ଅପରାଧ

ବେଆଇନ କରତକଳରେ ବିଦ୍ୟୁତଘାତଘଟି ଶ୍ରମିକଙ୍କ ମୃତ୍ୟୁ


ନିମାପଡ଼ା: ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ବାଜପୁର ସାମିଲ କେରେଣ୍ଡିଆପାଳ ଠାରେ ଚାଲିଥିବା ଏକ ବେଆଇନ କରତକଳରୁ ରବିବାର ବିଳମ୍ବିତ ରାତ୍ରୀରେ କାଠ ଗୁଣ୍ଡ ଚାଲାଣ ବେଳେ ୧୧ କେ.ଭି ବିଦ୍ୟୁତ ତାର ଲାଗି ମିନି ଟ୍ରକର ହେଲପରଙ୍କ ମୃତ୍ୟୁ ଘଟିଛି । ଉକ୍ତ କରତକଳରୁ ଚୌଦ୍ୱାର ଅଞ୍ଚଳ ର ଏକ ବ୍ୟବସାୟୀ କାଠଗୁଣ୍ଡ ନେଉଥିଲେ । ତେବେ ହଠାତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ଜଣକ ତଳେ ଛିଟିକି ପଡିବା ପରେ ତାଙ୍କୁ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ ହେଉଛନ୍ତି ଯାଜପୁର ଜିଲ୍ଲା ବଡଗାଁ ର ଜଗା ସିଂ(୨୪)। ଯୁବକଙ୍କ ମୃତଦେହ କାକଟପୁର ପୁଲିସ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି । ସ୍ଥାନୀୟ ଅଞ୍ଚଳର ଶାସକ ଦଳର ଜନୈକା ଜିଲ୍ଲାପରିଷଦ ସଭ୍ୟାଙ୍କ ଉକ୍ତ ବେଆଇନ କରତକଳ ଜଣାପଡିବାପରେ ପୋଲିସ,ପ୍ରଶାସନ ଓ ବନବିଭାଗ ନିରବଦ୍ରଷ୍ଟା ସାଜିଥିବା ସାଧାରଣରେ ଅଭିଯୋଗ ହୋଇଛି। ଘଟଣା ଘଟାଇଥିବା ଟ୍ରକଟି ପୁନଃ କରତ ଗୁଣ୍ଡ ଲୋଡ଼ କରି ଚାଲିଯାଇଥିବା ସୂଚନା ମିଳିଛି । କାହା ଚାପରେ କାକଟପୁର ପୋଲିସ ଉକ୍ତ ଗାଡିକୁ ଛାଡିଦେଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟ ପକ୍ଷରେ ସୂଚନା ଅଧିକାର ତଥ୍ୟ ଅନୁଯାୟୀ କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ କୌଣସି ଲାଇସେନ୍ସ ପ୍ରାପ୍ତ କରତକଳ ନଥିବା ବେଳେ ଉକ୍ତ ଅଞ୍ଚଳରେ ମାଳମାଳ କରତକଳ ବେଆଇନ ଭାବେ ଚାଲୁଥିବା ପ୍ରଶାସନ ଓ ବନବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୁରୀ ଜିଲ୍ଲା ବିଜେପି ଉପସଭାପତି ରତିକାନ୍ତ ବେହେରା ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *