ମୁଖ୍ୟ ଖବର

ଗୁରୁକୃପା ଆଶ୍ରମ ହତ୍ୟାକାଣ୍ଡ: ଆହତ ବାବାଙ୍କ ଜୀବନ ଗଲା

ପୁରୀ: ଲୋକନାଥ ରୋଡ ଗୁରୁକୃପା ଆଶ୍ରମ ହତ୍ୟାକାଣ୍ଡ ବେଳେ ପ୍ରତିବାଦ କରୁଥିବା ଆହତ ବାବା ଦୟାନିଧି ଦାସଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ଚାରିଟା ସମୟରେ ଲୋକନାଥ ରୋଡ ସ୍ଥିତ ଗୁରୁକୃପା ଆଶ୍ରମରେ ବିଶ୍ରାମ ନେଉଥିବା ବାବାଜି ଅର୍ଜୁନ ବାବା(୫୮)ଙ୍କୁ ସେହି ମଠରେ ରହୁଥିବା ଅନ୍ୟ ଜଣେ ବାବାଜି କାଠରେ ପିଟିପିଟି ହତ୍ୟା କରିଥିଲେ। ହତ୍ୟାକାଣ୍ଡ ବେଳେ ପ୍ରତିବାଦ କରୁଥିବା ଅନ୍ୟ ଜଣେ ବାବା ଦୟାନିଧି ଦାସ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଖବର ପାଇ ବାସେଳିସାହି ଥାନା ପୁଲିସ ଆଶ୍ରମରେ ପହଞ୍ଚି ଆଶ୍ରମର ପାଇଖାନା ମଧ୍ୟରୁ ହତ୍ୟା ଅଭିଯୁକ୍ତ ବାବାକୁ ଗିରଫ କରିଥିଲା। ଏନେଇ ଏକ ମାମଲା ରୁଜୁ କରି ବାସେଳିସାହି ଥାନା ପୁଲିସ ସାଇଣ୍ଟିଫିକ୍ ଟିମକୁ ଡକାଇ ତଦନ୍ତ କରିଥିଲା।
ତୋଟା ଗୋପୀନାଥ ମଠର ମ୍ୟାନେଜିଂ ଟ୍ରଷ୍ଟି କୃଷ୍ଣଚନ୍ଦ୍ର ସାହୁ ଗୁରୁକୃପା ଆଶ୍ରମର ମୁଖ୍ୟ ତତ୍ତ୍ବାବଧାରକ ଭାବେ ପରିଚିତ। ତେବେ ଶୁକ୍ରବାର ଦିନ ଗୁରୁକୃପା ଆଶ୍ରମର ଅନ୍ତେବାସୀମାନେ ତୋଟା ଗୋପୀନାଥ ମଠକୁ ଦିବା ଭୋଜନ କରିବାକୁ ଯାଇ ଫେରିଥିଲେ। ସେହିପରି ଅର୍ଜୁନ ବାବା ଆସି ମଧ୍ୟ ଗୁରୁକୃପା ଆଶ୍ରମରେ ବିଶ୍ରାମ ନେଇଥିଲେ। ଏହାର କିଛି ସମୟ ପରେ ସେଠାରେ ଗଞ୍ଜାମ ଭଞ୍ଜନଗର ଥାନା ଅନ୍ତର୍ଗତ ଗମୁଣ୍ଡି ଗାଁର ରବୀନ୍ଦ୍ର ଜେନା(୪୦) ଓରଫ ବିଷ୍ଣୁ ବାବା ପହଞ୍ଚିଥିଲା। କୌଣସି କାରଣକୁ ନେଇ ନିକଟରେ ଥିବା ଏକ କାଠ ଧରି ବିଷ୍ଣୁ ଶୋଇଥିବା ଅର୍ଜୁନ ବାବା ଓରଫ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ନନ୍ଦୀଗ୍ରାମ ଥାନା ଅନ୍ତର୍ଗତ ଦକ୍ଷିଣପଡ଼ାର ନାରୁଗୋପାଳ ମିଶ୍ର(୫୮)ଙ୍କ ମୁଣ୍ଡରେ ଛେଚି ଦେଇଥିଲା। କେବଳ ଏତିକି ନୁହେଁ, ଅର୍ଜୁନ ବାବାଙ୍କ ମୁଣ୍ଡକୁ ବାରମ୍ବାର ପିଟିପିଟି ଅର୍ଜୁନ ତାଙ୍କୁ ହତ୍ୟା କରିଥିଲା।ଏହି ସମୟରେ ସେଠାରେ ବାବା ଦୟାନିଧି ଦାସ ପହଞ୍ଚି ପ୍ରତିବାଦ କରିବାରୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଏକ ଇଟାରେ ଦୟାନିଧି ବାବାଙ୍କ ମୁଣ୍ଡକୁ ବିଷ୍ଣୁ ବାବା ଛେଚି ହତ୍ୟା ଉଦ୍ୟମ କରିଥିଲା। ମାତ୍ର ଦୟାନିଧି ବାବା ଜୀବନ ବଞ୍ଚାଇବାକୁ ଯାଇ ଆଶ୍ରମରୁ ବାହାରକୁ ଆସିଯିବାରୁ ସ୍ଥାନୀୟ ଲୋକମାନେ ତାଙ୍କୁ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।

Leave a Reply

Your email address will not be published. Required fields are marked *