ଅପରାଧ

କନିଷ୍ଠଯନ୍ତ୍ରୀଙ୍କ ନିକଟରୁ ମିଳିଲା ଜୀବନ୍ତ ଗୁଳି

ଦାମନଯୋଡି,: ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ସୁନାବେଡ଼ା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ବିଦ୍ୟୁତ୍‌ ବିଭାଗ ଟାଟାପାଓ୍ବାରର କନିଷ୍ଠଯନ୍ତ୍ରୀ ସରୋଜ କୁମାର ବେହେରା(୪୩) ଅଛନ୍ତି। ତାଙ୍କ ଘର ଦାମନଯୋଡି ନିକଟସ୍ଥ ଭେଜାପୁଟ ଅଞ୍ଚଳର ଶାନ୍ତି ନଗରରେ। ଗିରଫ ଅନ୍ୟ ଜଣେ ହେଉଛନ୍ତି ସଞ୍ଜୟ ପ୍ରଧାନ(୪୩)। ଉଭୟଙ୍କୁ ୧୩୮ଆଇପିସି ଧାରା ୨୫(୧-ଖ) (କ) ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ଗିରଫ ପରେ ପୋଲିସ କୋର୍ଟଚାଲାଣ କରିଛି। ଖବରରୁ ଜଣାପଡିଛି, ସଞ୍ଜୟଙ୍କ ତାଙ୍କ ବାପାଙ୍କ ସହ ପାରିବାରିକ କୌଣସି ବିଷୟକୁ ନେଇ ନିକଟରେ କଳହ ହୋଇଥିଲା। ବାପାଙ୍କୁ ଭୟଭୀତ କରାଇବା ପାଇଁ ସଞ୍ଜୟ ବାପାଙ୍କୁ ବନ୍ଧୁକ ଦେଖାଇଥିଲେ। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସୁନାବେଡ଼ା ପୋଲିସ ସଞ୍ଜୟଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା। ତେବେ ବନ୍ଧୁକ ସମ୍ପର୍କରେ ତାଙ୍କୁ ପଚରାଯିବାରୁ ସେ ଟାଟାପାଓ୍ବାରର କନିଷ୍ଠଯନ୍ତ୍ରୀ ସରୋଜଙ୍କ ନାଁ ନେଇଥିଲେ। ପୋଲିସ ଏହାର ତଦନ୍ତ କରି ସରୋଜଙ୍କଠାରୁ ଜୀବନ୍ତ ଗୁଳି ଜବତ କରିଥିଲା। ତାଙ୍କୁ ଗିରଫ କରି ଆଣି ପଚରାଉଚରା ପରେ କୋର୍ଟଚାଲାଣ କରାଯାଇଥିଲା ବୋଲି ସୁନାବେଡା ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ କହିଛନ୍ତି। ତେବେ ସଞ୍ଜୟ ତାଙ୍କ ବାପାଙ୍କୁ ବନ୍ଧୁକ ଦେଖାଉଥିବା ବେଳେ ସେଥିରେ ଗୁଳି ନ ଥିଲା। ଏହି ଗୁଳି ସରୋଜଙ୍କ ନିକଟରେ ଥିଲା। ବନ୍ଧୁତା ଦୃଷ୍ଟିରୁ ସଞ୍ଜୟଙ୍କୁ ସାହଯ୍ୟ କରି ସରୋଜ ଜେଲ ଗଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ଦାମନଯୋଡିର ଭେଜାପୁଟ ଅଞ୍ଚଳ ସୁନାବେଡା ଥାନା ଅଧୀନରେ ଯାଉଥିବାରୁ ଏହି ମାମଲା ସୁନାବେଡା ଥାନାରେ ହୋଇଛି।

Leave a Reply

Your email address will not be published. Required fields are marked *