙ୍କ ପ୍ରତି କପଟ ଆଚରଣ କରାଯାଇଛି ବୋଲି ସେମାନେ ଆଲୋଚନା କରୁଥିଲେ Ι ତାଙ୍କର ପ୍ରିୟ ରାଜା ନଳଙ୍କୁ ଖୋଜିବା ପାଇଁ ସେମାନଙ୍କ ମଧ୍ୟରୁ କେତେ ଜଣ ରାଜ୍ୟ ବାହାରକୁ ଚାଲି ଯାଇଥିଲେ Ι ପୁଷ୍କର ନିକଟରେ ଏ ସୂଚନା ପହଞ୍ଚିଥିଲା Ι କାଳେ ନଳ ରାଜ୍ୟକୁ ଫେରି ତା ଠାରୁ ସିଂହାସନ ଛଡାଇ ନେବେ ସେହି ଭୟରେ ସେ କେତେକ ଦୁର୍ଦ୍ଦର୍ଷ ଆତତାୟୀଙ୍କୁ ନଳଙ୍କୁ ଖୋଜି ହତ୍ୟା କରିବା ପାଇଁ ନିଯୁକ୍ତି ଦେଲା Ι
ଦମୟନ୍ତୀଙ୍କୁ ପରିତ୍ୟାଗ କରି ନଳ ମନ ଦୁଃଖରେ ଅରଣ୍ୟ ମଧ୍ୟରେ ଲକ୍ଷ୍ୟହୀନ ଭାବରେ ଘୂରି ବୁଲୁଥାନ୍ତି Ι ଗୋଟିଏ ସ୍ଥାନରେ ସେ ଦେଖିଲେ, ସର୍ପଟିଏ ଅଗ୍ନିରେ ପଡି ଛଟପଟ ହେଉଛି Ι ସେ ତାକୁ ସତର୍କତାର ସହିତ ଉଦ୍ଧାର କରି ଆଣିଲେ Ι ସେହି ସର୍ପର ନାମ କର୍କୋଟକ Ι କିଛି ସମୟ ମଧ୍ୟରେ ସେହି ଭୁଜଙ୍ଗ ସୁସ୍ଥ ଅନୁଭବ କଲା Ι ଅଚାନକ ସେ ରାଜା ନଳଙ୍କୁ ଦଂଶନ କଲା Ι ତାର ଦଂଶନର ଯନ୍ତ୍ରଣାରେ ଅତିଷ୍ଠ ହୋଇ ନଳ ପଚାରିଲେ, “କାହିଁକି ଏମିତି କଲ ନାଗରାଜ ? ଯିଏ ତୁମର ପ୍ରାଣରକ୍ଷା କଲା, ତାକୁ ଦଂଶନ କରି ମୃତ୍ୟୁମୁଖକୁ ଠେଲି ଦେବାପାଇଁ ତୁମ ମନ କହିଲା କେମିତି ?” କର୍କୋଟକ କହିଲା, “ମୋ ଦଂଶନରେ ଆପଣଙ୍କର ମୃତ୍ୟୁ ହେବ ନାହିଁ Ι ମୋର ଏହି ଦଂଶନ ଆପଣଙ୍କର ମଙ୍ଗଳ ପାଇଁ ଉଦ୍ଦିଷ୍ଟ Ι ଦେଖନ୍ତୁ, ଆପଣଙ୍କର ଶରୀର କୃଷ୍ଣବର୍ଣ୍ଣ ଧାରଣ କରୁଛି Ι ଏବେ ଆପଣଙ୍କୁ ଖୋଜି ମାରିବା ପାଇଁ ଲୋକମାନେ ଖୋଜି ବୁଲୁଛନ୍ତି Ι ଆପଣଙ୍କର ଏହି ପରିବର୍ତ୍ତିତ ରୂପ ଆପଣଙ୍କୁ କେବଳ ସେମାନଙ୍କଠାରୁ ରକ୍ଷା କରିବ, ତା ନୁହେଁ, ଆପଣଙ୍କୁ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ସାହାଯ୍ୟ କରିବ Ι ଆପଣଙ୍କର ଯେତେବେଳେ ବିପଦ କଟିଯିବ, ଯେତେବେଳେ ଆପଣ ଇଚ୍ଛା କରିବେ, ମୋ ନାମ ତିନିବାର ଉଚ୍ଚାରଣ କଲେ ଆପଣ ସ୍ଵୀୟ ଉଜ୍ଜ୍ୱଳ ରୂପ ଫେରିପାଇବେ Ι
ସେଠାରୁ କିଛି ଦୂର ଯାଇ ନଳ ଗୋଟିଏ ବୃକ୍ଷ ମୂଳରେ ବିଶ୍ରାମ ନେଲେ Ι ତାଙ୍କୁ ନିଦ୍ରା ଆସିଗଲା Ι ସେହି ଅରଣ୍ୟ ଅଞ୍ଚଳ ଦେଇ ଅଯୋଧ୍ୟାର ରାଜା ଋତୁପର୍ଣ୍ଣ ପାର୍ଶ୍ଵବର୍ତ୍ତୀ ରାଜ୍ୟର ରାଜାଙ୍କ ସହ ଯୁଦ୍ଧରେ ହାରି ପଳାୟନ କରୁଥାନ୍ତି Ι ତାଙ୍କର ସାରଥୀ ଯୁଦ୍ଧରେ ମୃତ୍ୟୁ ବରଣ କରିଥାଏ Ι ନିଜେ ଋତୁପର୍ଣ୍ଣ ରଥ ଚଲାଉଥାନ୍ତି Ι ଅଶ୍ଵମାନେ ରାଜାଙ୍କର ଅନଭ୍ୟସ୍ତ ହସ୍ତର ଚାଳନାରେ ବିଶୃଙ୍ଖଳ ହୋଇ ରଥକୁ ଓଲଟାଇ ଦେଲେ Ι ରାଜାଙ୍କର ଚିତ୍କାର ଶୁଣି ନଳଙ୍କ ନିଦ୍ରା ଭଗ୍ନ ହେଲା Ι ସେ ଯାଇ ରାଜାଙ୍କୁ ଉଠାଇଲେ Ι ରଥରୁ ଅଶ୍ଵମାନଙ୍କୁ ଖୋଲି ନିକଟସ୍ଥ ବୃକ୍ଷରେ ବାନ୍ଧିଦେଲେ Ι ସେମାନଙ୍କ ଶରୀରରେ ହସ୍ତ ସଞ୍ଚାଳନ କରି ତାଙ୍କୁ ସ୍ନେହର ସ୍ପର୍ଶ ଦେଲେ Ι କିଛି ତୃଣ ଆଣି ଖାଇବାକୁ ଦେଲେ Ι ନିକଟସ୍ଥ ସରୋବରରେ ପାଣି ପିଆଇଲେ Ι ରାଜା ଋତୁପର୍ଣ୍ଣ ସବୁ ଲକ୍ଷ୍ୟ କରୁଥାନ୍ତି Ι ସେ ନଳଙ୍କୁ ପାଖକୁ ଡାକି ତାଙ୍କର ପରିଚୟ ମାଗିଲେ Ι ନଳ କହିଲେ,”ସେ ହେଉଛନ୍ତି ନୈଷଧରାଜ ନଳଙ୍କର ସାରଥୀ ‘ବାହୁକ’ Ι ରାଜାଙ୍କର ରାଜ୍ୟ ତ୍ୟାଗ ପରେ ସେ ଜୀବିକା ସନ୍ଧାନରେ ବୁଲୁଛନ୍ତି Ι ଋତୁପର୍ଣ୍ଣ ନଳଙ୍କୁ ନିଜର ସାରଥୀ ରୂପେ ନିଯୁକ୍ତି ଦେଲେ Ι ଅଳ୍ପ ଦିନ ମଧ୍ୟରେ ବାହୁକର ପରାମର୍ଶ ଅନୁସାରେ ଋତୁପର୍ଣ୍ଣ ପଡୋଶୀ ରାଜ୍ୟର ରାଜାଙ୍କ ସହ ଯୁଦ୍ଧ କରି ତାଙ୍କୁ ହରାଇ ଦେଲେ Ι ସେହି ଯୁଦ୍ଧରେ ବାହୁକଙ୍କର ରଥ ଚାଳନା ଚାତୁରୀ ରାଜାଙ୍କୁ ବିସ୍ମିତ କଲା Ι ଏବେ ବାହୁକ କେବଳ ସାରଥୀ ନ ଥିଲା Ι ସେ ରାଜାଙ୍କର ଅନ୍ତରଙ୍ଗ ପରାମର୍ଶଦାତା ପାଲଟିଗଲା Ι କୌଣସି ଏକ ପରିସ୍ଥିତିରେ ସେ ରାଜାଙ୍କୁ ସ୍ଵହସ୍ତ ପ୍ରସ୍ତୁତ ଖାଦ୍ୟ ଖୁଆଇ ନିଜର ସୂପକାର ପ୍ରତିଭାର ମଧ୍ୟ ପରିଚୟ ଦେଇଥିଲା Ι ସେହି ଖାଦ୍ୟ ଏତେ ସ୍ୱାଦୁଯୁକ୍ତ ଥିଲା ଯେ ରାଜା ଋତୁପର୍ଣ୍ଣ ସମୟ ଅସମୟରେ ତାଙ୍କୁ ରାଜକୀୟ ରୋଷଶାଳାକୁ ଆସିବା ପାଇଁ ନିମନ୍ତ୍ରଣ ପଠାଉଥିଲେ Ι
,