ଅପରାଧ

୮ହଜାର ଟଙ୍କା ନେଇ ଭିଜିଲାନ୍ସରେ ଏଏସ୍‌ଆଇ

ଦଶମନ୍ତପୁର, : ଏକ ମାମଲା ରଫାଦଫା କରିଦେବାକୁ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୋରାପୁଟ ଜିଲା ଦଶମନ୍ତପୁର ଥାନାର ଜଣେ ଏଏସ୍‌ଆଇ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କ ନାମ ଦୀପିକା ହୀରା।

ସୂଚନାଯୋଗ୍ୟ, ଗତବର୍ଷ ଫେବୃୟାରୀରେ ନିର୍ବାଚନ ସମୟରେ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗାଦିଆଗୁଡ଼ା ପଞ୍ଚାୟତର ସମିତିସଭ୍ୟ ପଦବୀ ପାଇଁ ନିର୍ବାଚନରେ ଖଜୁରିଗୁଡ଼ା ଗ୍ରାମର ମହେଶ୍ୱର ସାଉନ୍ତା ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଏହି ସମୟରେ ପରଜାବେଡାପଦର ପଞ୍ଚାୟତ ଏସ.ତୋଟାଗୁଡ଼ା ଗ୍ରାମର ବୀରେନ୍ଦ୍ର ଖସଲାଙ୍କଠାରୁ ୨୦ହଜାର ଟଙ୍କା ଉଧାର ନେଇଥିଲେ। ଦୀର୍ଘ ମାସ ପରେ ବୀରେନ୍ଦ୍ର ଦେଇଥିବା ଅର୍ଥ ମହେଶ୍ୱରଙ୍କୁ ମାଗିଥିଲେ। ମହେଶ୍ୱର ଟଙ୍କା ଦେବାରେ ବିଳମ୍ବ କରିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ମହେଶ୍ବର ଥାନାର ଦ୍ୱାରସ୍ଥ ହୋଇ ବୀରେନ୍ଦ୍ର ଓ ତାଙ୍କ ଭାଇ ହେମନ୍ତଙ୍କ ନାମରେ ମିଥ୍ୟା ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ୧୩ା୭ା୨୩(୮୫/୨୩ରେ ଏକ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲାକୁ ରଫାଦଫା କରିଦେବାକୁ ତଦନ୍ତ ଦାୟିତ୍ୱରେ ଥିବା ଏଏସ୍‌ଆଇ ହୀରା ଥାନା ଅଧିକାରୀ ଚନ୍ଦ୍ରଭାନୁ ମହାନ୍ତିଙ୍କୁ ଦେବି କହି ବୀରେନ୍ଦ୍ରଙ୍କୁ ୧୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ବୀରେନ୍ଦ୍ର ୨୪ ତାରିଖରେ ହୀରାଙ୍କୁ ୫ ହଜାର ଟଙ୍କା ଦେଇ ବଳକା ଅର୍ଥ ଶୁକ୍ରବାର ଦେବାକୁ କହିଥିଲେ। ଏ ସମ୍ପର୍କରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ପ୍ରତିଶ୍ରୁତି ମୁତାବକ ବୀରେନ୍ଦ୍ର ଶୁକ୍ରବାର ୮ହଜାର ଟଙ୍କା ଏଏସ୍‌ଆଇ ହୀରାଙ୍କୁ ଦେଉଥିବା ବେଳେ ପୂର୍ବରୁ ସେଠାରେ ଜଗି ରହିଥିବା ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଧରିଥିଲେ। ଚଢ଼ାଉରେ ଭିଜିଲାନ୍ସ ଅତିରିକ୍ତ ଏସ୍‌ପି ଅରୁଣ ନାୟକ, ଇନ୍ସପେକ୍ଟର ସଞ୍ଜୟ ପ୍ରଧାନ, ସାବିତ୍ରୀ ପ୍ରଧାନ ସାମିଲ ହୋଇଥିଲେ। ଏହି ଘଟଣାରେ ଥାନା ଅଧିକାରୀ ମହାନ୍ତିଙ୍କୁ ମଧ୍ୟ ଭିଜିଲାନ୍ସ କର୍ମଚାରୀମାନେ ଜେରା କରିଥିବା ଅତିରିକ୍ତ ଏସ୍‌ପି ନାୟକ କହିଛନ୍ତି।

Leave a Reply

Your email address will not be published. Required fields are marked *