ରାଜ୍ୟ

ସୂର୍ଯ୍ୟମନ୍ଦିର ପରିଦର୍ଶନ କଲେ ୭୮ ଶିକ୍ଷାସେଵା ଅଧିକାରୀ

ନିମାପଡ଼ା: ଓଡ଼ିଶା ଶିକ୍ଷା ସେବାରେ ନବ ନିଯୁକ୍ତ ୭୮ଜଣ ଶିକ୍ଷା ପ୍ରଶାସକ କୋଣାର୍କ ପରିଭ୍ରମଣରେ ଆସି ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର, ଅର୍କକ୍ଷେତ୍ର ବ୍ୟାଖ୍ୟାନ କେନ୍ଦ୍ର, ଚନ୍ଦ୍ରଭାଗାର ସ୍ୱର୍ଣ୍ଣିମ ବେଳାଭୂମି ଓ ମୁକ୍ତାକାଶ ରଙ୍ଗମଞ୍ଚ ପରିଦର୍ଶନ କରିଛନ୍ତି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓସେପା) ପକ୍ଷରୁ ଭୁବନେଶ୍ଵର ରେ ଆୟୋଜିତ ୧୫ଦିନିଆଁ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିବା ଏହି ଯୁବ ଶିକ୍ଷା ପ୍ରଶାସକମାନେ କୋଣାର୍କ ଆସିବା ବାଟରେ ନିମାପଡ଼ା ସରକାରୀ ହାଇସ୍କୁଲର ଶୈକ୍ଷିକ ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି। ଏହାପରେ ଵିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ଓ ଅର୍କକ୍ଷେତ୍ର ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରି ଉତ୍କଳୀୟ ସୂକ୍ଷ୍ମ ଭାସ୍କର୍ଯ୍ୟ କଳାକୁ ଉପଭୋଗ କରିଥିଲେ। କୋଣାର୍କ ପରିଦର୍ଶନ ଅବସରରେ ଓଡ଼ିଶାର କଳା, ସଂସ୍କୃତି ଓ ଇତିହାସ ସଂପର୍କରେ ଏକ ସୁଖଦ ଶିକ୍ଷଣୀୟ ଅନୁଭୂତି ଯୁବ ଶିକ୍ଷା ଅଧିକାରୀମାନଙ୍କୁ ଆତ୍ମ ବିମୋହିତ କରିଥିବା ସେମାନେ ପ୍ରକାଶ କରିଛନ୍ତି। ଓଡ଼ିଶା ସରକାରଙ୍କ ଦ୍ୱାରା ନବନିଯୁକ୍ତ ୧୫୮ଜଣ ଯୁବ ଶିକ୍ଷା ପ୍ରଶାସକଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୭୮ ଜଣଙ୍କୁ ଓସେପା ପକ୍ଷରୁ ପ୍ରଶିକ୍ଷଣ ପ୍ରଦାନ କାର୍ଯ୍ୟକ୍ରମ ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହି ନବ ନିଯୁକ୍ତ ଯୁବ ଶିକ୍ଷା ପ୍ରଶାସକଙ୍କ କର୍ତ୍ତବ୍ୟ ନିଷ୍ଠା ଆମ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସମୁନ୍ନତ କରିବ ବୋଲି ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ପ୍ରକାଶ କରିଛନ୍ତି। ଏହି ପରିଭ୍ରମଣ କାର୍ଯ୍ୟକ୍ରମରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଶାହାଙ୍କ ସହିତ ଅତିରିକ୍ତ ନିର୍ଦ୍ଦେଶକ ସରୋଜ କୁମାର ବେହେରା, ଉପ ନିର୍ଦ୍ଦେଶକ ମହେଶ୍ୱର ସାହୁ, ପୁରୀ ଜିଲ୍ଲା ଶିକ୍ଷାଅଧିକାରୀ ଡ.ବିଶ୍ୱଜିତ୍ ଘୋଷ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହିମାଂଶୁ ଭୂଷଣ ସମରଥ ଓ ଗୋପ ବ୍ଲକ ଶିକ୍ଷା ଅଧିକାରୀ ସୁଶୀଳ କୁମାର ବ୍ରହ୍ମା ସାମିଲ୍ ହୋଇଥିଲେ। ପର୍ଯ୍ୟଟନ ବିଭାଗର ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ନୂତନ ଶିକ୍ଷା ପ୍ରଶାସକମାନଙ୍କୁ ଶ୍ରୀଜଗନ୍ନାଥଙ୍କ ଫଟୋ ଉପହାର ଦେଇ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ଘୋଷ ସମ୍ବର୍ଦ୍ଧିତ କରିଥିଲେ। ସିଆରସିସି ରବୀନ୍ଦ୍ରନାଥ ବାହିନୀପତି, ଶିକ୍ଷକ ପ୍ରତାପ ରାଉତ ଓ ଶିକ୍ଷକ ରାମକୃଷ୍ଣ ମହାନ୍ତି ଯାତ୍ରୀନିବାସ ଠାରେ ଅତିଥି ମାନଙ୍କୁ ସ୍ବାଗତ କରିବା ସହିତ କୋଣାର୍କ ପରିଭ୍ରମଣରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *